ବିହନ ଓ ସାର ଦୋକାନରେ ଚଢ଼ଉ

 ନବରଙ୍ଗପୁର : ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ନିଦେ୍ର୍ଦଶାନୁସାରେ ଜିଲ୍ଲାସ୍ତରୀୟ ନିରୀକ୍ଷଣ ଟିମ୍ ତେନ୍ତୁଳୀଖୁଣ୍ଟି ବ୍ଲକର ବିଭିନ୍ନ ବିହନ ଓ ସାର ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ନିରୀକ୍ଷଣରେ ସର୍ବମୋଟ ୧୦ଟି ସାର ଓ ବିହନ ବ୍ୟବସାୟୀଙ୍କ ଦୋକାନ ଯାଞ୍ଚ କରାଯାଇଥିଲା । ଏହା ମଧ୍ୟରୁ ୫ଟିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ ୩ଟିକୁ ସାର ବିକ୍ରି ବନ୍ଦ କରିବାକୁ ଓ ୨ଟି ବିହନ ଦୋକାନକୁ ଜବତ କରିବା ପାଇଁ ଚିଠି କରାଯାଇଥିବା ଜଣାପଡିଛି । ଜବତ ହୋଇଥିବା ୨ଜଣ ହେଲେ ଝାନ୍ସୀ ରାଣୀ ଟ୍ରେଡର୍ସ ବ୍ୟବସାୟୀ କେ ଶ୍ରୀକାନ୍ତ ଯାହା ପାଖରୁ ଶଙ୍କର ଜାତୀୟ ମକାର ୧୬ ବ୍ୟାଗ ଓ ଧାନ ୬୨ ବ୍ୟାଗ ଜବତ ହୋଇଥିଲା । ଯାହାର ମାର୍କେଟ ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ଏବଂ ଅନ୍ୟ ଜଣେ ହେଲେ ଜେ କେ ଟ୍ରେଡର୍ସ । ଯାହାର ବ୍ୟବସାୟୀ ବାବୁଲିଜୈନଙ୍କ ପାଖରୁ ଶଙ୍କର କିସମ ମକା ୫୪ ବ୍ୟାଗ ଓ ଧାନ ୧୦ ବ୍ୟାଗ ଜବତ କରାଯାଇଛି । ଯାହାର ମୂଲ୍ୟ ପାଖାପାଖି ୯ ଲକ୍ଷ ଟଙ୍କା ଅଟେ । ଉକ୍ତ ଚଢ଼ଉକୁ ନେଇ ସମସ୍ତ ବିହନ ବେପାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।  ଏହି ଚଢ଼ଉରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ, ଅତିରିକ୍ତ ତହସିଲଦାର ସିମାଞ୍ଚଳ ପାତ୍ର, କୃଷି ଜିଲ୍ଲା ଅଧିକାରୀ ଅନିଳ କୁମାର ପ୍ରହରାଜ, କୃଷି ଅଧିକାରୀ ଅମିତ କୁମାର ମଲ୍ଲିକ, ବିହନ ନିରୀକ୍ଷକ ବରୁଣ ଧନପଲ ପ୍ରମୁଖ ସାମିଲ ହୋଇଥିଲେ ।