ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା : ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ

ଭୁବନେଶ୍ୱର, ୧୪ା୧୨ : ସିବିଆଇ ସ୍କାନରରେ ଆଇଏଏସ୍ ବିଷ୍ଣୁପଦ ସେଠୀ । ର୍ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ହୋଇଛି ସମନ । ତାଙ୍କ ଠାରେ କିଛି ପ୍ରମାଣ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବାରୁ ଏହାକୁ ନିଶ୍ଚିତ କରିବା ପାଇଁ ହାଜର ହେବାକୁ ସମନ କରିଛି ସିବିଆଇ । ଏହାସହ ଟେଣ୍ଡର ଫିକ୍ସିଂରେ ମାମଲାରେ ସଚିବ ବିଷ୍ପୁପଦ ସେଠୀଙ୍କ ଡ୍ରାଇଭରକୁ ସମନ୍ । ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ବିଷ୍ଣୁପଦଙ୍କ ଡ୍ରାଇଭରକୁ ସମନ କରିଛି ସିବିଆଇ । ଇମେଲ ଯୋଗେ ସମନ ଜାରି କରିଛି ସିବିଆଇ ।
 ସୂଚନା ଯୋଗ୍ୟଯେ, ଗତ ସପ୍ତାହରେ ରାଜଧାନୀର ଏକ ହୋଟେଲ ସମ୍ମୁଖରୁ ଏକ ମର୍ସିଡିଜ କାରରୁ ୧୦ ଲକ୍ଷ ଟଙ୍କା ଓ ସୁନା ଜବତ ଘଟଣା ଏବେ ନୂଆ ମୋଡ଼ ନେଇଛି । ଗତ କିଛିଦିନ ହେଲା ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ ଚଳାଇଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ତଥା  ଆଇଏଏସ୍ ବିଷ୍ଣୁପଦ ସେଠୀ ଏବେ ସିବିଆଇ ସ୍କାନରକୁ ଆସିଛନ୍ତି । ଆଇଏଏସ୍ ଶ୍ରୀ ସେଠୀ ବିଭିନ୍ନ ବିଭାଗରେ ବ୍ୟବହାର କରୁଥିବା ଗାଡ଼ିର ଡ୍ରାଇଭରମାନଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଦେବାକୁ ସିବିଆଇ ଡିଏସ୍ପି ଅଜିତ୍ କୁମାର ପାଣ୍ଡେ ରାଜ୍ୟ ସରକାରଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି । ଏଥିପାଇଁ ଶ୍ରୀ ସେଠୀଙ୍କୁ ନିଦେ୍ର୍ଦଶ ଦେବା ନିମନ୍ତେ ସିବିଆଇ ଡିଏସ୍ପି ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ସିବିଆଇର ଏହି ଚିଠି ପରେ ରାଜ୍ୟ କ୍ଷମତା ଅଳିନ୍ଦରେ ଆଲୋଡ଼ନ ସୃଷ୍ଟି ହୋଇଛି । ଠିକାଦାରଙ୍କ ଲାଞ୍ଚ କାରବାର ସହ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ମାନଙ୍କର କି ସମ୍ପୃକ୍ତି ରହିଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସିବିଆଇ ରାଜ୍ୟ ସରକାରଙ୍କଠାରୁ ଲୋଡ଼ିଥିବା ସୂଚନା ‘ଜରୁରୀ’ ବୋଲି ଉଲ୍ଲେଖ କରିଥିବାରୁ ଏହି ଘଟଣାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି । ଏହା ସହ ବିଷ୍ଣୁପଦଙ୍କ ଡ୍ରାଇଭରମାନଙ୍କୁ ସିବିଆଇ ତା’ର ତଦନ୍ତ ପାଇଁ ସମନ କରି ଭୁବନେଶ୍ୱର ଅଫିସକୁ ଡାକିଥିବା ସୂଚନା ମିଳିଛି ।
 ଚଳିତମାସ ୭ତାରିଖରେ ସିବିଆଇ ଏକ ଗାଡ଼ିରୁ ୧୦ ଲକ୍ଷ ଟଙ୍କା, ବିପୁଳ ସୁନା ଅଳଙ୍କାର ଜବତ ଘଟଣାରେ ଏକ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ‘ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନୀ’ର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ ଓ ନୟାପଲ୍ଲୀସ୍ଥିତ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିମିଟେଡର ସନ୍ତୋଷ ମହାରଣାଙ୍କୁ ଗିରଫ କରିଛି । ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଆର୍ଥିକ ଦେଣନେଣ ଥିବାର ପ୍ରମାଣ ମିଳିବା ପରେ ସିବିଆଇ ଆଜି ବିଷ୍ଣୁପଦ ସେଠୀଙ୍କ ଡ଼୍ରାଇଭରମାନଙ୍କ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଲୋଡ଼ିଛି  । ୧୦ ଲକ୍ଷ ଲାଞ୍ଚ କାରବାରରେ ମଧ୍ୟସ୍ଥ କୁହାଯାଉଥିବା ଆଦିତ୍ୟ ଦେବ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ୍ର ପରିଚାଳନ ନିଦେ୍ର୍ଦଶକ ଦେବଦତ୍ତ ମହାପାତ୍ରଙ୍କ କାର୍ଯ୍ୟାଳୟକୁ ସିବିଆଇ ସିଲ କରିଛି । ଦେବଦତ୍ତଙ୍କ ଘରୁ ନଗଦ ଟଙ୍କା ସହ ବହୁ କାଗଜପତ୍ର ମଧ୍ୟ ଠାବ ହୋଇଛି । ଲାଞ୍ଚ କାରବାରର ପର୍ଦ୍ଦାଫାସ୍ ଲାଗି ବହୁଦିନ ହେବ ଏମ୍/ଏସ୍ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ(ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିବା ସିବିଆଇ ଜୟଦେବ ବିହାର ନିକଟ ଏକ ତାରକା ହୋଟେଲ ନିକଟରୁ ତାଙ୍କ ଗାଡ଼ି ଯାଞ୍ଚ କରି ୧୦ ଲକ୍ଷ ଟଙ୍କା ଜବତ କରିଥିଲା । ଏହାପରେ ଏମ୍/ଏସ୍ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ(ଇଣ୍ଡିଆ) ଲିମିଟେଡ୍ର ଚଞ୍ଚଲ ମୁର୍ଖାଜୀ ଓ ଦୁଇ ବିଲ୍ଡର ସନ୍ତୋଷ କୁମାର ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଗିରଫ କରିଥିଲା । ସିବିଆଇ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ ହେଁ ଅଦାଲତ ସେମାନଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ନେଇ ପୁଣି ଥରେ ପଚରାଉଚରା କରାଯାଉଛି ।