ଶ୍ରୀମନ୍ଦିର ଆଇନରେ ହେବ ସଂଶୋଧନ
ପୁରୀ: ବିଭିନ୍ନ ପ୍ରସଙ୍ଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ପ୍ରସ୍ତୁତି, ରତ୍ନଭଣ୍ଡାର ମରାମତିର ଅଗ୍ରଗତି, ମହାପ୍ରଭୁଙ୍କ ଜମିଜମା ସମସ୍ୟା, ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଓ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରି ଦର୍ଶନ ବ୍ୟବସ୍ଥା କରାଯିବା ଉପରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା । ବୈଠକ ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରଥଯାତ୍ରା ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି । ପ୍ରସ୍ତୁତି କାର୍ଯ୍ୟ ସୂଚାରୁ ରୂପେ ଚାଲିଛି । ରତ୍ନଭଣ୍ଡାର ମରାମତିର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ବାହାର ଓ ଭିତର ରତ୍ନଭଣ୍ଡାର ମଝିରେ ୫ଟି ବିମ୍ ଲାଗିଥିଲା । ତାହା କଳଙ୍କି ଲାଗି ଖରାପ ହୋଇଛି । ଲୁହା ବିମ୍ ବଦଳରେ ଷ୍ଟେନ୍ଲେସ୍ ବିମ୍ ୫ଟି ଖଞ୍ଜା ଯାଇଛି । ପଥର ଗୁଡ଼ିକୁ ବଦଳାଯାଉଛି । କେମିକାଲ ୱାସିଂ ଚାଲିଛି । ବାହାର ରତ୍ନଭଣ୍ଡାରକୁ ଡ଼ି ପ୍ଲାଷ୍ଟରିଂ କରାଯାଉଥିବା ସମୟରେ ଖରାପ ପଥର ବାହାରୁଛି । ଏ.ଏସ୍.ଆଇ ରତ୍ନଭଣ୍ଡାରକୁ ଦୀର୍ଘସ୍ଥାୟୀ ମରାମତି କରିବ । ଏହାପରେ ଚଟାଣ ମରାମତି କରାଯିବ । ଅକ୍ଷୟତୃତୀୟା ସମୟକୁ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଯିବାର ଆଶା ରଖାଯାଇଛି । ଏଏସ୍ଆଇକୁ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରୁଛି । ଶ୍ରୀମନ୍ଦିର ଉପରେ ଓ ଚାରିପଟେ ଡ଼୍ରୋନ୍ କ୍ୟାମେରା ଉଡ଼ାଣ ଓ ମୋବାଇଲ ଫୋନ୍ ମନ୍ଦିର ଭିତରକୁ ଯିବା ଉପରେ ପ୍ରଶ୍ନ ହେବାରେ ସେ ପ୍ରତିକ୍ରିୟାରେ କହିଥିଲେ ଯେ ଦଣ୍ଡବିଧାନ ପର୍ଯ୍ୟାପ୍ତ ନୁହେଁ । ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କଠୋର ଆଇନ ଆବଶ୍ୟକ । ଶ୍ରୀମନ୍ଦିର ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ । ପଣାସଂକ୍ରାନ୍ତିରେ ଓଡ଼ିଆ ନବବର୍ଷର କ୍ୟାଲେଣ୍ଡର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇବ । ମହାପ୍ରଭୁଙ୍କ ପାଖରେ ଲାଗି କରାଯିବା ପରେ ପଣାସଂକ୍ରାନ୍ତି କିମ୍ବା ଅକ୍ଷୟତୃତୀୟା ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରର ନୂଆ ୟୁଟୁବ ଚ୍ୟାନେଲ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ହୋଇଛି । ଜୈବିକ ପଦ୍ଧତିରେ କୋଠ ଭୋଗରେ ଅମୃତ ଅନ୍ନ ବ୍ୟବହାର ହେବ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆଉ ଏକ ସୂଚନା କେନ୍ଦ୍ର ପ୍ରତିଷ୍ଠାହେବ । ସେଠାରେ ଏଲଇଡ଼ି ମାଧ୍ୟମରେ ଡ଼ିସ୍ପ୍ଲେ କରାଯିବ । ଶ୍ରୀମନ୍ଦିରର ଜମିଜମା ବିକ୍ରୀ ସଂକ୍ରାନ୍ତ ୟୁନିଫର୍ମ ପଲିସି ପରିଚାଳନା କମିଟିରେ ଅନୁମୋଦିତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଲାଗୁ ହେବ ନୂତନ ୟୁନିଫର୍ମ ପଲିସି । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯିବ । ଏକ୍ସପୋର୍ଟ ମାନେ ଡ଼ାଇଗ୍ରାମ ଦେଖାଇଛନ୍ତି । ନୀତିକାନ୍ତି ଉପରେ ଏହାଦ୍ୱାର କୌଣସି ପ୍ରଭାବ ପଡ଼ିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ୟୁଟୁବ ଓ ଏଫ୍ଏମ୍ ଚ୍ୟାନେଲ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଛି ।