ଭତ୍ତା ପାଇବାରେ ବାଧକ ଆଧାରକାର୍ଡ!
ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ସୁହାଗପୁର ପଞ୍ଚାୟତର ଗୌଡ଼ମୁଣ୍ଡଳି ଗ୍ରାମର ଅନୁସୂଚିତ ଜାତି ବର୍ଗର ବୃଦ୍ଧ ଦାଶରଥି ପାତ୍ରଙ୍କ ପୁଅ ଗାଲୁ ପାତ୍ର (୩୬) ଖନ୍ତାପଡ଼ା ନିକଟରେ ୨ ବର୍ଷ ପୂର୍ବରୁ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ । ଫଳରେ ସେହିଦିନ ଠାରୁ ତାଙ୍କର ଗୋଡ ୨ଟି ଥାଇ ମଧ୍ୟ ତାହା ଅଚଳ ହୋଇପଡ଼ିଛି । ଅର୍ଥାଭାବରୁ ସେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚôତ ହୋଇ ଆଜି ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଟ୍ରେନରୁ ଖସି ପଡିବାରେ ତାଙ୍କ ନିକଟରେ ଥିବା ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହ ଅତ୍ୟାବଶ୍ୟକ ଆଧାରକାର୍ଡ ମଧ୍ୟ ହରାଇ ଏବେ ଏକ ପ୍ରକାର ସରକାରଙ୍କ ସାବତ ପୁଅ ହୋଇ ପଡ଼ିବା ଦେଖାଯାଉଛି । ଆଧାର କାର୍ଡ ପାଖରେ ନ ଥିବାରୁ ସେ ଦିବ୍ୟାଙ୍ଗ ଭତ୍ତା ଏବେ ସୁଦ୍ଧା ପାଇ ପାରିନାହାନ୍ତି । ଏପରିକି ରାସନ ସାମଗ୍ରୀ ତଥା ଚାଉଳ ମଧ୍ୟ ପାଉ ନଥିବା କହୁଛନ୍ତି । ବୃଦ୍ଧ ବାପାମା’ଙ୍କ ପାଖରେ ସେ ବୋଝ ପାଲଟିଛନ୍ତି । ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ଦ୍ୱାରା ପଞ୍ଚାୟତ ପକ୍ଷରୁ ତାଙ୍କୁ ଏକ ହ୍ୱିଲ ଚେୟାର ଯୋଗାଇ ଦିଆଯାଇଛି । ଏଥିରେ ସେ ନିକଟସ୍ଥ ଗ୍ରାମ ସହିତ କେତେକ ମେଳାରେ ପହଞ୍ଚô ବାଧ୍ୟ ହୋଇ ଭିକ୍ଷା ବୃତ୍ତି କରୁଥିବା ଦେଖାଯାଉଛି । ତାଙ୍କୁ ସରକାରୀ ଯୋଜନା ଅନୁସାରେ ଏକ ତିନି ଚକିଆ ସାଇକେଲ ଯୋଗାଇ ଦେବା ସହ ଦିବ୍ୟାଙ୍ଗ ଭତ୍ତା ଏବଂ ରାସନ ଚାଉଳ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି । କେବଳ ସେ ବଡ଼ସାହିରେ ଅନୁଷ୍ଠିତ ଭିନ୍ନକ୍ଷମ ଶିବିରରୁ ମାତ୍ର ୪୦ ଶତକଡା ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଥିବା ଦେଖାଉଛନ୍ତି, ଯାହାକି ଏବେ ସୁଦ୍ଧା କୌଣସି କାମରେ ଲାଗୁନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି । ପୂର୍ବରୁ ସେ ବସ୍ରେ ହେଲପର ଭାବେ କାମ କରି ବୃଦ୍ଧବାପାମା’ଙ୍କ ପେଟ ପୋଷୁଥିଲେ । ଏବେ ସେ କିପରି ନିଜେ ପେଟ ପୋଷିବେ, ସେହି ଚିନ୍ତା ତାଙ୍କୁ ଘାରୁଛି ବୋଲି କହିଛନ୍ତି । ତେଣୁ ଏଥିପ୍ରତି ବ୍ଲକ୍ ପ୍ରଶାସନ ଦୃଷ୍ଟି ସହାୟତା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।