ମହୁଲ ଜବତ; ୨ ଗିରଫ

 ବାରିପଦା: ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ମହୁଲ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତ ଦୁଇ ଜଣ ହେଲେ ଶୁଳିଆପଦା ଥାନା ଅନ୍ତର୍ଗତ ଭୁସକୁଣ୍ଡା ଗ୍ରାମର ପ୍ରସନଜିତ ଦାସ (୩୫) ଓ ପଶ୍ଚିମବଙ୍ଗ ରାଜ୍ୟର ଗୋପିବଲ୍ଲଭପୁର ଥାନା ଅନ୍ତର୍ଗତ ପୁଟୁଳିଆ ଅଞ୍ଚଳର ସମୟ ସୋରେନ (୫୨) । ଫେରାର ଅଭିଯୁକ୍ତ ଜଣକ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ ଧବଣିଷୋଳ ଗ୍ରାମର ଚନ୍ଦନ ମହାପାତ୍ର (୪୦) । ଝାଡଖଣ୍ଡରୁ ମୟୁରଭଞ୍ଜ ଜିଲ୍ଲାକୁ ଚୋରା ମହୁଲ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଯାହାକୁ ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ-୧ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା । ପୂର୍ବ ଯୋଜନା ମୁତାବକ ଶନିବାର ସନ୍ଧ୍ୟାରେ ଚାନ୍ଦୁଆ ଥାନା ଅନ୍ତର୍ଗତ ଧବଣିଷୋଳରେ ମହୁଲ ବୋଝେଇ ପିକ୍ଅପ୍କୁ ଅଟକାଇ ଯାଞ୍ଚ କରିଥିଲେ । ପିକ୍ଅପ୍ରୁ ୫୨ ବସ୍ତାରୁ ୨୦ କ୍ୱିଣ୍ଟାଲ ୮୦ କିଲୋ ମହୁଲ ଜବତ କରାଯାଇଛି । ଯାହାର ଅନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ମହୁଲ ସମେତ ପିକ୍ଅପ୍ ଏବଂ ବାଇକ୍ ଜବତ କରିଛି ବିଭାଗ । ଗିରଫ ଦୁଇ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି । ଚଢାଉ ସମୟରେ ଇନ୍ସପେକ୍ଟର ଶ୍ରୀ ମହାନ୍ତି ସମେତ କନଷ୍ଟେବଳ ପ୍ରକାଶ ଚନ୍ଦ୍ର ଦେବତା, ଅମ୍ବିକା ନାୟକ, ସମାଇ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।