ସଂରକ୍ଷିତ ଜମିରେ ବେଆଇନ ନିର୍ମାଣ କାର୍ଯ୍ୟ; ଗ୍ରାମବାସୀଙ୍କ ବିରୋଧ
ଯାଜପୁର : ଏକ ସରକାରୀ ସଂରକ୍ଷିତ ଜମିରେ କିଛି ଗୋଷ୍ଟୀ ବେଆଇନ ନିର୍ମାଣ କାର୍ଯ୍ୟ କରିବାକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ଏନେଇ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ରସୁଲପୁର ତହସିଲ ଅନ୍ତର୍ଗତ ସୁଆଁସାହି ମୌଜା ଖାତା ନଂ-୪୬୯, ପ୍ଲଟ ନଂ-୧୯୨୬, ୨୦ ଡେସିମିଲ ରକ୍ଷିତ କିସମ ଜମି ଉପରେ ଆବାହମାନ କାଳରୁ ଖରସ୍ରୋତା ନଦୀବନ୍ଧ ଯାଇଛି ଯାହା ବନ୍ଧକୁ ସଂଲଗ୍ନ ଥିବା ଏହି ଜମିଟି ଉପରେ ଗ୍ରାମର ଲୋକେ ପିଢ଼ି ପିଢ଼ି ଧରି ଚାରଣ ଭୂମି ଭାବରେ ବ୍ୟବହାର କରି ଆସୁଛନ୍ତି ।
ଏହାଛଡା ବନ୍ଧ ଉପରେ ନିକଟସ୍ଥ ଖଣ୍ଡିତର ଗ୍ରାମର ସାନ ତ୍ରିଲୋଚନପୁର, ସୁଆଁସାହି ପ୍ରଭୁତି ଗ୍ରାମର ଜନସାଧାରଣ ମଧୁବନ ଡାକ୍ତରଖାନା, ମଧୁବନ କଲେଜ, ସାପ୍ତାହିକ ମଧୁବନ ହାଟକୁ ଦୈନନ୍ଦିନ ରାସ୍ତା ଭାବରେ ଯିବା ଆସିବା ମଧ୍ୟ କରିଥାନ୍ତି । ଏହି ମୃତ ଖରସ୍ରୋତାକୁ ଚିରସ୍ରୋତାରେ ପରିଣତ କରିବା ସକାଶେ ସମସ୍ତ ଯୋଜନା ପ୍ରସ୍ତୁତ ସାରିଥିବା ବେଳେ ନିର୍ମାଣ କାର୍ଯ୍ୟ ହେଲେ ଜମି ସଲଗ୍ନ ନଦୀ ବନ୍ଧ ପ୍ରତି ବିପଦ ଆଶଙ୍କା ଦେଖାଦେବ ଯାହା ଗ୍ରାମବାସୀ ଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ତେବେ ଗ୍ରାମ ମଧ୍ୟରେ ଅନେକ ସରକାରୀ ଜମି ଥାଇ ଏକ ସର୍ବସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ଜମି ଉପରେ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିଙ୍କୁ କେଉଁ ଉଦ୍ଦେଶ୍ୟରେ ତହସିଲଦାର ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦେଇଛନ୍ତି ତାହା ଗ୍ରାମବାସୀଙ୍କ ଚିନ୍ତାର କାରଣ ହେଇଛି । ଅଭିଯୋଗ ଅନୁଯାୟୀ ଉକ୍ତ ସ୍ଥାନଟି ବର୍ତମାନ କିଛି ଅସାମାଜିକ, ନିଶାଖୋର ଲୋକଙ୍କ ଆଡ୍ଡାସ୍ଥଳୀ ହେଇଥିବାବେଳେ ଏଠାରେ ପ୍ରସ୍ତାବିତ ଭାଗବତ ଟୁଙ୍ଗୀ ନିର୍ମାଣ ହେଲେ ଏହା ଗ୍ରାମବାସୀଙ୍କ ସ୍ୱାର୍ଥରେ ନ ଆସି ଅସାମାଜିକ ଲୋକଙ୍କ ଅଡ୍ଡାସ୍ଥଳୀ ହେବ । ଯାହା ଜନସ୍ୱାର୍ଥ ବିରୋଧୀ ଅଟେ । ତେଣୁ ନିର୍ମାଣଧୀନ କାର୍ଯ୍ୟକୁ ବନ୍ଦ କରିବା ସଙ୍ଗେ ସଙ୍ଗେ ପ୍ରଶାସନ ପକ୍ଷରୁ ତଦନ୍ତ କରି ଗ୍ରାମବାସୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ ସ୍ଥାନ ନିରୂପଣ ସହିତ ଉକ୍ତ ଧାର୍ମିକ ଅନୁଷ୍ଠାନକୁ ଗ୍ରାମ ମଧ୍ୟରେ ଥିବା ଉପଯୁକ୍ତ ଜାଗାରେ ନିର୍ମାଣ କରାଗଲେ ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ବୋଲି ଗ୍ରାମର ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳ ଯାଜପୁର, ତହସିଲଦାର ରସୁଲପୁର, ବିଡିଓ ରସୁଲପୁର, ଜଳସମ୍ପଦ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିବା ଜଣାପଡିଛି ।