ବ୍ୟାସନଗରବାସୀ ପିଉଛନ୍ତି ଦୂଷିତ ପାଣ
ବ୍ୟାସନଗର: ଝାଡ଼ାବାନ୍ତି କାହିଁକି ବ୍ୟାପିଲା, ତାର ଖୋଳତାଡ଼ ହେଉଛି । କିଏ କହୁଛି, ଭୋଜିଖାଇ ତ କିଏ କହୁଛି ପାଣି ପାଇଁ । ଆଉ କିଏ କହୁଛି ପାଣିପାଗ ପାଇଁ । ପ୍ରକୃତରେ ଝାଡ଼ାବାନ୍ତି କ’ଣ ପାଇଁ ବ୍ୟାପିଲା, ତାହା ଅନୁସନ୍ଧାନ ସାପେକ୍ଷ । କିନ୍ତୁ ଯେତେ ବେଳେ ପାଣି କଥା ଆସୁଛି, ସେତେ ବେଳେ ଏହାକୁ ଅସ୍ୱିକାର କରାଯାଇପାରିନି । ଯେତେ ବେଳେ ପାଣିକଥା ଆସୁଛି, ଯେତେ ବେଳେ ବ୍ୟାସନଗରବାସୀ ପକୃତରେ କି ପ୍ରକାର ପାଣି ପିଉଛନ୍ତି, ତାହା ଜିଲାପାଳଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଅବଗତ ହେବାର ଆବଶ୍ୟକତା ରହିଛି । ବ୍ୟାସନଗରବାସୀ ଶୁଦ୍ଧ ନୁହେଁ ଅସୁଦ୍ଧ ପାଣି ପିଉଛନ୍ତି । ସ୍ପଷ୍ଟ ଭାବେ କହିବାକୁ ଗଲେ ଅଧେ ନଗରବାସୀଙ୍କୁ ଡ଼୍ରେନ ପାଣି ଜନସ୍ୱାସ୍ଥ୍ୟ ବିଭାଗ ଯୋଗାଇ ଦେଉଛି । ଏକଥା ଯେ ଏଠାରେ କାର୍ଯ୍ୟ କରୁଥିବା ୱାଟକୋ ଅଧିକାରୀ ଅବଗତ ନାହାନ୍ତି, ତାହା ନୁହେଁ ଅଭିଯୋଗ ପରେ ବି ସତ କଥାକୁ ଏଡ଼େଇ ଯାଉଛନ୍ତି । ବିଭାଗ ପକ୍ଷରୁ ସକାଳୁ ସଂଜ ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାଣି କେତେ ସ୍ୱଚ୍ଛ ଆମକୁ ହସ୍ତଗତ ହୋଇଥିବା ଫଟୋ ହିଁ ତାହାର ପ୍ରମାଣ । ଯୋଗାଣ ହଉଥିବା ପାଣି ଟ୍ୟାପ୍ରେ କପଡ଼ା ବାନ୍ଧି ଛାଣି ସଂଗ୍ରହ ନକଲେ ତାହା ବ୍ୟବହାର ଯୋଗ୍ୟ ହେଉନି । ଟ୍ୟାପରୁ ସିଧା ପାଣିସଂଗ୍ରହ କଲେ ସେଥିରେ ନେଲି ସହ ବାଲି ଏବଂ ଅନ୍ୟାନ୍ୟ ଅସନା ବାହାରୁଛି । ସମୟେ ସମୟେ କଳାପାଣି ମଧ୍ୟ ବାହାରୁଛି । ଏଭଳି ଅବସ୍ଥା ବର୍ଷାଧିକ ସମୟ ଧରି ଚାଲିଆସୁଛି । ଜନସ୍ୱାସ୍ଥ୍ୟ ଯୋଗାଣ ପାଣି ବ୍ୟବହାର କରୁଥିବା ଖାଉଟି ୱାଟକୋ ଅଧିକାରୀ ଏବଂ କାର୍ଯ୍ୟାଳୟରେ ଯାଇ ଅଭିଯୋଗ କଲେ କିଛି ଫରକ ପଡ଼ୁନି । ଅଭିଯୋଗକୁ ଶୁଣିବା ପରେ ଅଧିକାରୀ ଠିକ ହୋଇଯିବାର ପ୍ରତିଶ୍ରୁତି ଦେଇ ଚୁପ ବସୁଛନ୍ତି । ବାରମ୍ବାର ଅଭିଯୋଗ ପରେ ଖାଉଟି ନିରାଶ ହୋଇ ନିରବ ହେଇବସିବାକୁ ବାଧ୍ୟ ହେଉଛନ୍ତି । ଯାଜପୁର ରୋଡ଼ ବସଷ୍ଟାଣ୍ଡ ଅଂଚଳ ହେଉ କି ରାଇସ ମିଲ ଅଞ୍ଚଳକୁ ଯୋଗାଣ ହେଉଥିବା ପାଣିକୁ ଆଖିରେ ଦେଖିଲା ପରେ କେହିବି ବ୍ୟବହାର କରିବାକୁ ଆଗ୍ରହ କରିବନି । କିନ୍ତ ପରିସ୍ଥିତିରେ ପଡ଼ି ଖାଉଟି ପାଣି ବ୍ୟବହାର କରୁଛନ୍ତି । ନିକଟରେ ବସଷ୍ଟାଣ୍ଡର ଜଣେ ବ୍ୟବସାୟୀ ବୋତଲରେ ପାଣି ସଂଗ୍ରହ କରୁଥିବା ବେଳେ ବିଣ୍ଡା ବିଣ୍ଡା ନେଳି ବାହାରିଥିଲା । ବ୍ୟବସାୟୀ ଜଣକ ବୋତଲ ଧରି ଯିବା ପରେ ଏହା ଜାଣିବାକୁ ପାଇଥିଲେ । ପାଣି ଭିତରୁ ନେଳିକୁ ହାତରେ ଉଠାଇ ପ୍ରଦର୍ଶନ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କ କହିବା କଥା ଥିଲା ବସଷ୍ଟାଣ୍ଡ ଅଞ୍ଚଳରେ ନିୟମିତ ପାଣି ଆସୁନଥିବା ବେଳେ ଯେତେ ବେଳେ ବି ପାଣି ଆସୁଛି ତାହା ଦୁର୍ଗନ୍ଧପୂର୍ଣ୍ଣ ଏବଂ ଅସନା ଆସୁଛି । ଯେଉଁ ପାଣିକୁ ବ୍ୟବସାୟୀ ସଂଗ୍ରହ କରି ଗ୍ରାହକଙ୍କୁ ପିଇବାକୁ ଦେଇଥାନ୍ତି । ଏଣୁ ପ୍ରତ୍ୟେକ ଦିନ କେତେ ଶହ ଗ୍ରାହକ ଅସନା ପାଣି ପଇଥାନ୍ତି ଅନୁମାନ କରାଯାଇପାରେ । ପୈାରାଞ୍ଚଳ ରାଇସମିଲ ପରିସରରେ ଥିବା ପମ୍ପରୁ ଯୋଗାଇ ଦିଆଯାଉଥିବା ପାଣି ଅବସ୍ଥା ନକହିବା ଭଲି । ଏଠାରୁ ଯୋଗାଇ ଦିଆଯାଉଥିବା ପାଣି ଅଧିକାଂଶ ସମୟରେ କଳା ରଙ୍ଗର ଆସିଥାଏ । ଯେମିତି କେଉଁ ଡ଼୍ରେନର ପାଣି । ବାଲି ସାଙ୍ଗକୁ ନେଳି, ତା ସାଙ୍ଗକୁ ଗୁଣ୍ଡ ଟ୍ୟାପ ଖୋଲିଲେ ବାହାରିଥାଏ । ଏଣୁ ଅନେକ ଭୟରେ ପାଣି କିଣି ବ୍ୟବହାର କରୁଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ହୋଇଥିବା ପାଇପ୍ ସଂଯୋଗ ସ୍ଥଳଟି ଆବର୍ଜନାରେ ବୁଡ଼ି ରହିବା ପରେ ସେହି ପାଣି ପାଇପ୍ରେ ପ୍ରବେଶ କରୁଛି । ୨୬ୱାର୍ଡ଼ରୁ ଅଧାଅଧି ୱାର୍ଡ଼ରେ ଶୁଦ୍ଧ ପାଣି ମିଳିବା କାଠିକର ବ୍ୟପାର ହୋଇପଡ଼ିଥିବା ବେଳେ ବିଭାଗ ୨୪ଘଣ୍ଟିଆ ସେବା ଯୋଗାଇ ଦେବାର ପ୍ରଚାର କରି ବାହାବାହା ନେବାକୁ ଲାଗିଛି । ଯଦି କହିବା ପାଣି ଭଳି ମୈାଳିକ ଆବଶ୍ୟକତା ପୂରଣ କରିବାକୁ ଅସମର୍ଥ ହେବାରେ ଲଗିଛି । ୱାଟକୋ ସତକୁ ଲୁଚାଇବାକୁ ବ୍ଲିଚିଂ ପକାଇ ଗୋଟେ ପଟେ ନିଜର କାମ ସାରି ଦେଉଥିବା ବେଳେ ଅନ୍ୟପଟେ ଅଧିକାରୀ ଲକ୍ଷଲକ୍ଷ ଟଙ୍କା ହେରାଫେରି କରୁଥିବାର ଅଭିଯୋଗ ହେଉଛି । ଖାଉଟିଙ୍କୁ ଡ଼୍ରେନ ପାଣି ଯୋଗାଇ ରୋଗାନ୍ତ୍ରାନ୍ତ କରିବାକୁ ପଛାଉ ନ ଥିବା ବିଭାଗର ଅସଲ ମୁଖା ଖୋଲିବାକୁ ଜିଲ୍ଲାପାଳ ସତ ତଲାସିବାକୁ ଦାବି କରାଯାଇଛି । ଅନ୍ୟପକ୍ଷରେ ଏବେଠାରୁ ସାବଧାନ ନହେଲେ ଆଗକୁ ପଣି ଜନୀତ ରୋଗ ବ୍ୟାସନଗରରେ କାୟା ବିସ୍ଥାରିବାକୁ ଏଡ଼ାଇ ଦିଆଯାଇପାରିବନି ।