ମହିଳାଙ୍କୁ ହତ୍ୟା, ମାମଲା ରୁଜୁ କରି ପୁଲିସ ଚୁପ୍
ଦାନଗଦୀ : ଗୋଇଠା ମାଡ଼ରେ ଯଖପୁରା ମଳିକ ସାହିର ଜନୈକା ମହିଳାଙ୍କ ମୃତୁ୍ୟକୁ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା । କିନ୍ତୁ ମାମଲା ରୁଜୁ କରି ହାତବାନ୍ଧି ବସିଛି ଯଖପୁରା ପୁଲିସ । ଏତଲାକାରୀ କଳାକାର ମଳିକଙ୍କ ପୁଅ ରାଜୁ କରିଥିବା ଏତଲାରେ ତାଙ୍କ ମାଆ ପ୍ରମିଳା(୫୫)ଙ୍କୁ ତଳେ ପକାଇ ତାଙ୍କ ଛାତିକୁ ଗୋଇଠା ପରେ ଗୋଇଠା ମାରି ମାରିଦେଇଥିଲେ ୩ ଯୁବକ ।
ଅଭିଯୋଗ ପରେ ପୁଲିସ ୮୦/୨୦୨୫ରେ ଏକ ମାମଲା ରୁଜୁ କରି ଦଫା ୧୦୩(୧)ହତ୍ୟା ମାମଲା ରୁଜୁ କରିଥିଲା । ଆଉ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ଅନୁସନ୍ଧାନ କରିବା ପରେ ଯଖପୁରା ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ହେଲେ ମାମଲାକୁ ପାଞ୍ଚଦିନ ବିତିଯାଇଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି । ହତ୍ୟା ଭଳି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ପଛରେ ରାଜନୈତିକ ଚାପ କାମ କରିଥିବାର ଚର୍ଚା ହେଉଛି । କୁହାଯାଉଛି ଅଭିଯୁକ୍ତ କୁଆଡେ ଶାସକ ଦଳର ସ୍ଥାନୀୟ ଜଣେ ପ୍ରଭାବଶାଳୀ ନେତାଙ୍କ ପାଖଲୋକ ହୋଇଥିବାରୁ କୈାଣସି ପରିସ୍ଥିତିରେ ହତ୍ୟା ମାମଲାକୁ ରଫାଦଫା କରି ଅପମୃତୁ୍ୟରେ ପରିଣତ କରିବାକୁ ଷଡ଼ଯନ୍ତ୍ର ରଚାଯାଇଥିବାର ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ଅଭିଯୁକ୍ତ ଖୁଲଖୁଲା ବୁଲୁଥିବାର ଅଭିଯୋଗ ହୁଏ । ଏସ୍ପି ଘଟଣାର ନିରପେକ୍ଷ ତଦନ୍ତ କରାଇ କାର୍ଯ୍ୟାନୁଷ୍ଟାନ ନେବାକୁ ଅଞ୍ଚଳରେ ଦାବି ହେଉଛି । ଖବର ଥାଉକି ଗତମାସ ୩୦ତାରିଖ ରାତିରେ ଯଖପୁରା ମଳିକ ସାହିର କଳାକାର ମଳିକଙ୍କ ଜ୍ୱାଇଁଙ୍କ ବଡ଼ ଭାଇ ତାଙ୍କ ଘରକୁ ଆସିଥିବା ବେଳେ ଗ୍ରାମର କିଛି ଯୁବକଙ୍କ ସହିତ ଝଗଡା ହୋଇଥିଲା । ପରେ ଗ୍ରାମର କିଛି ଲୋକ କଳାକାରଙ୍କ ଘରକୁ ଯାଇ ଜ୍ୱାଇଁଙ୍କ ବଡଭାଇଙ୍କୁ ମାରିବାକୁ ଉଦ୍ୟମ କରିବାରୁ ତାଙ୍କ ସ୍ତ୍ରୀ ପ୍ରମିଳା ଅଟକାଇଥିଲେ । ଦୁର୍ବୃତ ପ୍ରମିଳାଙ୍କୁ ପିଟିବାରୁ ସେ ଘଟଣା ସ୍ଥଳରେ ପଡିଯାଇଥିଲେ । ପରିବାର ଲୋକ ତାଙ୍କୁ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।