ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ

ପୁରୀ: ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ପକ୍ଷରୁ ପୌରସଦନ ଠାରେ ଅନୁଷ୍ଠିତ ହୋଇଛି ଶ୍ରୀ ଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ । ଚେତନା ଓ ଚୀନ୍ତନରେ ଶ୍ରୀ ଜଗନ୍ନାଥ ଶୀର୍ଷକ ବିଷୟକୁ ନେଇ ସନ୍ଥମାନେ କହିଥିଲେ ଯେ ଭଗବତ ଦର୍ଶନ ଓ ମୁକ୍ତି ପାଇବା ପାଇଁ ଭକ୍ତି ଏକମାତ୍ର ମାଧ୍ୟମ । ଭଗବାନଙ୍କ ନିକଟରେ ଆତ୍ମସମର୍ପଣ ଦ୍ୱାରା ଜୀବାତ୍ମା ଓ ପରମାତ୍ମା ଏକ ହୋଇଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ଲୌକିକ ସ୍ୱରୁପ ଅପେକ୍ଷା ଆଧ୍ୟାତ୍ମିକ ସ୍ୱରୂପକୁ ମହତ୍ତ୍ୱ ହେବା ଆବଶ୍ୟକ । ଦିବ୍ୟଜୀବନ ସଂଘ ରୁଷିକେଶର ଉପାଧ୍ୟକ୍ଷ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ, ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ବିଶ୍ୱାତ୍ମା ଚେତନା ପରିଷଦ ଅଧ୍ୟକ୍ଷ ପରମହଂସ ସ୍ୱାମୀ ସତ୍ୟ ପ୍ରଜ୍ଞାନାନନ୍ଦ ସରସ୍ୱତୀ ପ୍ରମୁଖ ବର୍ହିମୁଖୀ ଚେତନାକୁ କିଭଳି ଅନ୍ତର୍ମୁଖୀ କରିବା ସେ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଡ଼କ୍ଟର ଗୁରୁପ୍ରସାଦ ମହାପାତ୍ର ଓ ତାପସ ରାଜଙ୍କ ସଂଯୋଜନାରେ ସଂଗ୍ରାମକେଶରୀ ପଟ୍ଟନାୟକ, ଡ଼କ୍ଟର ହରପ୍ରସନ୍ନ ଦାସ, ସୁକାନ୍ତୁ ସାହୁ, ଡ଼କ୍ଟର ଆଦିତ୍ୟ ପରିଡ଼ା ଓ କୁନା ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।