ବେଳାଭୂମିରେ ଅଲିଭ ରିଡ୍ଲେ ଶାବକଙ୍କ ଗହଳି

 କାକଟପୁର : ସମୁଦ୍ର ଉପରେ ସିନ୍ଦୁରା ଫାଟି ସୂର୍ଯ୍ୟଙ୍କ କିରଣ ସମୁଦ୍ରର ଜଳରାଶିକୁ ରଙ୍ଗୀନ କରୁଥିବା ବେଳେ ଅସ୍ତରଙ୍ଗ ସମୁଦ୍ର କୂଳରେ ହଜାର ହଜାର ସଂଖ୍ୟାରେ ଶିଶୁ କଇଁଛ ମାନେ ଅଣ୍ଡାରୁ ବାହାରି ଏବେ ସମୁଦ୍ର ମୁହାଁ ହେଉଛନ୍ତି  । ଅସ୍ତରଙ୍ଗ ଦେବୀ ମୁହାଣରେ ହଜାର ହଜାର ଅଲିଭ ରିଡ୍ଲେ ଶିଶୁ ଶାବକ  । ଯାହାର ଦୃଶ୍ୟ ପ୍ରକୃତିପ୍ରେମୀଙ୍କୁ ବେଶ ଆକର୍ଷିତ କରିଛି । ଅଲିଭ ରିଡ୍ଲେ କଇଁଛ ଭାରତ ମହାସାଗରର ଗଭୀର ଜଳରାଶିରେ ବାସ କରିଥାନ୍ତି  । ବର୍ଷ ସାରା ଏମାନଙ୍କ ଦେଖା ନ ଥିବା ବେଳେ, ଏହି କଇଁଛଙ୍କର ମିଳନ ସମୟରେ ଏମାନେ ପୃଥିବୀର ପାଞ୍ଚଟି ସ୍ଥାନକୁ ଚିହ୍ନଟ କରିଥାନ୍ତି । ଏହି ପାଞ୍ଚଟି ସ୍ଥାନ ମଧ୍ୟରୁ ଓଡିଶା ସାମୁଦ୍ରିକ ଉପକୂଳ ମଧ୍ୟରେ ତିନୋଟି ସ୍ଥାନ ରହିଛ । ସେଗୁଡିକ ମଧ୍ୟରେ ଗହୀରମଥା, ଋଷିକୂଲ୍ୟା ଏବଂ ଅସ୍ତରଙ୍ଗ ଅଞ୍ଚଳର ଦେବିମୁହାଣ ଅଞ୍ଚଳ ଅନ୍ୟତମ । ମିଳନ ସମୟ ଆରମ୍ଭ ହେବାକ୍ଷଣି ଏହି ବିରଳ ଅଲିଭ ରିଡ଼ଲେ କଇଁଛ ହଜାର ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ଓଡିଶାର ଗହୀରମଥା, ଋଷିକୁଲ୍ୟା ଏବଂ ଅସ୍ତରଙ୍ଗର ଦେବୀ ମୁହାଣ ଅଞ୍ଚଳକୁ ଅଣ୍ଡାଦାନ କରିବା ପାଇଁ ଆସିଥାନ୍ତି । ନଭେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ସେମାନଙ୍କର ମିଳନ ପ୍ରକ୍ରିୟା ସଂଗଠିତ କରିଥାନ୍ତି । ଆଉ ଏହାର ୫୦ ଦିନରୁ ୬୦ ଦିନ ମଧ୍ୟରେ ମାଈ ଅଲିଭ ରିଡ଼ଲେ କଇଁଛ ମାନେ ସମୁଦ୍ର ଉପକୂଳରେ ଥିବା ବାଲୁକା ରାଶିକୁ ଆସି ଅଣ୍ଡାଦାନ କରି ପୁଣି ସମୁଦ୍ର ମଧ୍ୟକୁ ଚାଲିଯାଇଥାନ୍ତି । ସେହି ଅଣ୍ଡାକୁ ବନ କର୍ମଚାରୀମାନେ ସଂଗ୍ରହ କରି ବନବିଭାଗ ଦ୍ୱାରା କରାଯାଇଥିବା ଅସ୍ଥାୟୀ ହାଚେରିରେ ସୁରକ୍ଷିତ ରଖିଥାନ୍ତି  । ଏହି ଅଣ୍ଡା ମଧ୍ୟରୁ ୪୫ ଦିନରୁ ୫୦ ଦିନ ମଧ୍ୟରେ ଶିଶୁ ସାବକ ଜନ୍ମନେଇ ବାଲି ଭିତରୁ ବାହାରକୁ ଆସିଥାଏ । ଯାହାର ଦୃଶ୍ୟ ଖୁବ ମନଲୋଭା  । ଅସ୍ତରଙ୍ଗର ଜାହାନିଆ ବେଳାଭୂମି ଠାରେ ଅଲିଭ ରିଡ଼ଲେ କଇଁଛମାନଙ୍କ ଅଣ୍ଡାରୁ ଛୁଆ ବାହାରିବା ଆରମ୍ଭ ହୋଇଛି । ବାଲୁକା ରାଶିରେ ଗର୍ତ୍ତ କରାଯାଇ ସେଥିରେ ଅଣ୍ଡା ଗୁଡିକୁ ରଖାଯାଇଥିବା ବେଳେ ସେହି ବାଲୁକା ରାଶିକୁ ଫୁଟାଇ କୁନି କୁନି ସାବକମାନେ ପଦାକୁ ବାହାରି ଆସୁଥିବାର ଚିତ୍ର ବେଶ୍ ମନଲୋଭା । ଚଳିତ ବର୍ଷ ଅସ୍ତରଙ୍ଗ ବନାଞ୍ଚଳ ପକ୍ଷରୁ ମୋଟ ଚାରୋଟି ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ, ୫୯୪ ଟି କଇଁଛ ବସାରୁ ୬୭,୧୯୨ ଟି ଅଣ୍ଡା ସଂଗ୍ରହ କରାଯାଇଥିବା ବେଳେ, ୪୮୪ ଟି ବସାରୁ ୩୧,୪୬୭ ଟି ଅଲିଭ ରିଡ଼ଲେ ଶିଶୁ ସାବକଙ୍କୁ ସମୁଦ୍ରରେ ଛଡାଯାଇଛି ।