ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି
ବାଣପୁର : ରାସ୍ତା ସାରା ଭାସୁଛି ନର୍ଦ୍ଦମା ପାଣି । ଲୋକେ ହେଉଛନ୍ତି ହନ୍ତସନ୍ତ ଏ ଭଳି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ୧୭ନଂ ଜାତୀୟ ରାଜପଥ ନାଭଲ ଛକରେ । ଏହି ରାସ୍ତାରେ ନିର୍ମାଣ ହୋଇଥିବା ଓଭର ବ୍ରିଜ ତଳେ ଜଳ ନିଷ୍କାସନ ପାଇଁ ହୋଇଥିବା ଡ୍ରେନ୍ ଉଭୟ ପାର୍ଶ୍ୱରେ ହୋଇଥିବା ବେଳେ, ମଧ୍ୟ ଭାଗରେ ଥିବା ବଜାରରେ କାର୍ଯ୍ୟ ହୋଇ ନ ଥିବାରୁ ଡ୍ରେନରୁ ବାହାରି ବଜାର ମଧ୍ୟରେ ଜମା ହୋଇ ରହୁଛି । ଫଳରେ ରାସ୍ତା ସାରା ପାଣି ଭାସିବା ସହ ଦୁର୍ଗନ୍ଧ ହେବା ସହ ପରିବେଶ ଦୂଷିତ ହେଉଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁ ବଜାର ମଧ୍ୟରେ ବ୍ୟବସାୟ କରୁଥିବା ଦୋକାନୀ ଗ୍ରାହକ ଓ ନିକଟରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି । ଏ ଭଳି ଅସୁବିଧାର ସମ୍ମୁଖୀନ ହେବାରୁ ବଜାର କମିଟି ପକ୍ଷରୁ ନାଭଲ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ, ସମସ୍ୟାର କୌଣସି ସମାଧାନ ହୋଇ ପାରି ନାହିଁ । ୭ଦିନ ମଧ୍ୟରେ ଡ୍ରେନ ନିର୍ମାଣ କାର୍ଯ୍ୟ କରା ନ ଗଲେ ବାଧ୍ୟହୋଇ ରାସ୍ତା ଅବରୋଧ କରାଯିବ ବୋଲି ବଜାର କମିଟି ଉଚ୍ଚକର୍ତ୍ତୃପକ୍ଷଙ୍କୁ ଚେତାବନି ଦେଇଥିବା ଜଣାଯାଇଛି ।