"ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ

ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବି ମାଲିଗୁଡା ଗ୍ରାମରେ ଓଡ଼ିଆ ପକ୍ଷ ପାଳନର ଦଶମ ଦିନରେ "ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ୍ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମଞ୍ଚରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରସିଦ୍ଧ ଦେଶିଆ ନାଟଗୁରୁ ସ୍ୱର୍ଗତ ଚଇତନ ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।  ଅତିଥି ଭାବେ ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରହାସ ମହାନନ୍ଦିଆ, ନନ୍ଦାହାଣ୍ଡି ବିଡିଓ ସୁନିଲ ଖରା, ବରିଷ୍ଠ କଳାକାର ଦେବଦାସ ମହାକୁଡ, କାର୍ତ୍ତିକ ଭତରା, ନରସିଂହ ତ୍ରିପାଠୀ, ମୋହନ ପରିଡ଼ା, ଭଗବାନ ଭତରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରଚାର କରିବା ସହିତ ଆଗାମୀ ପିଢ଼ିଙ୍କୁ ଏହା ସହିତ ଯୋଡ଼ିବାର ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସାଇଲୁଡ଼ି ନୃତ୍ୟ ବିଦ୍ୟାପୀଠ, ପୁରୁଷୋତ୍ତମ କଳା କେନ୍ଦ୍ର, ଓଡିଶୀ ସଙ୍ଗୀତ ଓ ନୃତ୍ୟ ପ୍ରତିଷ୍ଠାନ, ତ୍ରିଶକ୍ତି ସାଂସ୍କୃତିକ ସଂଘ ଭଳି ସାଂସ୍କୃତିକ ଅନୁଷ୍ଠାନ, ୧୦ଟି ବ୍ଲକ କଳା ସାଂସ୍କୃତିକ ପରିଷଦର ଉପସଭାପତି ଏବଂ ଜିଲ୍ଲାର ୧୮ ଜଣ ବିଶିଷ୍ଟ ଓ ବରିଷ୍ଠ କଳାକାରମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଭାରେ ବିଭିନ୍ନ ବ୍ଲକର କଳାକାର ଭୀମ ଭତରା, ଶ୍ୟାମଘନ ଦାସ, ଡମ୍ବରୁଧର ନାୟକ, ଟଙ୍କ ମଣ୍ଡଳ ପ୍ରମୁଖଙ୍କ ସହ କଳା ପ୍ରେମୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସଭାଟିକୁ ଆୟୋଜନ ଓ ମଞ୍ଚ ପରିଚାଳନା କରିଥିଲେ ।