ମାନବିକ ଅଧିକାର ଦିବସ
ପ୍ରେମାନନ୍ଦ ପାଣିଗ୍ରାହୀ : ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖକୁ ସମଗ୍ର ବିଶ୍ୱରେ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଏ । ସମାଜରେ ମଣିଷ ଆତ୍ମମର୍ଯ୍ୟାଦା ଓ ସ୍ୱାଭିମାନ ସହିତ ବଞ୍ଚିବାକୁ ମାନବିକ ଅଧିକାର କୁହାଯାଏ । ମାନବିକ ଅଧିକାରଯୁକ୍ତ ସ୍ୱାଭିମାନକୁ ହିଁ ଆମେ ମଣିଷର ଜୀବନ ବୋଲି ଗ୍ରହଣ କରିଥାଉ । ମନୁଷ୍ୟ ଜନ୍ମ ହେବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମର୍ଯ୍ୟାଦାପୂର୍ଣ୍ଣ ଭାବେ ବଞ୍ôଚରହିବା ପାଇଁ ଯେଉଁ ଅଧିକାର ଗୁଡିକ ଅତ୍ୟନ୍ତ ପ୍ରୟୋଜନ ହୋଇଥାଏ ତାହାକୁ ସାଧାରଣତଃ ମାନବିକ ଅଧିକାର କୁହାଯାଇଥାଏ । ମନୁଷ୍ୟ ପାଇଁ ଏହା ପ୍ରକୃତିଦତ୍ତ ଅଧିକାର । ଏହା ସମ୍ବିଧାନ ଦ୍ୱାରା ପ୍ରଦତ୍ତ ନୁହେଁ । ଏ ଅଧିକାର ପ୍ରତ୍ୟେକ ବ୍ୟକ୍ତି, ଜାତ,ବର୍ଣ୍ଣ, ଭାଷା ଓ ଆଞ୍ଚଳିକ ଭେଦଭାବ ଭୁଲି ପ୍ରକୃତି ପ୍ରତ୍ୟେକଙ୍କୁ ଦେଇଥାଏ । ସାଧାରଣ ଭାବେ ଏହା ମଧ୍ୟ କୁହାଯାଇପାରେ ଯେ ମଣିଷ ପରି ବଞ୍ଚି ରହିବାର ଭାବଧାରା ହିଁ ମାନବିକ ଅଧିକାରକୁ ବୁଝାଏ । ଏହି ପ୍ରକୃତିଦତ୍ତ ଅଧିକାର ଗୁଡିକ ମଧ୍ୟରୁ କେତେକ ଅଧିକାରକୁ ଆନ୍ତର୍ଜାତିକ ସ୍ତରରେ ଓ ଗୋଷ୍ଠୀଗତ ଭାବେ ମାନବିକ ଅଧିକାର ଭାବେ ନିର୍ଦ୍ଧାରଣ କରାଯାଇଛି । ମାନବିକ ଅଧିକାର ସୁରକ୍ଷିତ ରହିଲେ ପ୍ରତ୍ୟେକ ବ୍ୟକ୍ତିର ସମ୍ମାନ ଏବଂ ବ୍ୟକ୍ତି ନିଜେ ସୁରକ୍ଷିତ ରହିବ ।
ମାନବିକ ଅଧିକାର ସଂଜ୍ଞାର ପରିସର ଅତ୍ୟନ୍ତ ବିସ୍ତୃତ ଓ ବ୍ୟାପ୍ତ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନର ନାଜିମାନେ ସାଧାରଣ ଜନଜୀବନ ଓ ସଂପତ୍ତି ନଷ୍ଟ କଲେ । ଦ୍ୱିତୀୟ ମହାଯୁଦ୍ଧର କରାଳ ବିଭୀଷିକା ପ୍ରଥମ ମହାଯୁଦ୍ଧ ଠାରୁ କ୍ରୁରତର ଥିଲା । ୟୁରୋପରେ ଲକ୍ଷ ଲକ୍ଷ ଇହୁଦିଙ୍କୁ ଜର୍ମାନୀର ଉନ୍ମତ୍ତ ଶାସକ ହିଟଲ୍ର ନିଷ୍ଠୁର ଭାବେ ହତ୍ୟାକଲେ । ନାଜି ଶକ୍ତିର ଉତ୍ପୀଡନ, ଜର୍ମାନ ଓ ଇଟାଲୀ ସୈନ୍ୟଙ୍କର ୟୁରୋପ, ଆଫ୍ରିକା ଓ ବିଶେଷତଃ ଇଥିଓପିୟାରେ ଅତ୍ୟାଚାର ଓ ହିଟଲରଙ୍କ ଇହୁଦି ନିଧନ ବିଶ୍ୱର ସଚେତନ ରାଷ୍ଟ୍ରମାନଙ୍କୁ ବ୍ୟଥିତ କରିଥିଲା । ପରସ୍ପର ମଧ୍ୟରେ ଶାନ୍ତି ଓ ସମନ୍ୱୟ ରକ୍ଷା ପାଇଁ ନାନା ପ୍ରକାର ପଦକ୍ଷେପ ନିଆଗଲା । ଚୀନ୍, ଗ୍ରେଟ୍ ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷିଆର ପ୍ରତିନିଧିମାନେ ୱାଶିଂଟନ୍ ଡି.ସି.ର ଡୁମ୍ବାଇଟନ୍ଓକ ଠାରେ ବିଶ୍ୱ ଶାନ୍ତି ରକ୍ଷା ଓ ଆନ୍ତର୍ଜାତିକ ସହଯୋଗ ନିମନ୍ତେ ଏକ ସଂସ୍ଥାର ଆବଶ୍ୟକତା ଉପଲବ୍ଧି କଲେ । ୧୯୪୫ ମସିହା ଜୁନ୍ ୨୬ ତାରିଖରେ ପୃଥିବୀର ୫୦ ଟି ଦେଶର ମିଳିତ ଉଦ୍ୟମରେ ମିଳିତ ଜାତିସଂଘ ଗଠନ କରାଗଲା । ଏହି ମିଳିତ ଜାତିସଂଘର ଏକ ଅନୁଷ୍ଠାନ ନିରାପତ୍ତା ପରିଷଦକୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତିଙ୍କ ପତ୍ନୀ ଶ୍ରୀମତୀ ଏଲେନୋର୍ ରୁଜଭେଲଟ୍ ଅଧ୍ୟକ୍ଷତା କରିଥିଲେ । ଏହି କମିଶନରେ ୧୮ଟି ଦେଶର ପ୍ରତିନିଧିମାନେ ଥିଲେ । ୧ ବର୍ଷ ବିଚାର ବିମର୍ଷ ପରେ ମାନବିକ ଅଧିକାର ସାର୍ବଜନୀନ ଘୋଷଣା ପତ୍ର ପ୍ରସ୍ତୁତ ହେଲା ଓ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ଜାତିସଂଘ ଏହାକୁ ଅନୁମୋଦନ କଲା । ବିଶ୍ୱର ୫୫ ଟି ରାଷ୍ଟ୍ର ସାଦରେ ଏହାକୁ ଗ୍ରହଣ କଲେ । ଏହି ଘୋଷଣାନାମାରେ ୩୦ଟି ଧାରା ରହିଛି । ଜୀବନ ଧାରଣ ଅଧିକାର, ଆଇନ୍ର ସମାନତା, ବ୍ୟକ୍ତିଗତ ସମ୍ମାନ ବା ମର୍ଯ୍ୟାଦା, ସାମାଜିକ ଓ ଅର୍ଥନୈତିକ ଅଧିକାର, ଅନ୍ତର୍ଜାତୀୟ କ୍ଷେତ୍ରରେ ସୁବିଧା ଓ ସୁଯୋଗ ଏହି ଅନୁଛେଦରେ ରହିଛି ।
ଆମ ଦେଶରେ ୧୯୯୩ ମସିହା ସେପ୍ଟେମ୍ବର ୨୩ ତାରିଖରେ ଜାତୀୟ ମାନବିକ ଅଧିକାର କମିଶନ ଗଠନ କରାଯାଇଛି । ରାଜ୍ୟ ମାନଙ୍କରେ ରାଜ୍ୟ ମାନବିକ ଅଧିକାର ଆୟୋଗ ଗଠନ ପାଇଁ ମଧ୍ୟ ବ୍ୟବସ୍ଥା ରଖାଯାଇଛି । ଆଇନ୍ର ବ୍ୟବସ୍ଥା ଅନୁଯାୟୀ ଓଡିଶା ରାଜ୍ୟ ମାନବିକ ଅଧିକାର ଆୟୋଗ ୨୦୦୩ ମସିହା ଠାରୁ କାର୍ଯ୍ୟ କରୁଛି । ପୃଥିବୀରେ ଶାନ୍ତି ଓ ସୁଖରେ ସହାବସ୍ଥାନ ପାଇଁ ମାନବିକ ଅଧିକାରକୁ ଅଗ୍ରାଧିକାର ଦେଇ ଜାତିସଂଘ ଏହାର ସୁରକ୍ଷା ପାଇଁ ସବୁବେଳେ ଚେଷ୍ଟା ଚଳାଇଆସିଛି । ମାନବିକ ଅଧିକାରର ବିଭିନ୍ନ ଦିିଗ ଏବଂ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ସେସବୁର ସାମୂହିକ ସୁରକ୍ଷା ପାଇଁ ଜାତିସଂଘ ୪ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦେଇଛି । ସେଗୁଡିକ ହେଲା - ପ୍ରତ୍ୟେକ ଦେଶରେ ମାନବିକ ଅଧିକାର ଉପରେ ବିଶେଷ ଶିକ୍ଷାଦାନ, ଜାତୀୟ ସ୍ତରରେ ମାନବିକ ଅଧିକାର ପାଇଁ ଯୋଜନା, ମାନବିକ ଅଧିକାର ପାଇଁ ସ୍ୱାଧୀନ ସଂସ୍ଥା ଗଠନ ଏବଂ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଉଦ୍ୟମ । ୨୦୨୫ ସକାଶେ ଜାତିସଙ୍ଘର ବିଷୟ ରହିଛି ‘ମାନବିକ ଅଧିକାର: ଆମର ଦୈନନ୍ଦିନ ଆବଶ୍ୟକତା’ । ଏହା ଜୀବନକୁ ଆନନ୍ଦ,ସୁରକ୍ଷା ଓ ସୁଯୋଗ ଯୋଗାଉଥିବା ମୌଳିକ ମାନବାଧିକାର ଗୁଡ଼ିକର ମହତ୍ତ୍ୱ ଉପରେ ଆଲୋକପାତ କରୁଛି ।
ସମ୍ବିଧାନ ସଂଶୋଧନ, ସ୍ୱେଚ୍ଛାସେବୀ ସଂଗଠନକୁ ସ୍ୱାଧୀନ ଦାୟିତ୍ୱ, ବିଚାରପତି ଓ ପୋଲିସ୍କୁ ଜ୍ଞାତବ୍ୟ ତଥ୍ୟ ପ୍ରଦାନ ଆଦି ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ଜରୁରି । ଏସବୁ ସଂପର୍କରେ ବିତର୍କ ହେଉଥିଲେ ମଧ୍ୟ ଭାରତରେ ମାନବିକ ଅଧିକାର ଉଲ୍ଲଙ୍ଘନ ହାର କମି ନାହିଁ । ଜାତିସଂଘର ନିର୍ଦ୍ଦେଶାବଳୀ ଅନୁସାରେ ୪ଟି ଅଧିକାରକୁ ମାନବାଧିକାର ପରିସର ଭୁକ୍ତ କରାଯାଇଛି । ସେଗୁଡିକ ହେଲା - ସମାନତାର ଅଧିକାର, ସ୍ୱାଧୀନତାର ଅଧିକାର, ସମ୍ମାନର ସହ ବଞ୍ôଚବାର ଅଧିକାର, ସାମାଜିକ ଓ ଅର୍ଥନୈତିକ ଅଧିକାର । ଏଗୁଡିକର ଉଲ୍ଲଘଂନ ହେଲେ ମାନବାଧିକାର କ୍ଷୁଣ୍ଣ ହେଉଛି ବୋଲି ଧରାଯାଇଥାଏ । ଆମ ରାଜ୍ୟରେ ମାନବାଧିକାର ସୁରକ୍ଷା ପାଇଁ କେହି ଯେପରି ବ୍ୟସ୍ତ ନୁହଁନ୍ତି । ଓଡିଶାରେ ବଞ୍ôଚବାର ଅଧିକାର ପ୍ରାୟତଃ ପ୍ରକୃତିର ଦୟାରେ ଥାଏ । କ୍ରମାଗତ ଭାବେ ବନ୍ୟା, ମରୁଡି, ମହାବାତ୍ୟା, ଫାଇଲିନ୍, ଲୋକଙ୍କ ଏହି ଅଧିକାରକୁ ଛଡାଇ ନେଇଛି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ରିଲିଫ୍ ଓ ସହଯୋଗ ଯୋଗାଇବାରେ ସରକାର ବିଫଳ ହୋଇ ମାନବାଧିକାର ଉଲ୍ଲଙ୍ଘନରେ ପ୍ରକୃତି ସହ ସମଭାବରେ ଅଭିଯୁକ୍ତି ସାଜିଛନ୍ତି । କେଉଁଠି ପେଟର ଜ୍ୱାଳାକୁ ସହିନପାରି ମା’ ତାର ଜନ୍ମିତ ଶିଶୁକୁ ବିକୁଛି ତ ପୁଣି କେଉଁଠି ଖାଦ୍ୟର ଅଭାବରୁ ଅଖାଦ୍ୟ ଖାଇ ଲୋକେ ମୃତ୍ୟୁବରଣ କରୁଛନ୍ତି । ଝିଅକୁ ବିଭାଘର ବେଳେ ଯାନିଯୌତୁକ କମ୍ ଦେଇଥିବାରୁ ଶାଶୂଘର ଲୋକେ ପୋଡି ମାରିଦେଉଛନ୍ତି । ଧାନର ଅଭାବୀ ବିକ୍ରି ହେଉଛି । ଋଣ ଶୁଝି ନପାରି ଚାଷୀ ଆତ୍ମହତ୍ୟା କରୁଛି । କାମଧନ୍ଦା ଅଭାବରୁ ଶ୍ରମିକ ବାହାର ଦେଶ ଓ ରାଜ୍ୟରେ ଦାଦନ ଖଟିବାକୁ ଯାଉଛି । ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା କର୍ମଜୀବୀ ମହିଳା କାମନା ବାସନାର ଶୀକାର ହେଉଛି । ଦୁଷ୍କର୍ମର ପ୍ରମାଣକୁ ନଷ୍ଟ କରିବାପାଇଁ ଅଭିଯୋଗକାରୀକୁ ଜୀଅନ୍ତା ପୋଡି ଦିଆଯାଉଛି । ଚାଉଳ ଓ ଗହମ ପରି ଖାଦ୍ୟଶସ୍ୟକୁ ବଣ୍ଟନ କରାନଯାଇ ନଦୀ ଓ ସମୁଦ୍ରରେ ଭସାଇ ଦିଆଯାଉଛି । ପନିପରିବା ଓ ଲୁଣର କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି । ଜଣେ ରୋଗୀ ହସ୍ପିଟାଲରେ ଉପଯୁକ୍ତ ସେବା ପାଇପାରୁନାହିଁ । ଅସ୍ତ୍ରୋପଚାର ସମୟରେ ରୋଗୀର ପେଟରେ କଇଁଚି, ସୂତା, ଗଜ ରହିଯାଉଛି । ଖଣି ଓ ଶିଳ୍ପସଂସ୍ଥାରେ ଶ୍ରମିକ ସୁରକ୍ଷିତ ରହୁନାହିଁ । ଏହିସବୁ ଘଟଣା ଗୁଡିକ ରାଜ୍ୟର ମାନବିକ ଅଧିକାର ଉଲ୍ଲଙ୍ଘନ ପରିସର ମଧ୍ୟରେ ଆସୁଛି ।
ଓଡିଶାରେ ମାନବାଧିକାର ଉଲ୍ଲଙ୍ଘନ ମାମଲାର ୫୦ ପ୍ରତିଶତ ଘଟଣାରେ ପୋଲିସ୍ ସଂପୃକ୍ତ ରହୁଛି । ଜନସାଧାରଣଙ୍କ ମନରେ ମାନବାଧିକାର ସଂପର୍କରେ ସଚେତନତା ଓ ଜାଗରଣ ସୃଷ୍ଟି ବିଶ୍ୱ ମାନବିକ ଅଧିକାର ଦିବସର ମୂଳ ଲକ୍ଷ୍ୟ । ଲୋକଙ୍କୁ ଅଧିକାର ସଂପର୍କରେ ସଚେତନ କରାଇବା ଯେ କୌଣସି ଦେଶର କର୍ତ୍ତବ୍ୟ ଓ ଏହାର ଉଲ୍ଲଙ୍ଘନ ମନୁଷ୍ୟକୁ ମନୁଷ୍ୟ ଭାବରେ ବଞ୍ଚି ନ ରହିବାକୁ ବାଧ୍ୟ କରିଥାଏ । ଏଥିପାଇଁ ପ୍ରକୃତ ଗଣତାନ୍ତ୍ରିକ ମୂଲ୍ୟବୋଧର ସୃଷ୍ଟି, ଦୃଷ୍ଟିକୋଣର ପରିବର୍ତ୍ତନ ଓ ଆର୍ଥିକ ସ୍ୱଚ୍ଛଳତାର ଆବଶ୍ୟକତା ରହିଛି । ବ୍ୟକ୍ତିର ଆନ୍ତରିକତା, ରାଷ୍ଟ୍ରର ସହଯୋଗ ମାନବିକ ଅଧିକାରକୁ ଅଧିକ ଫଳପ୍ରଦ କରିପାରିବ ।
ଭୁଷଳ,ଭୁବନ, ଢେଙ୍କାନାଳ
ମୋ-୯୪୩୭୭୨୯୩୮୪