ବିଦ୍ୟାଳୟ ପରିସରରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ: ରାତିରେ ଜମୁଛି ମଦ୍ୟପ ଓ ଜୁଆଡିଙ୍କ ଆସର

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ପ୍ରତ୍ୟହ ସନ୍ଧ୍ୟା ସମୟ ଠାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ମଦ୍ୟପ ଓ ଜୁଆଡିମାନଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ଅସାମାଜିକ ବ୍ୟକ୍ତିଙ୍କ ଭୟରେ କେହି ସେମାନଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରୁନଥିବା ନେଇ କିଛି ଅଭିଭାବକ ପ୍ରକାଶ କରିଛନ୍ତି । ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପଛୁଆବର୍ଗ ପିଲାମାନଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀ ନୃସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା  । କିନ୍ତୁ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ଓ ଅଙ୍ଗନବାଡ଼ି କେନ୍ଦ୍ର  ରହିଛି  । ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଅଭିମୁଖୀ କରାଇବା ସହ ନୂତନ ଜ୍ଞାନ କୌଶଳରେ ପାଠ ପଢାଇବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ହେଲେ  ସ୍କୁଲରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି କୌଣସି ଅଧିକାରୀ କିମ୍ବା ଜନ ପ୍ରତିନିଧି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି  । 
ସଂପୃକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୧୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସ୍ଥାନୀୟ ଶିଶୁମାନଙ୍କ ପାଇଁ ସ୍କୁଲ ପରିସରରେ ଅଙ୍ଗନୱାଡ଼ି ଗୃହରହିଛି ଓ ମିଶନ ଶକ୍ତି ଗୃହ ନିର୍ମାଣ ଅଧପନ୍ତରିଆ ଭାବେ ପଡି ରହିଛି  ।  ସ୍କୁଲର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ ହୋଇଛି କିନ୍ତୁ ସେହି  ସ୍କୁଲ ଗେଟ୍  ପରିସର ଦେଇ ସାହି ବାସିନ୍ଦା ଯିବା ଆସିବା ରାସ୍ତାରେ ପରିଣତ କରିଛନ୍ତି । ବିଦ୍ୟାଳୟ ଗେଟ ତାଲା ନପଡିବାରୁ ଅସାମାଜିକ ବ୍ୟକ୍ତିମାନେ ଅର୍ଦ୍ଧ ନିର୍ମିତ ଅଙ୍ଗନୱାଡି ଘରେ ବସି ମଦ ଗଞ୍ଜେଇ ଓ ବ୍ରାଉନସୁଗାର ଆଦି ମାଦକ ଦ୍ରବ୍ୟ ସେବନ କରିବା ସହ ଅସାମାଜିକ କାର୍ଯ୍ୟ କରିବା ପାଇଁ ମେଳି ବାନ୍ଧୁଛନ୍ତି  । ବିଦ୍ୟାଳୟ ପରିସର ବିଭିନ୍ନ ସ୍ଥାନରେ ମଦ ବୋତଲ, ଅଇଁଠା ଖଲି, ପାଣି ବୋତଲ, କୋଲ୍ଡଡ଼୍ରିଙ୍କ ବୋତଲ, ଖଣ୍ଡିଆ ବିଡ଼ି ଓ ସିଗାରେଟ ପଡି ରହୁଛି । ଏପରିକି ବିଗତ ଦିନରେ ସ୍କୁଲ କବାଟ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି  ।  ମଦ୍ୟପମାନେ ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ରହି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି  ।  ବହୁ ସମୟରେ ବିଦ୍ୟାଳୟ ପରିସରରେ ମଦ୍ୟପଙ୍କ ଭିଡ ଦେଖିବାକୁ ମିଳିଛି ଓ ଜୁଆଡିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସ୍କୁଲର ସୁରକ୍ଷା ଓ ଛାତ୍ରୀଛାତ୍ରଙ୍କ ସମସ୍ତ ଅସୁବିଧାକୁ ଶୀଘ୍ର ପୂରଣ କରିବା ପାଇଁ ଦାବି କରିଛନ୍ତି ଲକ୍ଷ୍ମୀ ନୃସିଂହ କଳାମନ୍ଦିରର ଅଭିଭାବକ ବୃନ୍ଦ । ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ପ୍ରଦାନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସହରର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।