ସର୍ବେ ସନ୍ତୁଃ ନିରାମୟା


ସଭ୍ୟତାର ଶ୍ରୀବୃଦ୍ଧି ସହିତ ମନୁଷ୍ୟର ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅଭୂତପୂର୍ବ ଉନ୍ନତି ଘଟିଛି । କିନ୍ତୁ ଠିକ୍ ସେହିଭଳି ଭାବରେ ଅବହେଳା ହୋଇଛି ମନୁଷ୍ୟର ଅସ୍ତିତ୍ୱର ଆଚାର ଅର୍ଥାତ୍ ସଦାଚାର । ସ୍ୱାସ୍ଥ୍ୟ ଓ ସଦାଚାର ଏପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଯେ ଗୋଟିକର ଅବହେଳାରେ ଅନ୍ୟଟି ମଧ୍ୟ କ୍ଷତିଗ୍ରସ୍ତ ହୁଏ । ତେଣୁ ଆଜିକାଲି ବିଶେଷ ଭାବରେ ଦେଖାଯାଏ ଯେ ମନୁଷ୍ୟ ସ୍ୱାସ୍ଥ୍ୟ ସଚେତନ ହୋଇ ମଧ୍ୟ ସଦାଚାର ହୀନତା ନିମିତ୍ତ ନାନା ପ୍ରକାର ଦୁରାରୋଗ୍ୟ ବ୍ୟାଧିର ଆକ୍ରମଣରେ ପୀଡ଼ିତ, ଶଙ୍କିତ ଓ ବ୍ୟତିବ୍ୟସ୍ତ । ପ୍ରତ୍ୟେକ ସଦାଚାର ନୀତିର ସ୍ୱାସ୍ଥ୍ୟକର ଫଳ ଅଛି । ଅଜ୍ଞାତ କୁଳଶୀଳ କାହା ହାତରେ ଖାଇବା ଠିକ୍ ନୁହେଁ । ଶରୀର ନିମିତ୍ତ ଖାଦ୍ୟପେୟ ସମ୍ବନ୍ଧରେ ବିଶେଷ ସାବଧାନ ହେବା ଆବଶ୍ୟକ । କେଉଁ ବ୍ୟକ୍ତିର କଣ ରୋଗ ଅଛି ତାହା ଜଣାନାହିଁ । ଜଣେ ହୁଏତ ସଂକ୍ରମଣ ସହନଶୀଳ, କିନ୍ତୁ ତା ହାତରୁ ଅନ୍ୟମାନେ ଖାଇଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଛି । ସ୍ୱପାକ ହିଁ ଶ୍ରେୟ । ଦୋକାନରେ ନଖାଇବା ହଁ ଭଲ । ସଦାଚାର ବିହୀନ ବିପ୍ର ହାତରେ ମଧ୍ୟ ଖାଇବା ନିଷେଧ । ଅନ୍ୟ ବିଛଣାରେ ଶୋଇବା ଉଚିତ ନୁହେଁ । ଅନ୍ୟ ବ୍ୟକ୍ତିର ଲୁଗା ପିନ୍ଧିବା ମଧ୍ୟ ନିଷେଧ । ଗୋମୟରେ ଘର ଲିପିଲେ ଏଥିରେ ବହୁତ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ସ୍ୱପାକରେ କଷ୍ଟ ହୁଏ କିନ୍ତୁ ନଷ୍ଟ ହୁଏ ନାହିଁ । ଶରୀରକୁ ସହନପଟୁ ଓ ପ୍ରକୃତି ସଙ୍ଗେ ଖାପ ଖୁଆଇ ନେବା ଉଚିତ । ଶରୀରକୁ ଇଷ୍ଟପୂଜାର ଯନ୍ତ୍ର ହିସାବରେ ବ୍ୟବହାର କରି ସୁସ୍ଥ ଓ ସହନପଟୁ ରଖିବା ଉଚିତ ଓ ଏହି ଦୃଷ୍ଟିଭଙ୍ଗୀ ନେଇ ଚାଲିବା ଉଚିତ ।