ଯଦି କିଛି ପାଣ୍ଡିଆନ୍ ବୁଝୁନାହାନ୍ତି... ତାହେଲେ ମାମଲତକାର କିଏ? ରାଜ୍ୟସଭା ସାଂସଦ ରୁଷିବା ଯାଏଁ କଥା ଗଲା କାହିଁକି ?
ଭୁବନେଶ୍ୱର: ଓଡ଼ିଆରେ ଗୋଟିଏ ବହୁ ପ୍ରଚଳିତ ଢଗ ରହିଛି । ‘ପାଖରେ ଶୁଏ, କାନରେ କହେ, ତା’କଥାକି ଅନ୍ୟଥା ହୁଏ ।’ ବାହାହେବା ପରେ ପୁଅ କେମିତି ବଦଳିଯାଏ ଓ ବୋହୂ କଥାରେ ସବୁ ଚାଲେ, ତାହାର ଅବତାରଣା କରିବାକୁ ଏହି ରୁଢ଼ିଟି ପ୍ରଚଳିତ । ବିଜେଡ଼ି ରାଜନୀତିକୁ ଗହୀରେଇ ଅନୁଶୀଳନ କଲେ ଏହି ରୁଢ଼ିଟି ବି ବେଶ୍ ପ୍ରଯୁଜ୍ୟ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଛାଇ ଭଳି ରହିଛନ୍ତି ଭିକେ ପାଣ୍ଡିଆନ୍ । ବର୍ଷକ ତଳେ କବାଟ କଣରେ ଲୁଚିଲୁଚି ରହୁଥିଲେ, ଏବେ କିନ୍ତୁ ପଦାକୁ ବାହାରିଲେଣି । ଖାଲି ସେ ନୁହଁନ୍ତି ତାଙ୍କ ପନôୀ ତଥା ପୂର୍ବତନ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ୍ ବି ରହୁଛନ୍ତି । କିନ୍ତୁ ପୁଅ ଯେମିତି ସ୍ତ୍ରୀର ଦୋଷ ଘୋଡ଼ାଇବାକୁ ଯାଇ ତାହାର କିଛି ଦୋଷ ନାହିଁ ବୋଲି କୁହେ, ଠିକ୍ ସେମିତି ନବୀନ ବାବୁ କଥାକଥାକେ ପାଣ୍ଡିଆନଙ୍କ ଦୋଷ ନାହିଁ ବୋଲି ଶୁଆ ଘୋଷା କରୁଥିବାର ଅନେକ ନଜିର ରହିଛି ।
ଏବେ ଆସିବା ମୂଳ ପ୍ରସଙ୍ଗକୁ । ନବୀନ ବାବୁଙ୍କର ତ ଦେହ ଖରାପ । ସେ ଏବେ ସମ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏକଥା ସାରା ଓଡ଼ିଶା ଜାଣିଛି । ଏଭଳି ଏକ ସମୟରେ ବିଜେଡ଼ିର ଏକ ଟିମ୍ ଦିଲ୍ଲୀ ଯାଇ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ କଲେ । ଅବଶ୍ୟ ନିର୍ବାଚନ କମିଶନ ଏନେଇ ବିଜେଡ଼ିକୁ ଚିଠି ଲେଖିଥିବାବେଳେ ଟିମ୍ ବି ଗଢ଼ା ଯାଇଥିଲା । ସେଥିରେ ଥିଲେ ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ଅମର ପଟ୍ଟନାୟକ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଭ୍ରୁଗୁ ବକ୍ସିପାତ୍ର ଓ ସୁଲତା ଦେଓ । ତେବେ ଆମେ ସମସ୍ତେ ଜାଣିଛେ ଏବେ ସଂସଦ ଚାଲିଛି । ବିଜେଡ଼ିର ରାଜ୍ୟସଭା ସାଂସଦମାନେ ଦିଲ୍ଲୀରେ । ଲୋକସଭାରେ ତ ବିଜେଡ଼ିର ଖାତା ଖତିଆନ ଚବିଶ ନିର୍ବାଚନରେ ଉଡ଼ିଯାଇଛି । ଦଳର ବଳ ହେଉଛନ୍ତି ରାଜ୍ୟସଭା ସାଂସଦ । ଯେଉଁଥିପାଇଁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଲ୍ ପାରିତରୁ ନେଇ ବିଭିନ୍ନ ପ୍ରସଙ୍ଗରେ ବିଜେଡ଼ିର ସହଯୋଗ ଲୋଡ଼ିବାକୁ ବାଧ୍ୟ ହେଉଛନ୍ତି । ଏମିତିବି ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ । ଇଣ୍ଡି ଓ ଏନଡ଼ିଏ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡ଼ି କାହାକୁ ଭୋଟ୍ ଦେବ ସେ ନିଷ୍ପତ୍ତି ବି ହୋଇନାହିଁ । ଏଭଳି ସମୟରେ ରାଜ୍ୟସଭା ସାଂସଦମାନଙ୍କୁ ଆଳୁ ବାଇଗଣ ବିଚାରିବା ଆଦୌ ରାଜନୀତିକ ପରିପକ୍ୱତା ବା ବୁଦ୍ଧିମତାର ପରିଚୟ ନୁହେଁ । ରାଜ୍ୟସଭା ସାଂସଦମାନେ ଦିଲ୍ଲୀରେ ଥିବାବେଳେ ତାଙ୍କୁ ଡାକିବାର ସୌଜନ୍ୟତା କିଭଳି ବିଜେଡ଼ିର ମାମଲତକାରମାନେ ଭୁଲିଗଲେ ।
କଥାକଥାକେ କୁହାଯାଉଛି ପାଣ୍ଡିଆନ୍ କିଛି ନିଷ୍ପତ୍ତି ନେଉନାହାନ୍ତି । ସବୁ ନିଷ୍ପତ୍ତି ନେଉଛନ୍ତି ନବୀନ । ଆଚ୍ଛା ନବୀନ ଏବେ ହସପିଟାଲ୍ରେ । ଅସୁସ୍ଥତା ସମୟରେ ସେ କ’ଣ ସତରେ ନିଷ୍ପତ୍ତି ନେଉଛନ୍ତି ? ନବୀନଙ୍କୁ ଯେତେବେଳେ ଦଳର ବରିଷ୍ଠ ନେତାମାନେ ମେଡ଼ିକାଲରେ ଭେଟିପାରୁନାହାନ୍ତି, ଯେତେବେଳେ ସେ ମାନସିକ ଓ ଶାରୀରିକସ୍ତରରେ ଦୁର୍ବଳ ଅଛନ୍ତି ସେତେବେଳେ ସେ ନିଷ୍ପତ୍ତି ନେଉଥିବା କଥାଟା ଆଦୌ ବିଶ୍ୱାସଯୋଗ୍ୟ ବା ଗ୍ରହଣୀୟ ନୁହେଁ । ତେଣୁ ପାଣ୍ଡିଆନ୍ ଯଦି କିଛି ନିଷ୍ପତ୍ତି ନେଉନାହାନ୍ତି ତେବେ ଦଳରେ ମାମଲତି କିଏ କରୁଛନ୍ତି । ଦିଲ୍ଲୀରେ ରାଜ୍ୟସଭା ସାଂସଦମାନଙ୍କୁ ନଡ଼ାକିବାକୁ ନବୀନ କହିଥିଲେକି ? ଯେତେବେଳେକି ପୂର୍ବରୁ ବିଜେଡ଼ି ପକ୍ଷରୁ ଇସିଆଇ ଅଭିଯୋଗ କରିବା ବେଳେ ରାଜ୍ୟସଭା ବିଜେଡ଼ି ସଂସଦୀୟ ଦଳ ମୁଖ୍ୟ ସସ୍ମିତ ପାତ୍ର ହିଁ ନେତୃତ୍ୱ ନେଇଥିଲେ । ଜାତୀୟ ଗଣମାଧ୍ୟମକୁ ଦ୍ଭ ୭ ପୃଷ୍ଠାରେ...