ଉମା ଶଙ୍କର ପ୍ରସାଦ:
ଚିନ୍ମୟ ଚିଦ୍ଘନ ରସମୟ କୃଷ୍ଣ, ଆନନ୍ଦରୂପିଣୀ ରାଧାଙ୍କର ଚରିତ୍ର ହିଁ ଭାଗବତ, ‘କୃଷ୍ଣତୁ ଭଗବାନ ସ୍ୱୟଂ’ କୃଷ୍ଣହିଁ ଭଗବାନ, ଶ୍ରୀକୃଷ୍ଣ ଭାଗବତର ନାୟକ, ଦ୍ୱାଦଶ ସ୍କନ୍ଧ ଭାଗବତ ଆମୂଳ ଚୂଳ ପର୍ଯ୍ୟନ୍ତ କୃଷ୍ଣ ଚରିତ୍ର ହିଁ ଆଲୋଚ୍ୟର ବିଷୟବସ୍ତୁ । ତାଙ୍କ ଗୁଣ କୀର୍ତ୍ତନରେ ଶୁକଦେବ ଯେପରି ନିଜକୁ ଭୁଲିଯାଇଛନ୍ତି, ପରୀକ୍ଷିତ ମଧ୍ୟ ସେହିପରି ଭାବବିହ୍ୱଳ ହୋଇ କୃଷ୍ଣ ଚରିତ ସୁଧା ପାନ କରିଛନ୍ତି । ଗୋପୀନାଥ କୃଷ୍ଣ ବା ଗୋପୀବଲ୍ଲଭ କୃଷ୍ଣ ପୁରାଣ ପୃଷ୍ଠା ମଣ୍ଡନ କରି ସାରଳାଦାସଙ୍କ ମହାଭାରତରେ ବାସୁଦେବ କୃଷ୍ଣ ରୂପେ ଆବିର୍ଭାବ ହେଲେ । ଯାହା ଇତିହାସ ପୃଷ୍ଠା ମଣ୍ଡନ କରେ ଉତ୍ତର ଭାରତର କୃଷ୍ଣ ଓ ଦକ୍ଷିଣ ଭାରତର କୃଷ୍ଣ ଏକ ନୁହନ୍ତି । ମାତ୍ର ଭାଗବତରେ ଉଭୟ କୃଷ୍ଣଙ୍କର ଚରିତ୍ରରେ ସମନ୍ୱୟ ଘଟଛି । ବାସୁଦେବ କୃଷ୍ଣ ଓ ଗୋପୀବଲ୍ଲଭ କୃଷ୍ଣଙ୍କର ଯାବତୀୟ ଗୁଣାବଳୀ ପ୍ରକାଶ ପାଇଛି ଜଗନ୍ନାଥ ଦାସଙ୍କ କୃଷ୍ଣ ଚରିତ୍ରରେ । କେତେବେଳେ କଂସ ବନ୍ଧୀଶାଳାରୁ ରାତ୍ରୀର ଘନଅନ୍ଧକାରରେ ସେ ଆସି ପହଞ୍ଚô ଯାଇଛନ୍ତି ଗୋପରେ, କେତେବେଳେ ଗୋବର୍ଦ୍ଧନ ଧାରଣ କରିଛନ୍ତି, କେତେବେଳେ କାଳୀୟ ଦର୍ପକୁ ଦଳନ କରିଛନ୍ତି ଏବଂ କେତେବେଳେ ରାସକ୍ରୀଡା କରିଛନ୍ତି । ଜଣେ ଦକ୍ଷିଣ ନାୟକ ଭାବରେ ଗୋପପୁରରେ ଅନେକ ଅଭିସାରିକାଙ୍କୁ ଭେଟିଛନ୍ତି । ଜଣେ କୃଷ୍ଣ କ୍ଷତି୍ରୟ, ଜଣେ କୃଷ୍ଣ ଗୋପାଳ, ଜଣେ କୃଷ୍ଣ ସଂସ୍କାରକ ଓ ଆଉ ଜଣେ କୃଷ୍ଣ ଗୋପୀବଲ୍ଲଭ ପ୍ରେମିକ । ଏ ସମସ୍ତ ଗୁଣର କୃଷ୍ଣଙ୍କୁ ମିଶାଇ ଜଗନ୍ନାଥ ଦାସ ସଂସ୍କୃତ ଭାଗବତ ଅନୁବାଦ କଲାବେଳେ ଏକ ଓ ଅନେକ ଏବଂ ଅନେକ ଓ ଏକ କୃଷ୍ଣଙ୍କୁ ମିଶାଇ ଦେଲେ, ଏଠାରେ ଜଗନ୍ନାଥ ପରମବ୍ରହ୍ମ ଅଦ୍ୱୈତ ଷୋଳ କଳାରେ ପରିପୂର୍ଣ୍ଣ ପୂର୍ଣ୍ଣବ୍ରହ୍ମ “ ତହୁଁ କଳାଏ ନନ୍ଦବଳା” ହେଲାବେଳେ ସେ ଦ୍ୱୈତ ହୋଇଗଲେ । ‘କଳାକୁ ଷୋଳ କଳା କରି, ଗୋପେ ବିହରେ ନରହରି’, ହିଁ ଦ୍ୱୈତା-ଦୈତବାଦର ସୂଚନା ଦିଏ । ଏଠାରେ ଜୀବ ପରମ ଓ ଗୋପୀମାନେ ଦ୍ୱୈତା ଦ୍ୱୈତବାଦକୁ ପ୍ରତିଷ୍ଠା କରନ୍ତି ।
ଭାଗବତକୁ ଯଦି ପର୍ଯ୍ୟାଲୋଚନା କରାଯାଏ, ତେବେ ଏହା ସ୍ପଷ୍ଟ ଅନୁମେୟ ହୁଏ ଯେ, ଭାଗବତର କୃଷ୍ଣ ଶୃଙ୍ଗାର ମୂର୍ତ୍ତି । ତାହା ହୋଇନଥିଲେ “ଗୋପୀଏ ଶୁଣି ବେଣୁ ଗୀତ, ଅନଙ୍ଗ ବାଣରେ ମୂର୍ଚ୍ଛିତ” ହୋଇ ନଥାନ୍ତେ । ଗୋପରେ ଗୋପାଳବାଳକ ମେଳରେ ସେ ପ୍ରଣୟର ମଧୁ ·ଖିବାକୁ କୈଶୋରରୁ ଉଦ୍ବିଗ୍ନ ହୋଇ ଉଠିଛନ୍ତି । ଭକ୍ତି ରସାତ୍ମକ କବି ଦୀନକୃଷ୍ଣ ରସ କଲ୍ଲୋଳରେ ଲେଖିଛନ୍ତି
“କାଳନ୍ଦୀ କୂଳିୟା କଦମ୍ବ ମୂଳିୟା
କାଇଁଚ ମାଳିଆ ପାଦେ
କୃଷ୍ଣଦାସ ମନ ବଚନ କର୍ତ୍ତବ୍ୟ
ରଖିଅଛି ଅପ୍ରମାଦେ”
ସେହିଭଳି ଗୋପୀଙ୍କ ପ୍ରାଣରେ କୃଷ୍ଣଙ୍କର ଫୁଲମାଳିୟା, ଜାମୁଡାଳିୟା, ମୟୁରଚୂଳିୟା ବେଶ ସବୁ ଶିହରଣ ଆଣିଛି । ଶୃଙ୍ଗାର ଚିନ୍ତା ଭରିଦେଇଛି । ବାଣୀରେ, ବଂଶୀରେ, ·ଲିରେ ହାବଭାବରେ କୃଷ୍ଣ ମୋହିଛନ୍ତି ଗୋପାଙ୍ଗନାମାନଙ୍କୁ । ତାଙ୍କର ରୂପ ସୌନ୍ଦର୍ଯ୍ୟ ଗୋପୀମାନଙ୍କ ହୃଦୟରେ ଐଶ୍ୱରିକ ପ୍ରେମର ଫଲଗୁ ଧାରା ପ୍ରବାହିତ କରିଛି । ସବୁଜ ଦୂର୍ବାଦଳ ସବୁ ବୈଶାଖର ରୌଦ୍ରତାପରେ ଦଗ୍ଧ ହେଲାପରି ସ୍ନିଗ୍ଧା ଗୋପୀମାନେ କୃଷ୍ଣ ମିଳନ ଚିନ୍ତାରେ ପୋଡ଼ି ମରିଛନ୍ତି । ଗୋପରେ ଯଦିଓ ପୁରୁଷ ଥିଲେ, କିନ୍ତୁ ପୁରୁଷୋତ୍ତମ ନଥିଲେ । ସେହି ପୁରୁଷୋତ୍ତମ ଗୋପୀମାନଙ୍କ ପାଇଁ ସାଜିଛନ୍ତି ଶୃଙ୍ଗାର ମୂର୍ତ୍ତି । ରାସକ୍ରୀଡ଼ା କରି ସେ ରସିକା ଗୋପୀମାନଙ୍କୁ ମୁକ୍ତି ଦେଇଛନ୍ତି । ଭାଗବତରେ କୃଷ୍ଣଙ୍କର କଂସ ବନ୍ଦୀଘରେ ଜନ୍ମ ହେବାର କାହାଣୀ ବକା, ଶକଟା, ତୃଣାବର୍ତ୍ତଙ୍କୁ ହତ୍ୟା କାହାଣୀ ଠାରୁ ଆରମ୍ଭ କରି ବନପୋଡ଼ି, ରୁକ୍ମିଣୀ ହରଣ ଇତ୍ୟାଦି ଯେତେ ଲୀଳାସବୁ ଲୀଳା ପୁରୁଷୋତ୍ତମ କୃଷ୍ଣ କରିଛନ୍ତି ସେଗୁଡ଼ିକ ଭାବୋଦ୍ଧୀପକ ହୋଇପାରି ନାହିଁ । ମାତ୍ର ଗୋପୀମାନଙ୍କର ଗୋପୀବଲ୍ଲଭଙ୍କ ସହ ମିଳନ ପ୍ରସଙ୍ଗ ପ୍ରମୁଖ ପ୍ରସଙ୍ଗ ହୋଇପାରିଛି । ଏହାର କାରଣରେ ଏତିକି କୁହାଯାଇ ପାରେ ଯେ ତ୍ରେତୟାରେ ଯେତେବେଳେ ଦଣ୍ଡକାରଣ୍ୟରେ ଋଷିମାନେ “ନୀଳାମ୍ବୁଜ ଶ୍ୟାମଳ କୋମଳାଙ୍ଗ” ରାମଙ୍କର ରୂପରେ ମୁଗ୍ଧ ହୋଇ ତାଙ୍କୁ ପତି ରୂପରେ ପାଇବାକୁ ମନାସୀ ଥିଲେ, ସେତେବେଳେ ସେ ଦ୍ୱାପରରେ ଜନ୍ମ ହୋଇ ସେହି ଋଷି ରୂପୀ ଗୋପୀମାନଙ୍କର ଆଶା ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଭାଗବତରେ କୃଷ୍ଣ ହିଁ କେବଳ ଶୃଙ୍ଗାର ମୂର୍ତ୍ତି ।
ଗୋପରେ ଗୋପୀନାଥ କୃଷ୍ଣ ଓ ମଥୁରାରେ ବାସୁଦେବ କୃଷ୍ଣ, ଦ୍ୱାରକାରେ ଯୋଗେଶ୍ୱର କୃଷ୍ଣ ରୂପେ ପରିଣତ ହୋଇଛନ୍ତି । ଗୋପୀନାଥ କୃଷ୍ଣ ବହୁନାରୀ ଭୋକ୍ତା ଦକ୍ଷିଣ ନାୟକ ଏବଂ ବାସୁଦେବ କୃଷ୍ଣ ଯୋଦ୍ଧା ଧୀରୋଦାତ୍ତ ନାୟକ । ମାତ୍ର ଯୋଗେଶ୍ୱର କୃଷ୍ଣ, ଗୋପୀନାଥ କୃଷ୍ଣ, ବାସୁଦେବ କୃଷ୍ଣଙ୍କର ଏକ ପରବର୍ତ୍ତୀ ପରିଣତ ରୂପ ଯେଉଁଥିରେ କି ସେ ଦୂରଦ୍ରଷ୍ଟା ଓ ସଂଯତ । ଦ୍ୱାରକାରେ ସେ ଉଦ୍ଧବଙ୍କୁ ଯୋଗର ମହତ୍ତ୍ୱ ବୁଝାଇଲା ବେଳେ ଯୋଗେଶ୍ୱର କୃଷ୍ଣଙ୍କର ଚରିତ୍ରରେ ଲୌକିକତାର ସମ୍ବନ୍ଧ ଦେଖିବାକୁ ମିଳିଥାଏ । ସାଧାରଣ ମଣିଷ ପରି ଗୋରୁ ଚରାଇବା ଓ ଅଭିସାର ରଚନା କରିବା ଲୌକିକ । କିନ୍ତୁ ଗୋରୁଙ୍କୁ ବଂଶୀରେ ଡାକିବା ଓ ଗୋବର୍ଦ୍ଧନ ଧାରଣ କରିବା ଅଲୌକିକ । ଓଡ଼ିଆ ଭାଗବତର କୃଷ୍ଣ ଲୌକିକ ଓ ଅଲୌକିକ ଚରିତ୍ରର ସମନ୍ୱୟ ରୂପ । କୃଷ୍ଣଙ୍କର ମର୍ତ୍ତ୍ୟରେ ଜନ୍ମ ହେବାର ଯେଉଁ ମୁଖ୍ୟ କାରଣ ଥିଲା ତନ୍ମଧ୍ୟରୁ କେବଳ ମୁକ୍ତି ପ୍ରଦାନ କରିବା ହିଁ ଶ୍ରେୟ ବୋଲି ଜଣାପଡ଼େ । ଜୟ ବିଜୟଙ୍କ ମୁକ୍ତି, ଗୋପାଙ୍ଗନାଙ୍କ ମୁକ୍ତି ଓ ବୈରାନୁବନ୍ଧ ଭକ୍ତ କଂସର ମୁକ୍ତି ଏବଂ ଦେବକୀ ବସୁଦେବଙ୍କ କୋଳରେ ପୁତ୍ର ରୂପେ ଜନ୍ମ ହେବାର ପ୍ରତିଶ୍ରୁତି ରକ୍ଷା କରିବା ଇତ୍ୟାଦି । ସାନ୍ଦିପନିଙ୍କ ଆଶ୍ରମରେ ତାଙ୍କ ଶିଷତ୍ୱ ଲାଭ କରି ସେ ·ରି ଦିନରେ ବିଦ୍ୟାଧ୍ୟୟନ କରିଥିଲେ । ତାଙ୍କ ଚରିତ୍ର, ଗୋପଲୀଳା ଓ ଦ୍ୱାରକାଲୀଳା ଭିତରେ ପରିସ୍ଫୁଟ । ଜଗନ୍ନାଥ ଦାସ କହିବାକୁ ଭୁଲି ନାହାନ୍ତି, କୃଷ୍ଣ ହିଁ ପରଂବ୍ରହ୍ମ । ତେଣୁ ତାଙ୍କର ଅବତାର ଦର୍ଶନରେ ପ୍ରତ୍ୟେକ ପ୍ରାଣୀ ସାଲୋକ୍ୟ, ସାଯୋଜ୍ୟ ଓ ସାମୀପ୍ୟ ମୁକ୍ତି ପାଇଥାଏ ।
ଗୋପୀମାନେ କୃଷ୍ଣଙ୍କର ଯେଉଁ ରୂପ ଦେଖୁଥିଲେ ତାହା ବିଶ୍ୱରୂପ ଦର୍ଶନରେ ନଥିଲା କିମ୍ବା ମାତା ଯଶୋଦା କୃଷ୍ଣଙ୍କ ତୁଣ୍ଡରୁ ମାଟି କାଢ଼ିବା ବେଳେ ଯେଉଁ ରୂପ ଦେଖିଥିଲେ, ତାହା ଗୋପାଳବାଳକ ମେଳରେ ନଥିଲା । ତେଣୁ ରାଧାକୃଷ୍ଣଙ୍କୁ ଉପାସନା କରିବା ପାଇଁ ବୈଷ୍ଣବମାନେ ବାତ୍ସଲ୍ୟ, ଶଖ୍ୟ, ମଧୁର ଓ ଦାସ୍ୟ ଭାବକୁ ଗ୍ରହଣ କରିଛନ୍ତି । କୃଷ୍ଣଙ୍କୁ ଶୁଆଇଲା ବେଳେ ଯଶୋଦାଙ୍କର ବାତ୍ସଲ୍ୟ ଭାବ ଉଦ୍ରେକ ହୋଇଛି । ସେ ଗାଇ ଉଠିଛନ୍ତି -
“ବ୍ରଜକୁ େ·ର ଆସିଛି ଘେନି ଯିବ ଶୁଅ ତୁନି ହୋଇରେ
ରଙ୍କର ଧନ ମୋ ଗୋକୂଳ ଚନ୍ଦ୍ରମା ନିଶି ଏବେ ପାହି ନାହିଁରେ ।”
(ଗୋପାଳକୃଷ୍ଣ)
ଠିକ୍ ସେହିପରି ସଖ୍ୟଭାବକୁ ବର୍ଣ୍ଣନା କରିବାକୁ ଯାଇ କବି ଗାଇ ଉଠିଛନ୍ତି -
ରାଧାପରି ରାଧା ସିନାରେ ସଙ୍ଗିନୀ ରାଧା ପରି ରାଧା ସିନା
ସ୍ତ୍ରିରୀ ମାତରକ ଅଛନ୍ତି ଯେତେକ ସର୍ବେ ପିତ୍ତଳ ସେ ସୁନା ।
ଏହିଭଳି ଭାବେ ଭକ୍ତ ସଦାବେଳେ ତା’ର ଅନ୍ତରର ବନ୍ଧୁ ଦୀନବନ୍ଧୁଙ୍କୁ ସେବା କରିଥାନ୍ତି । ଏହି ଶୃଙ୍ଗାର ମୂର୍ତ୍ତି କୃଷ୍ଣଙ୍କୁ ଦେଖି ସମସ୍ତେ ଆକର୍ଷିତ ହୁଅନ୍ତି, କାରଣ ତାଙ୍କର କଳା ହେଲା - “କର୍ଷୟତି, ଆକର୍ଷୟତି ଇତି କୃଷ୍ଣ” ସେ ପ୍ରାଣୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି । ସେହି ଲୀଳା ପୁରୁଷୋତ୍ତମ କୃଷ୍ଣ ଯଥା ସମୟରେ ଯାହା କରିବାର କଥା ସେଥିରୁ ବିଚୁ୍ୟତ ହୋଇନାହାନ୍ତି । ଅର୍ଜୁନ ରଥରେ ସାରଥୀ ହେଲା ବେଳେ ସାରଥୀର କର୍ତ୍ତବ୍ୟକୁ ପାଳନ କରିଛନ୍ତି । ସେହିପରିି ପ୍ରେମିକା, ପୁତ୍ର, ବନ୍ଧୁ ହିସାବରେ ଯଥାରୀତି ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି । ପୃଥିବୀର ଅନ୍ୟାନ୍ୟ ପୁରାଣ କିମ୍ବା ସାହିତ୍ୟରେ ଏପରି ବୈଚିତ୍ରପୂର୍ଣ୍ଣ ଚରିତ୍ର ଦେଖିବାକୁ ମିଳେ ନାହିଁ । ସେହି ଲୀଳା ପୁରୁଷୋତ୍ତମ ସର୍ବାଦୌ ଜଗତର ମଙ୍ଗଳ ବିଧାନ କରିବା ସହ ତାଙ୍କର କରୁଣା ବାରି ଦେଶବାସୀଙ୍କ ଉପରେ ବର୍ଷୁଥାନ୍ତୁ, ଏହା ହିଁ କାମନା ।
ଖୋର୍ଦ୍ଧା,ମୋ: ୮୮୯୫୫୪୭୪୯୦