ସମସ୍ୟାରେ ଧୁନ୍ଧି ହୋଇଛି ଅଙ୍ଗନୱାଡି କେନ୍ଦ୍ର  ଯାଉ ଭାତକୁ ମିଳୁଛି ସିଝା ସୋୟାବଡି


ାା ପ୍ରଭାନୁ୍ୟଜ ।ା ଦାନଗଦୀ: ଶୈଶବ ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିଶୁଙ୍କ ଶାରୀରିକ ବୃଦ୍ଧି ପାଇଁ ପୁଷ୍ଟିକର ଖାଦ୍ୟ, ମାନସିକ ବିକାଶ ପାଇଁ ଶିକ୍ଷାର ବ୍ୟବସ୍ଥା ଗାଁ ଗହଳିରେ କରିଛନ୍ତି । ସମନିତ୍ୱ ଶିଶୁ ବିକାଶ କାର୍ଯ୍ୟାଳୟ ଅଧିନରେ ଚାଲିଥିବା ଶୈଶବ ବିକାଶରେ ଶିକ୍ଷୟିତ୍ରୀ ଠାରୁ ପାଚିକା ପର୍ଯ୍ୟନ୍ତ ନିୟୋଜିତ ହୋଇଛନ୍ତି । କାର୍ଯ୍ୟ ପରିଚାଳନା ନିମନ୍ତେ ତଦାରଖ କମିଟି ରହିଛି ଏବଂ ସୁପରଭାଇଜର ମଧ୍ୟ ନିଯୁକ୍ତ ହୋଇଛନ୍ତି । ହେଲେ ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ବାଟବଣା କରାଯାଉଥିବା ଅନେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳୁଛି । ଉଦାହରଣ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ସାରଙ୍ଗପୁର ପଞ୍ଚାୟତରେ ଥିବା ଆଦିବାସୀ ସାରନାଗଳା ସାହି ଦୁଇ ନମ୍ବର ହାଟିଂରେ । ସାରଙ୍ଗପୁର ପଞ୍ଚାୟତର ଏହି  ୨ନମ୍ବର ହାଟିଂର ସାର୍ନାଗଳା ସାହିରେ ଘର ସଂଖ୍ୟା ୧୪୦, ଲୋକ ସଂଖ୍ୟା ୫୮୦ଜଣ । ଏହି ସାର୍ନାଗଳା ସାହିରେ ଆଜକୁ ୭ ବର୍ଷ ହେବ ଶୈଶବ ବିକାଶ ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି । ଦୁର୍ଭାଗ୍ୟ ଏହି ହାଟିଂ ଭିତରେ ଥିବା ଅଙ୍ଗନୱାଡି କେନ୍ଦ୍ରଟି ବାସ୍ତବରେ କିପରି ଚାଲିଛି ତାହା କାହା ଦୃଷ୍ଟି ଗୋଚରରେ ଆସୁନାହିଁ । ଯାବତୀୟ ସମସ୍ୟା ଘେରରେ ଅନ୍ଧାରରେ ରହିଯାଇଛି ଅଙ୍ଗନୱାଡି କେନ୍ଦ୍ରଟି ବୋଲି ସାହି ବାସିନ୍ଦା ଦୀର୍ଘ ଦିନ ପରେ ମୁହଁ ଖୋଲି କରିଛନ୍ତି ଅଭିଯୋଗ । ୩୦ଜଣରୁ ଊଦ୍ଧ୍ୱର୍ ଶିଶୁ ଆସୁଥିବା ଅଙ୍ଗନୱଡି କେନ୍ଦ୍ରଟିରେ ବର୍ଷା ଦିନେ ଶିଶୁ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ପାଠ ପଢିବା ପାଇଁ କେନ୍ଦ୍ରର ଘର ଖଣ୍ଡେ ହୋଇ ପାରିଲା ନାହିଁ । ପିଲାମାନେ ବାହାରେ ଅସ୍ୱାସ୍ଥ୍ୟକର ପରିବେଶରେ ବସୁଛନ୍ତି । ବର୍ଷା ହେଲେ ପାଣି ଛାଟୁଛି । ପାଠ ପଢା ଅଧା ଦିନ ବନ୍ଦ, ଅଙ୍ଗନୱାଡି କେନ୍ଦ୍ରଟିରେ ପାନୀୟ ଜଳ ଓ ପାଇଖାନାର ବ୍ୟବସ୍ଥାନାହଁ । ପିଲାମାନେ ଯିଏ ଯୁଆଡେ ପାରିଲେ ବୁଲୁଛନ୍ତି । ସବୁଠାରୁ ବଡ଼ ଅଭିଯୋଗ ହେଲା ଏହି କେନ୍ଦ୍ରରେ ଥିବା ଦିଦି ଶିଶୁ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେଇଛନ୍ତି । ଯେତିକି ପିଲାଙ୍କୁ ଦେଉଛନ୍ତି ଉପସ୍ଥାନରେ ଅଧିକା ପକାଇ ଅଣ୍ଡା, ଚାଉଳ ବାଟ ମାରଣା କରୁଥିବା ଅଭିଯୋଗ ହେଉଛି । ଶିଶୁ ମାନଙ୍କୁ କେତେ ବେଳେ ଖାଲି ହଳଦିମିଶା ପାଣିଆ ଡାଲି ମିଳୁଛି ତ କେତେ ବେଳେ ଯାଉ ଭାତ ସାଙ୍ଗକୁ ସିଝା ସୋୟାବିନ ଦିଆଯାଉଛି । ଏହି ଅଙ୍ଗନୱାଡି କେନ୍ଦ୍ରଟିର ଚାରିପାଖରେ ମଦ, ହାଣ୍ଡିଆ, ଗଞ୍ଜେଇ ବିକ୍ରି ଚାଲିଛି । ବର୍ଷା ଦିନେ ଅସ୍ୱାସ୍ଥ୍ୟକର ପରିବେଶରେ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଦାୟୀ ହେବ କିଏ? ଏଠି ଶିଶୁ ମାନଙ୍କ ସମସ୍ୟା ପ୍ରତି ଯେମିତି କାହାର ନଜର ନାହଁ । ନା ସୁପରଭାଇଜରଙ୍କ ତଦାରଖ ନା ସିଡିପିଓ । ଖାଲି କାଗଜ ପତ୍ରରେ ଚାଲିଛି ଶିଶୁମାନଙ୍କର ସୁରକ୍ଷା ଓ ବିକାଶ । ଏହି ସବୁ ସମସ୍ୟା ପ୍ରତି ସିଡିପିଓ ଓ ସରପଞ୍ଚ ଦୃଷ୍ଟି ଦେବାକୁ ହାଟିଂବାସୀ ଦାବି କରିଛନ୍ତି ।