ଯୁବଶକ୍ତିର ବିପ୍ଳବ ଓ ଆଭିମୁଖ୍ୟ
ବିଭୂତି ଭୂଷଣ କର : ଜେନ୍ ଜି ଆନ୍ଦୋଳନ ବର୍ତ୍ତମାନ ସାରା ବିଶ୍ୱରେ ଏକ ଶକ୍ତିଶାଳୀ ଯୁବ ପ୍ରତିକ୍ରିୟା ଭାବେ ପ୍ରତିଭାତ ହୋଇଛି । ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ଯୁବଗୋଷ୍ଠୀ ବିଶ୍ୱବ୍ୟାପୀ ଭ୍ରଷ୍ଟାଚାର, ଅସମାନତା, ଗଣତାନ୍ତ୍ରିକ ପତନ ଓ ଅନ୍ୟାୟ ବିରୋଧରେ ସଂଗଠିତ ହୋଇ ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ପରିବର୍ତ୍ତନ ଆଣିବାରେ ସକ୍ଷମ ହେଉଛନ୍ତି । ଏହି ଆଲେଖ୍ୟରେ ଜେନ୍ ଜି ଆନ୍ଦୋଳନର କାରଣ, ସଂଗଠନ ପ୍ରକ୍ରିୟା, ପ୍ରଭାବ, ଓ ଏହାକୁ ଏଡାଇବାର ଉପାୟ ଆଦି ସମ୍ପର୍କିତ କରାଯିବ । ଜେନ୍ ଜି ଆନ୍ଦୋଳନର ପ୍ରଧାନ କାରଣ ହେଉଛି ବ୍ୟବସ୍ଥା ପ୍ରତି ଗଭୀର ଅସନ୍ତୋଷ । ନେପାଳରେ ଭ୍ରଷ୍ଟାଚାର, ଜମି ଦୁର୍ନୀତି ଓ ପରିବାରବାଦ ବିରୋଧରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ବହ୍ନି ଦାନା ବାନ୍ଧିଥିଲା । ପାକିସ୍ତାନରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଦାବି ନେଇ ଆନ୍ଦୋଳନ ଆରମ୍ଭ ହୋଇଥିବା ପ୍ରତିବାଦ ପରବର୍ତ୍ତୀ ସମୟରେ ଶେହବାଜ ସରିଫ୍ ସରକାରଙ୍କ ବିରୋଧରେ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା । ସେହିଭଳି ମେକ୍ସିକୋରେ ହତ୍ୟାର ଶିକାର ହୋଇଥିବା ମେୟରଙ୍କ ପ୍ରତିବାଦରେ ଆନନ୍ଦୋଳନ ଆରମ୍ଭ ହୋଇଥିଲା । ମାଡଗାସ୍କରରେ ଯୁବନେତୃତ୍ୱାଧୀନ ପ୍ରତିବାଦ ପରେ ରାଷ୍ଟ୍ରପତି ଦେଶ ଛାଡ଼ି ପଳାୟନ କରିଥିଲେ ।
ଏହି ସମସ୍ତ ଘଟଣା ସୂଚିତ କରୁଛି କି, ଯୁବଗୋଷ୍ଠୀର ଅଧିକାର ଓ ସ୍ୱାର୍ଥକୁ ଅଣଦେଖା କରାଯିବା ହିଁ ଏଭଳି ଘଟଣାକୁ ଜନ୍ମ ଦେଉଛି । ଯୁବଶକ୍ତିଙ୍କ ଅଧିକାରକୁ ଅଣଦେଖା କରି ତାଙ୍କ ବାକ୍ ସ୍ୱାଧୀନତାକୁ ସଂକୁଚିତ କରିବା ଚେଷ୍ଟା ଆନ୍ଦୋଳନକୁ ପ୍ରେରଣା ଦେଉଛି । ସ୍ୱଚ୍ଛ ବ୍ୟବସ୍ଥା,ଔଦ୍ୟୋଗିକ ପରିବେଶ ସୃଷ୍ଟି, କର୍ମସଂସ୍ଥାନର ପରିସର ବ୍ୟାପକ ହେବା ଓ ଜନମଙ୍ଗଳ ଦିଗରେ ଅଭିପ୍ରେତ ସରକାର ଦେଖିବାକୁ ଚାହାନ୍ତି ଜେନ୍ ଜି ଯୁବଗୋଷ୍ଠୀ । ନାଗରିକଙ୍କ ଅଧିକାର ଛଡ଼ାଇ ନେଇ ନିଜେ ପୁଷ୍ଟ ହେବାକୁ ଚାହୁଁଥିବା ରାଜନେତା ଓ ଅମଲାତନ୍ତ୍ରୀଙ୍କୁ ଏହି ବର୍ଗ ସହ୍ୟ କରନ୍ତି ନାହିଁ । ଜେନ୍ ଜି ଆନନ୍ଦୋଳନର ସଂଗଠନ ପ୍ରକ୍ରିୟା ଅନ୍ୟାନ୍ୟ ପାରମ୍ପରିକ ଆନ୍ଦୋଳନଠାରୁ ଭିନ୍ନ । ଡିଜିଟାଲ ମାଧ୍ୟମ ଏହାର ମୁଖ୍ୟ ହତିଆର । ନେପାଳରେ ଇଣ୍ଟରନେଟ ମାଧ୍ୟମରେ ଭ୍ରଷ୍ଟାଚାର ବିରୋଧରେ ଡିଜିଟାଲ ମିଡିଆରେ ବ୍ୟାପକ ଆଲୋଚନା କରାଯାଇଥିଲା । ପାକିସ୍ତାନରେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଆନ୍ଦୋଳନକୁ ଅଧିକ ବଳଶାଳୀ କରିଥିଲା । ନେପାଳ ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍, ଓ ୟୁଟ୍ୟୁବ୍ ଭଳି ପ୍ରମୁଖ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିଥିଲେ, କିନ୍ତୁ ଏହା ଆନ୍ଦୋଳନକୁ ବନ୍ଦ କରିବା ପରିବର୍ତ୍ତେ ଆହୁରି ତୀବ୍ର କରାଇଥିଲା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନରୁ ହିଂସାକୁ ପରିବର୍ତ୍ତନ ହେବାର ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳିଛି । ଆରମ୍ଭରେ ପାକିସ୍ତାନରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ହୋଇଥିଲା, କିନ୍ତୁ ପରେ ଅଜଣା ବନ୍ଧୁକଧାରୀ ଛାତ୍ରଙ୍କ ଏକ ଗ୍ରୁପ ଉପରେ ଗୁଳିମାଡ କରିବା ଫଳରେ ଆନ୍ଦୋଳନ ହିଂସ୍ର ରୂପ ନେଇଥିଲା । ନେପାଳର ବିକ୍ଷୋଭକାରୀମାନେ ପାର୍ଲାମେଣ୍ଟ, ସୁପ୍ରିମକୋର୍ଟ, ରାଜନୈତିକ ବ୍ୟକ୍ତିଙ୍କ ବାସଭବନରେ ନିଆଁ ଲଗାଇଦେଇଥିଲେ ।
ଜେନ୍ ଜି ଆନ୍ଦୋଳନର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଛି । ରାଜନୈତିକ ପରିବର୍ତ୍ତନ ଆଣିବାରେ ଏହି ଆନ୍ଦୋଳନ ସଫଳ ହେଉଛି । ନେପାଳରେ ପ୍ରଧାନମନ୍ତ୍ରୀଙ୍କୁ ହଟାଇଦେବା ସହ ମାଡଗାସ୍କରରେ ରାଷ୍ଟ୍ରପତିଙ୍କୁ ବିଦା କରିବାରେ ଏଭଳି ଆନ୍ଦୋଳନ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ଓ ବାଂଲାଦେଶରେ ଯୁବଗୋଷ୍ଠୀଙ୍କ ଆନ୍ଦୋଳନ ଫଳରେ ସରକାର ଗାଦିଚ୍ୟୁତ ହେଲା । ମାତ୍ର ଏସବୁ ପ୍ରଦର୍ଶନ ହିଂସାତ୍ମକ ଆନ୍ଦୋଳନରେ ପରିବର୍ତ୍ତିତ ହୋଇଥିଲା । ବ୍ୟାପକ ଧନଜୀବନ ମଧ୍ୟ ହାନି ହୋଇଥିଲା । ସାମାଜିକ ଓ ରାଜନୈତିକ ଚେତନା ସୃଷ୍ଟି କରିବାରେ ମଧ୍ୟ ଏହି ଆନ୍ଦୋଳନ ସଫଳ ହୋଇଛି । ଏହି ଆନ୍ଦୋଳନ ସଂଘବଦ୍ଧ ଯୁବଗୋଷ୍ଠୀର ଶକ୍ତିକୁ ପ୍ରତିପାଦିତ କରିଛି ଏବଂ ସରକାରଙ୍କୁ ନିଜ ନୀତି ଓ କାର୍ଯ୍ୟଶୈଳୀ ବିଷୟରେ ସ୍ୱଚ୍ଛ ହେବାକୁ ବାଧ୍ୟ କରିଛି । ସରକାରଙ୍କୁ ଜନସାଧାରଣଙ୍କ ମତାମତ ଓ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିଛି । ଜେନ୍ ଜି ଆନ୍ଦୋଳନ ଭଳି ପରିସ୍ଥିତି ଏଡାଇବା ପାଇଁ ସରକାରୀ ନୀତିରେ ପରିବର୍ତ୍ତନ ଆଣିବା ଜରୁରି । ସରକାରୀ ନୀତିଗୁଡ଼ିକ ଯୁବ-କୈନ୍ଦ୍ରିକ ଏବଂ ଯୁବପିଢ଼ିଙ୍କ ପାଇଁ ଲାଭଦାୟକ ହେବା ଉଚିତ । ଏଥିରେ ଶିକ୍ଷା, ନିଯୁକ୍ତି, ନ୍ୟାୟ, ଓ ଉନ୍ନତ ଜୀବନଶୈଳୀ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ଯୁବକଙ୍କ ମତାମତକୁ ଗୁରୁତ୍ୱ ଦେବା ସହ ସୁଶାସନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ନାଗରିକଙ୍କ ସ୍ୱାର୍ଥକୁ ଅଣଦେଖା କଲେ ତ୍ରାହି ନାହିଁ । ଭାରତରେ ୨୦୧୨ରେ ନିର୍ଭୟା ଘଟଣା ପରେ ଦେଶବ୍ୟାପୀ ଯୁବ ଆନ୍ଦୋଳନ ହୋଇଥିଲା, ଯାହା ଭାରତୀୟଙ୍କ ବିବେକକୁ ଦୋହଲାଇ ଦେଇଥିଲା । ଏହି ଘଟଣା ପରେ ଦେଶର ପ୍ରତି କୋଣଅନୁକୋଣରେ ଯୁବବର୍ଗ ମାତି ଉଠିଥିଲେ । ସରକାର ପରିବର୍ତ୍ତନରେ ଏହି ଆନ୍ଦୋଳନ ଅନ୍ୟତମ କାରଣ ଭାବେ ବିଚାର କରାଯାଏ ।ଏହି ଆନ୍ଦୋଳନ ବ୍ୟାପକ ହୋଇଥିଲେ ମଧ୍ୟ ଏହା ହିଂସାତ୍ମକ ପ୍ରତିକ୍ରିୟାରେ ପରିବର୍ତ୍ତିତ ହୋଇନଥିଲା । ଜେନ୍ ଜି ଆନ୍ଦୋଳନ ହେଉଛି ଏକ ଗଭୀର ସାମାଜିକ, ରାଜନୈତିକ, ଓ ଅର୍ଥନୈତିକ ଅସନ୍ତୋଷର ପ୍ରତିଫଳନ । ଏହାର ମୂଳ କାରଣ ଭ୍ରଷ୍ଟାଚାର, ଆର୍ଥିକ ଓ ସାମାଜିକ ଅସମାନତା,ପତନମୂଖୀ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଯୁବ ଅଧିକାରର ଅଣଦେଖା । ଏଭଳି ଆନ୍ଦୋଳନକୁ ଅଧିକ ସକ୍ରିୟ ଓ ବ୍ୟାପକ କରିବାରେ ଡିଜିଟାଲ ମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଭଳି ସ୍ଥିତି ଏଡାଇବା ପାଇଁ ସରକାରୀ ନୀତିରେ ପରିବର୍ତ୍ତନ ଆଣି ଯୁବଙ୍କ ମତାମତକୁ ଗୁରୁତ୍ୱ ଦେବା, ସୁଶାସନ କାୟମ ରଖିବା, ଓ ଯୁବଙ୍କ ଅଧିକାର ସୁରକ୍ଷିତ କରିବା ଆବଶ୍ୟକ । ରାଷ୍ଟ୍ରନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଧ୍ୟାନ ଦେବା ଜରୁରି ।
ରାଜ୍ୟ ସଭାପତି, ଉତ୍କଳ ସାମ୍ବାଦିକ ସଂଘ
ଓଡ଼ିଶା