ସନାତନୀ ହିନ୍ଦୁତ୍ୱର ଐତିହ୍ୟ ଓ ବର୍ତ୍ତମାନ
ଗୋପାଳ ମହାପାତ୍ର : ଭାରତୀୟ ପରମ୍ପରା ଅନୁସାରେ ଧର୍ମ ଶବ୍ଦର ଅର୍ଥ ଯାହା ୟୁରୋପ ଏବଂ ମଧ୍ୟ ପ୍ରାଚ୍ୟରେ ସଂପୂର୍ଣ୍ଣ ଭିନ୍ନ । ହିନ୍ଦୁ ଧର୍ମ ଦାର୍ଶନିକ ଆଧାରଯୁକ୍ତ ଅଟେ, ଏହା ବ୍ୟକ୍ତିକୈନ୍ଦ୍ରିକ ନୁହେଁ ବରଂ ଅନେକ ଉପାସନା ପଦ୍ଧତିର ସଙ୍ଗମ ଅଟେ । ହିନ୍ଦୁ ଧର୍ମରେ ଦେଶ-କାଳକୁ ନେଇ ସୁଧାର ମଧ୍ୟ ସମ୍ଭବ । ସନାତନ ପରମ୍ପରାରେ ଇଷ୍ଟଦେବଙ୍କ ନାମ ଅନୁସାରେ ୫ଟି ମୁଖ୍ୟ ଉପାସକ ସମୁଦାୟ ରହିଛି । ଏସବୁ ହେଉଛି ସୌର, ଶୈବ, ଶାକ୍ତ, ବୈଷ୍ଣବ ଏବଂ ଗାଣପତ୍ୟ । ଦକ୍ଷିଣ ଭାରତରେ ଏହି ୫ଟି ଉପାସକଙ୍କ ସହ ସ୍କନ୍ଦ ପୂଜକ ମଧ୍ୟ ଦେଖିବାକୁ ମିଳନ୍ତି । ପ୍ରାଚୀନ କାଳରେ ଏହି ଉପାସକ ସଂପ୍ରଦାୟମାନେ ପରସ୍ପରକୁ ବିରୋଧ କରୁଥିଲେ ଓ ସ୍ଥିତି ମଧ୍ୟ ଗମ୍ଭୀର ହେଉଥିଲା । କାଳାନ୍ତରରେ ଏସବୁ ଉପାସକ ସଂପ୍ରଦାୟ ବା ଗୋଷ୍ଠୀ ପରସ୍ପର ମଧ୍ୟରେ ବୁଝାମଣା କରି ବା ସାମଞ୍ଜସ୍ୟ ସ୍ଥାପନ କରିଥିଲେ ଓ ଉପାସନା ପଦ୍ଧତିିରେ ପାର୍ଥକ୍ୟ ଥିଲେ ମଧ୍ୟ ପରସ୍ପରର ଇଷ୍ଟଦେବଙ୍କୁ ସମ୍ମାନ କରିବା ଆରମ୍ଭ କରିଥିଲେ । କପିଳ ମୁନି ପ୍ରଣୀତ ନୀରିଶ୍ୱରବାଦ ମଧ୍ୟ ସନାତନର ଅଂଶ ବିଶେଷ । ଜୈନଧର୍ମ ଓ ବୌଦ୍ଧ ଧର୍ମର ଅଭୁ୍ୟଦୟ ହେବା ପରେ ପୁଣି ସାମଞ୍ଜସ୍ୟର ଆବଶ୍ୟକତା ପଡିଲା ଏଣୁ ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଗ୍ରହଣ କରାଗଲା । ଏପରିକି ତୀର୍ଥଙ୍କର ମହାବୀରଙ୍କୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରାଗଲା । କିନ୍ତୁ ନୀରିଶ୍ୱରବାଦୀ ମାନେ ପ୍ରଭାବହୀନ ହୋଇପଡିଥିଲେ । ପରବର୍ତ୍ତୀ କାଳରେ ହିନ୍ଦୁ ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏବଂ ଜାତିର ଭ୍ରାନ୍ତ ବ୍ୟାଖ୍ୟା କାରଣରୁ ବିଭାଜିତ ସମାଜର ଲାଭ ବିଦେଶୀ ଆକ୍ରମଣକାରୀ ମାନେ ଉଠାଇଥିଲେ । ଇସଲାମୀ ଏବଂ ଇସାଇ(ଖ୍ରୀଷ୍ଟ୍ର) ଧର୍ମାବଲମ୍ବୀ ସାମ୍ରାଜ୍ୟବାଦୀ ମାନଙ୍କର ସ୍ୱପ୍ନ ଥିଲା ଭାରତ ଉପରେ ଶାସନ କରିବା । ଏହି କାରଣରୁ ମୁସଲମାନମାନେ ଅନବରତ ଆକ୍ରମଣ କରି ଭାରତ ଉପରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରି ପାରିଥିଲେ । ନିଜର ଉଦେ୍ଦଶ୍ୟ ଚରିତାର୍ଥ କରିବା ପାଇଁ ସେମାନେ ହତ୍ୟା, ବଳାକôାର, ଅପହରଣ ଏବଂ ବଳପୂର୍ବକ ଧର୍ମନ୍ତରଣ ଆରମ୍ଭ କରିଦେଇଥିଲେ । ଅତ୍ୟାଚାରିତ ହିନ୍ଦୁସମାଜ ପରିସ୍ଥିତିକୁ ଦେଖି ବୁଝାମଣା କରିବା ପାଇଁ ବାଧ୍ୟ ହୋଇଥିଲେ । ଏଭଳି ସମୟରେ ବିଭ୍ରାନ୍ତ ହିନ୍ଦୁଙ୍କ ମଧ୍ୟରେ ଆତ୍ମଗୌରବ, ନୈତିକତା, ଆଦର୍ଶ ଏବଂ ପରାକ୍ରମକୁ ପ୍ରନଃଜୀବିତ କରିବା ପାଇଁ ଗୋସ୍ୱାମୀ ତୁଳସୀ ଦାସ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କୁ ଆଦର୍ଶ ଜନନାୟକ ଭାବେ ଚିତ୍ରଣ କରି ରାମଚରିତ ମାନସ ରଚନା କରିଥିଲେ । ପରବର୍ତ୍ତୀ ସମୟରେ ହିନ୍ଦୁ ସଂଗଠିତ ହୋଇଥିଲେ । ଆକବରି ନିୟମ ମୋଗଲ ଶାସନକୁ କିଛି ବର୍ଷ ପର୍ଯ୍ୟନ୍ତ କାଏମ ରଖିଥିଲା । ହିନ୍ଦୁମାନଙ୍କ ମଧ୍ୟରେ କ୍ରମେ କ୍ରମେ ଭେଦଭାବ କମିବାରେ ଲାଗିଲା । ଏହାର ଏକ ଉଦାହରଣ ହେଉଛି ବଙ୍ଗଳା(ବର୍ତ୍ତମାନର ପଶ୍ଚିମବଂଗ)ର ଜନୈକ ଜମିଦାର ସର୍ବଧର୍ମ ସମନ୍ୱୟ ପାଇଁ ୧୬୧୦ରେ ପ୍ରଥମ କରି ଏକାସାଥିରେ ମାଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ, ଗଣପତି ତଥା କାର୍ତ୍ତିକେୟଙ୍କ ପ୍ରତିମୂର୍ତ୍ତି ସହ ସେମାନଙ୍କ ବାହନର ମୂର୍ତ୍ତି କରାଇ ମହିଷାସୁରମର୍ଦିନୀ ରୂପରେ ଦୂର୍ଗାପୂଜାର ଆରମ୍ଭ କରିଥିଲେ । ସେହି ଦୁର୍ଗାପୂଜା ଲୋକପ୍ରିୟ ହୋଇଥିଲା ଓ କ୍ରମେ କ୍ରମେ ଏହି ପୂଜା ସାରା ଭାରତରେ ଏପରିକି ବିଦେଶରେ ମଧ୍ୟ ଲୋକପ୍ରିୟ ହେଲା ।
ମୋଗଲ ଶାସକ ମାନେ ଦୁର୍ବଳ ହେବାରେ ଭାରତ ଉପରେ ୟୁରୋପୀୟ ଦେଶମାନଙ୍କର ଦୃଷ୍ଟି ପଡିଲା । ଆର୍ମେନିଆ, ହଲାଣ୍ଡ, ପର୍ତ୍ତୁଗାଲ, ଫ୍ରାନ୍ସ ତଥା ଇଂଲଣ୍ଡ ଭଳି ଦେଶମାନଙ୍କ ମଧ୍ୟରେ ଭାରତକୁ କବଜା କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ବଢିଚାଲିଲା । କିନ୍ତୁ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ଏ ଦିଗରେ ସଫଳ ହୋଇଥିଲେ । ସେହି ସମୟରେ ଅନେକ ହିନ୍ଦୁ ବ୍ରିଟିଶ ମାନଙ୍କୁ ମୁସଲିମ ଶାସକଙ୍କ ଅପେକ୍ଷା ଉତ୍ତମ ବୋଲି ବିଚାର କରିଥିଲେ । ପଲାସି ଯୁଦ୍ଧରେ ମୀରଜାଫର ଧୋକା ଦେଇଥିଲେ । ଏପରିକି କେତେକ ହିନ୍ଦୁରାଜା ଓ ଜମିଦାର ଇଂରେଜଙ୍କର ସହାୟତା କରିଥିଲେ । ୧୭୬୫ରେ ଦିୱାନୀ ମିଳିବା ପରେ ଇଂରେଜ ମାନେ ପୂର୍ବ ଭାରତରେ ସମସ୍ତ ଉଦ୍ୟୋଗ-ଧନ୍ଦାକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲେ । ଅତ୍ୟଧିକ ଟିକସ ଆଦାୟ କାରଣରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା, ୧୭୭୧ରେ ଭୟଙ୍କର ମରୁଡି ପଡିଥିଲା ଓ ପାଖାପାଖି କୋଟିଏ ଲୋକଙ୍କର ମୃତୁ୍ୟ ହୋଇଥିଲା । ଏହି ସମୟରେ ହିନ୍ଦୁ ସନ୍ନ୍ୟାସୀ ମାନେ ଭବାନୀ ଚରଣ ପାଠକଙ୍କ ନେତୃତ୍ୱରେ ଇଂରେଜ ମାନଙ୍କୁ ବିରୋଧ ଆରମ୍ଭ କରିଥିଲେ । ସେ ସମୟ ଭାରତ ପାଇଁ ଦୁର୍ଦିନ ଥିଲା । ମୁସଲମାନ ଏକପ୍ରକାର ପରାଜିତ ହୋଇଥିଲେ ଏବଂ ହିନ୍ଦୁମାନେ ଜାତିଆଣ ଭାବ ଓ ଅନେକ କୂରୀତିକୁ ନେଇ ବିବାଦ କରୁଥିଲେ । ଏଭଳି ପରିସ୍ଥିତିର ଲାଭ ଉଠାଇ ଇଂରେଜ ନିଜର ଶ୍ରେଷ୍ଠତା ସ୍ଥାପନ କରିବା ଆରମ୍ଭ କରିଦେଇଥିଲେ ଏବଂ ଧର୍ମାନ୍ତରଣକୁ ମଧ୍ୟ ପ୍ରୋସôାହିତ କରିଥିଲେ । ଏଭଳି ସମୟରେ ଜନ୍ମ ନେଇଥିଲେ ରାମ ମୋହନ ରାୟ । ସେ ସଂସ୍କୃତ, ଅରବି, ଫରାସୀ, ଗ୍ରୀକ୍, ଲାଟିନ୍ ଓ ଇଂରାଜୀ ଆଦି ଭାଷାରେ ପାରଙ୍ଗମ ଥିଲେ ଏବଂ ସବୁ ଭାଷାର ଧର୍ମଗ୍ରନ୍ଥକୁ ଅଧ୍ୟୟନ କରିଥିଲେ । ବାଲ୍ୟବିବାହ, ବହୁ-ବିବାହ ଏବଂ ସତୀଦାହ ଆଦି ପ୍ରଥାକୁ ବିରୋଧ କଲେ ଏବଂ ବ୍ରହ୍ମସମାଜର ସ୍ଥାପନା କରିଥିଲେ । ପ୍ରଗତିଶୀଳ ହିନ୍ଦୁମାନେ ତାଙ୍କୁ ମଧ୍ୟ ସମର୍ଥନ କରିଥିଲେ । ଶାହଆଲମଙ୍କ ପୁତ୍ର ଆକବର ଦ୍ୱିତୀୟ ତାଙ୍କୁ ରାଜା ଉପାଧି ଦେବା ସହ ଲଣ୍ଡନରେ ମୋଗଲ ସମ୍ରାଟଙ୍କ ପ୍ରତିନିଧି ଭାବେ ନିଯୁକ୍ତ ଦେଇଥିଲେ । ରାଜା ରାମମୋହନ ରାୟ ଇଂରେଜୀ ଶିକ୍ଷା ତଥା ସ୍ତ୍ରୀ ଶିକ୍ଷାକୁ ପ୍ରୋସôାହିତ କରିଥିଲେ । ୧୮୩୩ରେ ତାଙ୍କର ଦେହାନ୍ତ ହୋଇଥିଲା କିନ୍ତୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ଅନେକ ପ୍ରଗତିଶୀଳ ବ୍ୟକ୍ତି ତାଙ୍କ କାର୍ଯ୍ୟକୁ ସମ୍ଭାଳିଥିଲେ । ହିନ୍ଦୁ ଇଂରେଜୀ ଶିକ୍ଷାକୁ ଆପଣେଇନେଲେ । ଇଂରେଜଙ୍କୁ ବିରୋଧ ଜାରି ରହିଲା ଓ ୧୮୫୭ରେ ଏହା ରୂପ ନେଇଥିଲା । ଇଂରେଜଙ୍କ ବିରୁଦ୍ଧରେ ରାଣୀ ଲକ୍ଷ୍ମୀବାଇ, ନାନାସାହେବ, ତାନ୍ତିଆ ଟୋପି, କୁଅଁର ସିଂହ ଏବଂ ବେଗମ ହଜରତ ମହଲ ବିଦ୍ରୋହ କରିଥିଲେ । କିନ୍ତୁ ପଞ୍ଜାବ, କାଶ୍ମୀର, ହାଇଦ୍ରାବାଦ, ଟ୍ରାଭାଙ୍କୋର ଏବଂ ମହୀଶୂରର ଶାସକମାନେ ନୀରବ ରହିଥିଲେ ଅଥବା ଇଂରେଜଙ୍କ ସହାୟତା କରିଥିଲେ । ଏହି ଯୁଦ୍ଧରେ କେହି ନିଜକୁ ହିନ୍ଦୁ ବା ମୁସଲମାନ କହିନଥିଲେ ବରଂ ପରିଚୟଥିଲା ସ୍ୱତନ୍ତ୍ରତା ସେନାନୀ । ହିନ୍ଦୁ ବହୁ ସଂଖ୍ୟକ ଥିଲେ ମଧ୍ୟ ଉଭୟ ଧର୍ମର ସୈନିକମାନେ ଅନ୍ତିମ ମୋଗଲ ବାଦଶାହ ବାହାଦୁର ଶାହଜାଫରଙ୍କୁ ସେମାନଙ୍କ ନେତା ବୋଲି ମାନି ନେଇଥିଲେ । ଏହି ବିଦ୍ରୋହ ଯାହାକୁ ସିପାହୀ ବିଦ୍ରୋହ କୁହାଯାଇଥିଲା ତାହା ବିଫଳ ହୋଇଥିଲା । ଏହାପରେ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆ ଭାରତର ଶାସନ ଭାର ହାତକୁ ନେଲେ ।
ହିନ୍ଦୁ ସମାଜକୁ ସୁଧାରିବାର ଉଦ୍ୟମ ଜାରି ରହିଥିଲା କିନ୍ତୁ କଟ୍ଟର ପନ୍ଥୀ ଇସଲାମ ସମାଜରେ ସୁଧାର ସମ୍ଭବ ହୋଇନଥିଲା । ଏହି ସମୟରେ ପଣ୍ଡିତ ଦୟାନନ୍ଦ ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା । ଦୟାନନ୍ଦଙ୍କ ମତରେ ପୁରାଣ, ଉପନିଷଦ ଏପରିକି ବୌଦ୍ଧ, ଜୈନ, ଶିଖ, ଖ୍ରୀଷ୍ଟିଆନ, ଇସଲାମ ଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସେ ସତ୍ୟାର୍ଥ ପ୍ରକାଶ ନାମକ ଏକ ପୁସ୍ତକ ରଚନା କରିଥିଲେ ଓ ୧୮୭୫ରେ ଆର୍ଯ୍ୟସମାଜର ସ୍ଥାପନା କରିଥିଲେ । ତାଙ୍କ ମତ ଓ କାର୍ଯ୍ୟକୁ ସବୁସ୍ତରରେ ବିରୋଧ କରାଯାଇଥିଲା ଓ ୧୮୮୩ ତାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କ ମୃତୁ୍ୟ ଏକ ହତ୍ୟାକାଣ୍ଡ ବୋଲି ସେତେବେଳେ ଜଣାପଡିଥିଲା । ୧୮୭୮ରେ ମାଡ୍ରାସ ( ବର୍ତ୍ତମାନ ଚେନ୍ନାଇ)ରୁ ‘ଦି ହିନ୍ଦୁ’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ ପାଇଥିଲା ଓ ୧୮୮୯ରେ ଏହା ଦୈନିକ ସମ୍ବାଦ ପତ୍ରରେ ପରିଣତ ହୋଇଥିଲା । ଏହି ପତ୍ରିକା ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉଠାଉଥିଲା । ୧୮୮୨ରେ ବଙ୍କିମଚନ୍ଦ୍ର ଚଟ୍ଟେପାଧ୍ୟାୟ ୧୭୭୧ର ସନ୍ୟାସୀ ମାନଙ୍କ ଆନେ୍ଦାଳନର ପୃଷ୍ଠଭୂମିକୁ ନେଇ ‘ଆନନ୍ଦମଠ’ ଓ ‘ଦେବୀ ଚୌଧୁରାଣୀ’ ନାମରେ ଦୁଇଟି ଉପନ୍ୟାସ ରଚନା କରିଥିଲେ । ଦେଶକୁ ଭାରତମାତା ରୂପରେ ବନ୍ଦନା କରି ‘ବନେ୍ଦମାତରମ୍’ ଗୀତ ବ୍ରିଟିଶ ସରକାର ବିରୁଦ୍ଧରେ ଆନେ୍ଦାଳନର ସ୍ଲୋଗାନ ପାଲଟି ଯାଇଥିଲା । ବଙ୍କିମଚନ୍ଦ୍ରଙ୍କ ଶିଷ୍ୟ ଚନ୍ଦ୍ରନାଥ ବସୁ ୧୮୯୨ରେ ‘ହିନ୍ଦୁତ୍ୱ- ହିନ୍ଦୁର ପ୍ରକୃତ ଇତିହାସ’ ନାମକ ପୁସ୍ତକ ରଚନା କରିଥିଲେ ଏବଂ ପ୍ରଥମଥର ହିନ୍ଦୁତ୍ୱ ଶବ୍ଦର ପ୍ରୟୋଗ କରିଥିଲେ । ପରବର୍ତ୍ତୀ ସମୟରେ ସାବରକର ପ୍ରମୁଖ ଅନେକ ହିନ୍ଦୁତ୍ୱବାଦୀ ନେତା ହିନ୍ଦୁତ୍ୱ ଶବ୍ଦର ବ୍ୟବହାର କରିଥିଲେ । ୧୮୯୩ ସେପ୍ଟେମ୍ବର ୧୧ ତାରିଖ ଚିକାଗୋ ଠାରେ ଅନୁଷ୍ଠିତ ବିଶ୍ୱ ଧର୍ମ-ସଂସଦରେ ପହଞ୍ଚô ସ୍ୱାମୀ ବିବେକାନନ୍ଦ ଐତିହାସିକ ଭାଷଣ ଦେଇଥିଲେ ଓ ବିଶ୍ୱରେ ହିନ୍ଦୁତ୍ୱର ଜୟଘୋଷ କରିଥିଲେ । ବିବେକାନନ୍ଦ କହିଥିଲେ “ମୁଁ ମୋର ଧର୍ମ ପାଇଁ ଗର୍ବ ଅନୁଭବ କରୁଛି ଏହି ଧର୍ମ ସାରା ବିଶ୍ୱକୁ ସହିଷ୍ଣୁତା ଏବଂ ବିଶ୍ୱବନ୍ଧୁତ୍ୱର ପାଠ ପଢ଼ାଉଛି ।” ହିନ୍ଦୁତ୍ୱ ଏବଂ ପନ୍ଥନିରପେକ୍ଷତା ଏକାକାର ହୋଇଯାଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଭାଷଣ ହିନ୍ଦୁଙ୍କ ଆତ୍ମଗୌରବ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପ୍ରେରଣା ଯୋଗାଇଥିଲା । ଭାରତ ଫେରି ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ମିଶନର ସ୍ଥାପନା କରିଥିଲେ ଏବଂ ଲୋକଙ୍କ ସେବାରେ ଜୁଟିଯାଇଥିଲେ । ଏସବୁ ଘଟଣାର ପ୍ରଭାବ କାରଣରୁ ୧୯୦୨ରେ କ୍ରାନ୍ତିକାରୀ ସଂଗଠନ ‘ଅନୁଶୀଳନ ସମିତି’ର ଗଠନ ହୋଇଥିଲା ଓ ଅରବିନ୍ଦ ଘୋଷ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ସାବରକର ୧୯୦୪ରେ ‘ଅଭିନବ ଭାରତ’ ନାମକ କ୍ରାନ୍ତିକାରୀ ସଂଗଠନ ସ୍ଥାପନ କରିଥିଲେ ଓ ହିନ୍ଦୁତ୍ୱ ଶବ୍ଦକୁ ଅଧିକ ଲୋକପ୍ରିୟ କରାଇଥିଲେ । ଆନି ବେସାନ୍ତ ସେଣ୍ଟ୍ରାଲ ହିନ୍ଦୁ ସ୍କୁଲ ସ୍ଥାପନ କରିଥିବା ବେଳେ ମଦନ ମୋହନ ମାଲବ୍ୟ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ଥାପନା କରିଥିଲେ । ଏକଥାକୁ ଦେଖି ସେତେବେଳେ କିଛି ମୁସଲମାନ କଂଗ୍ରେସକୁ ହିନ୍ଦୁଙ୍କ ଦଳ ବୋଲି ମଧ୍ୟ କହିଥିଲେ । ୧୯୨୦ରେ ସୈୟଦ ଅହମଦ ଅଲିଗଡ଼ରେ ଥିବା କଲେଜର ନାମ ପରିବର୍ତ୍ତନ କରି ଆଲିଗଡ଼ ମୁସଲିମ ବିଶ୍ୱ ବିଦ୍ୟାଳୟରେ ପରିବର୍ତ୍ତନ କରିଥିଲେ । ମହମ୍ମଦ ଅଲ୍ଲୀ ଜିନ୍ନା ଯିଏ ଏକଦା ହିନ୍ଦୁ- ମୁସଲିମ ଏକତାର ସମର୍ଥକ ଥିଲେ ଆଗା ଖାଁ ଓ ଅନ୍ୟ କେତେକ ମୁସଲିମ ନେତାଙ୍କ ଅନୁରୋଧ କ୍ରମେ ମୁସଲମାନମାନଙ୍କ ନେତୃତ୍ୱ ନେଇଥିଲେ । ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଲା । ଗାନ୍ଧୀ ଯେ ଏକଥା ଜାଣିପାରିନଥିଲେ ତା ନୁହେଁ । ସେଇଥିପାଇଁ ଗାନ୍ଧୀ ଖିଲାପତ ଆନେ୍ଦାଳନକୁ ସମର୍ଥନ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ତାଙ୍କ ଉଦେଶ୍ୟ ଥିଲା ଏହି ଆନେ୍ଦାଳନ ମାଧ୍ୟମରେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା । କିନ୍ତୁ ଦକ୍ଷିଣ ଭାରତରେ ମୋପଲା-ବିଦ୍ରୋହ ହିନ୍ଦୁ-ମୁସଲିମ ଦୂରତାକୁ ଅଧିକ ବଢାଇ ଦେଇଥିଲା । କାରଣ ଏହି ମୋପାଲା ବିଦ୍ରୋହ ବ୍ରିଟିଶ ଶାସକଙ୍କ ସହିତ ହିନ୍ଦୁ ଜମିଦାରଙ୍କ ବିରୋଧରେ ହୋଇଥିଲା ।
କେଶବ ବଳିରାମ ହେଡ଼ଗେଓ୍ୟାର ଯିଏ ଅନୁଶୀଳନ କମିଟିର ସଦସ୍ୟଥିଲେ ସେ ସଶସ୍ତ୍ରକ୍ରାନ୍ତିର କଠିନତାକୁ ଦେଖି କମିଟିରୁ ଇସ୍ତଫା ଦେଇ କଂଗ୍ରେସର ସଦସ୍ୟ ହୋଇଥିଲେ । ୧୯୨୧ରେ ଆପତ୍ତିଜନକ ଭାଷଣ ପାଇଁ ତାଙ୍କୁ ଏକ ବର୍ଷ କାରାଦଣ୍ଡ ମିଳିଥିଲା । ମୋପଲା ବିଦ୍ରୋହ ଓ ଖିଲାପତ ଆନେ୍ଦାଳନର ବିଫଳତା ଯୋଗୁଁ ନିରାଶ ହୋଇ ସେ କଂଗ୍ରେସ ଛାଡ଼ି ୧୯୨୫ରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗଠନ କରିଥିଲେ । ଏହି ସଂଘ ହିନ୍ଦୁତ୍ୱର ବିକାଶ ପାଇଁ ଉଦିଷ୍ଟ ବୋଲି କୁହାଗଲେ ମଧ୍ୟ ସ୍ୱାଧୀନତା ଆନେ୍ଦାଳନରୁ ସଂଘ ନିଜକୁ ଦୂରେଇ ରଖିଥିଲା । ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ହିନ୍ଦୁ ମହାସଭାର ସ୍ଥାପନା କରିଥିଲେ କିନ୍ତୁ କଂଗ୍ରେସକୁ ସମର୍ଥନ କରିନଥିଲେ । ୧୯୪୮ ମସିହାରେ ଅତିହିନ୍ଦୁବାଦୀ (ନାଥୁରାମ ଗଡ଼ସେ) ଦ୍ୱାରା ଗାନ୍ଧୀଙ୍କ ହତ୍ୟାରେ ବ୍ୟଥିତ ହୋଇ ଶ୍ୟାମାପ୍ରସାଦ ହିନ୍ଦୁ ମହାସଭାକୁ ଭାଙ୍ଗି ଜନସଂଘ ନାମକ ରାଜନୈତିକ ଦଳର ସ୍ଥାପନା କରିଥିଲେ ଯାହା ଏବେ ଭାରତୀୟ ଜନତା ପାର୍ଟି ଭାବେ ପରିଚିତ । ସ୍ୱାଧୀନ ଭାରତର ହିନ୍ଦୁତ୍ୱ ପୁନଃ ପ୍ରାସଙ୍ଗିକ ହୋଇଛି କିନ୍ତୁ ଏହାର ସମର୍ଥନ, ବିରୋଧ ଏବଂ ରୀତି ସମନ୍ୱୟ ପାଇଁ ନହୋଇ ଶାସନଗାଦି ପ୍ରାପ୍ତିର ସାଧନ ପାଲଟି ଯାଇଛି ।
ରାମଚନ୍ଦ୍ରପୁର,ରଣପୁର
ମୋ: ୯୪୩୮୪୮୫୦୯୪