ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରେଳ ବିଭାଗ କର୍ତ୍ତୃପକ୍ଷ ତତ୍ପର

 ବାଙ୍ଗିରିପୋଷି /ସାରାସକଣା: ଅକ୍ଟୋବର ମାସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ରହିଥିଲା, ଜିଲ୍ଲାରେ ରେଳ ବିଭାଗର ନୂତନ ପ୍ରକଳ୍ପ କାର୍ଯ୍ୟ ସହିତ ଅନ୍ୟାନ୍ୟ ପ୍ରକଳ୍ପ ଘୋଷଣା କରିବା ପାଇଁ, ହେଲେ ବାତ୍ୟା ଦାନା ପାଇଁ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଆସନ୍ତା ଡିସେମ୍ବର ମାସ ୭ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ  ଗସ୍ତ କାର୍ଯ୍ୟକ୍ରମ  ରହିଥିବା ବେଳେ, ବାଙ୍ଗିରିପୋଷି ଠାରେ  ତିନୋଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମହାମହିମ । ବାଙ୍ଗିରିପୋଷି - ଗୋରୁ ମହିସାଣି, ବୁଢ଼ାମରା - ଚକୁଳିଆ,ଏବଂ ବାଦାମପାହାଡ - କେନ୍ଦୁଝର  ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏ ନେଇ ରେଳବାଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । 
ଆଜି ରେଳବାଇର ଦକ୍ଷିଣ-ପୂର୍ବ ରେଳବାଇ ଖଡ଼ଗପୁର ଡିଭିଜନାଲ ଡିଆରଏମ ପ୍ରେମାନନ୍ଦ ଶର୍ମା ଏବଂ ପ୍ରତିନିଧିଦଳ ବାଙ୍ଗିରିପୋଷି ରେଳ ଷ୍ଟେସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ପ୍ରସ୍ତୁତିକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ସେହିପରି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି ଯେପରି ସୁରକ୍ଷୀତ ଭାବେ ମହାମାହିମଙ୍କ ଗସ୍ତ ସଫଳ ଭାବେ ସମାପନ ହୋଇପାରିବ ।