ବିଭାଗର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା : ପାଠପଢା ଛାଡ଼ୁଛନ୍ତି ଶତାଧିକ ଆଦିବାସୀ ଛାତ୍ରଛାତ୍ରୀ

 କାଳିଆପାଣି : କାଳିଆପାଣି ଅଞ୍ଚଳରେ ଶିକ୍ଷାର ବ୍ୟବସ୍ଥା କହିବାକୁ ଗଲେ ଅତି ଚିନ୍ତାଜନକ । ସରକାରୀ ଆବାସିକ ସ୍କୁଲ ଗୁଡିକର ପରିସ୍ଥିତି ଅତି ଦୟନୀୟ । କାଳିଆପାଣି ଖଣି ଅଞ୍ଚଳରେ ବର୍ତମାନ କେବଳ ଦୁଇଟି ଆବାସିକ ସ୍କୁଲ ରହିଛି । ତନ୍ମଧ୍ୟରୁ ରାଁଷୋଳ ପଞ୍ଚାୟତରେ ଥିବା ୧୦୦ଶଯ୍ୟା ବିଶିଷ୍ଟ ବାଳିକା ଆବାସିକ କଲରଙ୍ଗୀଅତା ସ୍କୁଲ ଏବଂ ୪୦୫ଶଯ୍ୟା ବିଶିଷ୍ଟ ଚିଙ୍ଗୁଡ଼ିପାଳ ଗ୍ରାମ ପଂଚାୟତରେ ଥିବା ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ । ଏହି ୨ଟି ଆଶ୍ରମ ସ୍କୁଲରେ କାଳିଆପାଣି ଖଣି ଅଞ୍ଚଳର ଗରିବ ଆଦିବାସୀ, ହରିଜନ ଏବଂ ଜୁଆଙ୍ଗ ତଥା ମାଙ୍କିଡିଆ ଜନଜାତିର ପିଲାମାନେ ରହି ପାଠ ପଢିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଉକ୍ତ ୨ଟି ଆଶ୍ରମରେ ଅଷ୍ଟମ ଶ୍ରେଣୀ ପରେ ଆଉ ପିଲାମାନଙ୍କୁ ରହି ପାଠ ପଢ଼ିବାର ସୁବିଧା ନାହିଁ । କାରଣ ପ୍ରତିବର୍ଷ ଦୁର୍ଗମ ଅଞ୍ଚଳର ଗରିବ ଜୁଆଙ୍ଗ ଜନଜାତିର ଛୋଟ ପିଲାମାନେ ଏଠାରେ ପଢିବା ପାଇଁ ନାମ ଲେଖାଇଥାନ୍ତି । ତେଣୁ ଯେଉଁ ପିଲାମାନେ ଅଷ୍ଟମ ଶ୍ରେଣୀରୁ ଉତୀର୍ଣ୍ଣ ହୋଇ ନବମ ଓ ଦଶମ ଶ୍ରେଣୀରେ ପଢିବା କଥା କେବଳ ସେଇମାନେ ହିଁ ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । କାରଣ ହେଉଛି ଉକ୍ତ ଦୁଇଟି ସ୍କୁଲ ନିକଟରେ ନବମ ଓ ଦଶମ ଶ୍ରେଣୀରେ ରହି ପାଠ ପଢ଼ିବାର ସୁବିଧା ଉପଲବ୍ଧ ନାହିଁ । ଯଦିଓ ଗତ ସରକାରଙ୍କ ଅମଳରେ ଏଥିପାଇଁ କିଛି ପ୍ରୟାସ କରାଯାଇଥିଲା ତେବେ ତାହା କେବଳ ବିଭାଗୀୟ ଯନ୍ତ୍ରୀ ଆଉ ଠିକାଦାରଙ୍କ ପାଇଁ ଉଦିଷ୍ଟ ଥିଲା ଭଳି ଅଭିଯୋଗ ଆସିଛି । କୋଟି କୋଟି ଟଙ୍କାର ବ୍ୟୟ ଅଟକଳରେ ସାରୁଆବିଲି ଠାରେ ଏକ ଶହ ଶଯ୍ୟା ବିଶିଷ୍ଟ ଆଶ୍ରମ ନିର୍ମାଣ ଏବଂ ଦେଗାଁ ଠାରେ ମଧ୍ୟ କୋଟିକୋଟି ଟଙ୍କାର ଆଶ୍ରମ ସ୍କୁଲ ପାଇଁ ନିର୍ମିତ କୋଠା ଏବେ ଭୁତକୋଠି ପାଲଟିବାକୁ ବସିଛି । ଅଥଚ ଶହଶହ ଜୁଆଙ୍ଗ ଜନଜାତି ଏବଂ ଆଦିବାସୀ ପିଲା ଅଧାରୁ ପଢା ଛାଡିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘ ବର୍ଷର ଶାସନ କାଳ ମଧ୍ୟରେ ଏଅଂଚଳର ଶିକ୍ଷା ବ୍ୟବସ୍ଥାକୁ ଏକରକମ ସ୍ଥାଣୁ କରିବାରେ ଏଠାକାର ଜନପ୍ରତିନିଧି ମାନେ ଦାୟୀ । କାରଣ କେବଳ ଯେ ଚଳିତ ବର୍ଷ ଠାରୁ ଡ୍ରପ ଆଉଟ୍ର ସଂଖ୍ୟା ବଢିଛି ତା ନୁହଁ ଦୀର୍ଘ ୨ଦଶନ୍ଧି ଧରି ଏହି ପ୍ରକ୍ରିୟା ନିରନ୍ତର ଜାରି ରହିଛି । ଜାଣିଶୁଣି ଏହି ସମସ୍ୟା ଦିଗକୁ ରାଜନେତା ମାନେ ବା ପଞ୍ଚାୟତ ସ୍ଥରୀୟ ନେତାମାନେ ଅଣଦେଖା କରି ଚାଲିଛନ୍ତି । ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଗତ ୧୦ ବର୍ଷ ମଧ୍ୟରେ କେବଳ ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ଉତ୍ତମମାନର ଶିକ୍ଷା ପାଉଛନ୍ତି ଏବଂ ନବୋଦୟ ସ୍କୁଲ ପାଇଁ ଯୋଗ୍ୟତା ଅର୍ଜନ କରି ପାରିଛନ୍ତି । କିନ୍ତୁ କାଳିଆପାଣି ଅଞ୍ଚଳକୁ ଜାଣିବୁଝା ଶିକ୍ଷା ବିଭାଗ ଏବଂ ପୂର୍ବ ସରକାରର ଜନପ୍ରତିନିଧି ମାନେ ଅଣଦେଖା କରିଛନ୍ତି ଯାହାର ପରିଣାମ ଏବେ ସାମ୍ନାକୁ ଆସିଛି । ହେଲେ ଏସଂପର୍କରେ ବିଭାଗ ଠାରୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ଅବଗତ ଥିଲେ ବି କୈାଣସି ପ୍ରତିକାର ବ୍ୟବସ୍ଥା କରାଯାଉନି । ଅଭିଯୋଗ ହେଉଛି ସତ ତାହା କିନ୍ତୁ ଫାଇଲ ତଳେ ଚାପି ହେଇଯାଉଛି । ଯେତେ ବେଳେ କି ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁ ଚର୍ଚିିତ ନଗଡ଼ା ହେଉ କି ଗୁହିଆଶାଳ ଭଳି ଅଞ୍ଚଳରୁ ସଂଖ୍ୟା କିଛି କମ ନାହିଁ । ସରକାର ଡ଼୍ରପ-ଆଉଟ୍କୁ ରୋକିବା ପାଇଁ ଘରକୁ ଘର ଯାଇ ପିଲା ଏବଂ ଅଭିଭାବକଙ୍କୁ ବୁଝାଉଥିବା ବେଳେ ଖଣି ଅଞ୍ଚଳରେ ଲାଗିରହିଥିବା ବର୍ଷବର୍ଷର ଅବ୍ୟବସ୍ଥା ପ୍ରତି ଅଣ ଦେଖା କରିଚାଲିଛନ୍ତି କାହିଁକି ? । ରାଜ୍ୟ ସରକାରଙ୍କ ଦୃଷ୍ଟି କେବେ ପଡ଼ୁଛି, ତାହା କେବଳ ଦେଖିବାର ଅଛି ।