ବ୍ୟାଙ୍କରୁ ଠକେଇ; ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କଲା ଇଓଡବ୍ଲୁ୍ୟ
ଭୁବନେଶ୍ୱର,୭ା୧୨ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବାଲେଶ୍ୱର ବ୍ରାଞ୍ଚରୁ ଚଞ୍ଚକତା କରି ୧ କୋଟି ୨୩ ଲକ୍ଷ ୧୨ ହଜାର ୨ଶହ ୩୬ ଟଙ୍କା ଅତ୍ମସାତ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) ପଶ୍ଚିମବଙ୍ଗର ବର୍ଦ୍ଧନ ଅଞ୍ଚଳରୁ ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି । ଗିରଫ ପୂର୍ବତନ ବ୍ୟାଙ୍କ ଅଧିକାରୀ ଜଣଙ୍କ ହେଉଛନ୍ତି ବିନୟ ସୋନକର । ଏହି ଟଙ୍କା ଆତ୍ମସାତ ନେଇ ପିଏନ୍ବିର ବାଲେଶ୍ୱର ବ୍ରାଞ୍ଚର ଚିଫ୍ ମ୍ୟାନେଜର ମୃର୍ଣ୍ଣାଲକାନ୍ତି ମହାନ୍ତି ଇଓଡବ୍ଲୁ୍ୟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଇଓଡବ୍ଲୁ୍ୟରେ ଏନେଇ ମାମଲା ରୁଜୁ କରାଯିବା ସହ ବିନୟଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଗିରଫ ବିନୟ ପିଏନ୍ବିର ସର୍କଲ ବ୍ରାଞ୍ଚରେ ପୂର୍ବତନ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ବେଆଇନ ଭାବେ ୧ କୋଟି ୨୩ ଲକ୍ଷ ୧୨ ହଜାର ୨ଶହ ୩୬ ଟଙ୍କାକୁ ଋଣ ବାବଦରେ ବେଆଇନ ଭାବେ ମଞ୍ଜୁର କରିଥିଲେ । ଉକ୍ତ ଟଙ୍କାକୁ ବିନୟ ବିଭିନ୍ନ ବେଆଇନ ଆକାଉଣ୍ଟରେ ନିବେଶ କରିଥିଲେ । ୨୦୨୦ ମସିହା ଅଗଷ୍ଟ ମାସରୁ ୨୦୨୨ ଜୁନ ମାସ ପର୍ଯ୍ୟନ୍ତ ବିନୟ ଊକ୍ତ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟ କରିବା ସହ ନିଜ ପଦବୀର ଅପବ୍ୟବହାର କରି ଏପରି ଟଙ୍କା ଆତ୍ମସାତ କରିଥିବା ଇଓଡବ୍ଲୁ୍ୟ ଅଧିକାରୀମାନେ ତଦନ୍ତ ବେଳେ ଜାଣିବାକୁ ପାଇଛନ୍ତି । ଏହିି ଟଙ୍କା ଆତ୍ମସାତ କରିବା ପରେ ବିନୟଙ୍କୁ ପଶ୍ଚିମବଙ୍ଗର ହୁଗୁଲି ବ୍ରାଞ୍ଚକୁ ବଦଳି କରାଯାଇଥିଲା । ସେଠାରେ ମଧ୍ୟ ସେ ୮୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି । ଶନିବାର ବିନୟଙ୍କୁ ଗିରଫ କରାଯିବା ପରେ ତାଙ୍କୁ ପ୍ରଥମେ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଟ୍ରାନଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି ।