ହଜ୍ ଯାତ୍ରାର ବିପର୍ଯ୍ୟୟ
ବର୍ତ୍ତମାନ ସମଗ୍ର ବିଶ୍ୱରୁ ମୁସଲମାନ ଧର୍ମାମ୍ବଲମ୍ବୀମାନେ ହଜ୍ ଯାତ୍ରାରେ ସାଉଦି ଆରବକୁ ଯାଇଛନ୍ତି । ତେବେ ସାଉଦି ଆରବର ମକ୍କା ସହରରେ ସମଗ୍ର ବିଶ୍ୱର ମୁସଲମାନ୍ ଶ୍ରଦ୍ଧାଳୁମାନେ ଧର୍ମୀୟ ଭାବନାକୁ ନେଇ ସେମାନଙ୍କର ଧର୍ମର ସବୁଠାରୁ ଶ୍ରେଷ୍ଠ କର୍ତ୍ତବ୍ୟ ପାଳନ କରିବା ଅବସରରେ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଗଲାଣି । ଭୌଗୋଳିକ ଦୃଷ୍ଟିରୁ ସାଉଦି ଆରବ ହେଉଛି ଏକ ମରୁ ଅଞ୍ଚଳ । ସେଠାରେ ଜୀବନ ଧାରଣ ନିମିତ୍ତ ସର୍ବନିମ୍ନ ଆବଶ୍ୟକତା ହେଉଛି ଜଳ । ବିପୁଳ ସଂଖ୍ୟାରେ ଅଳ୍ପ କିଛି ଦିନ ପାଇଁ ଏଭଳି ଏକ ଭୌଗୋଳିକ ସ୍ଥାନରେ ଲୋକଙ୍କର ସମାଗମ ହେବା ବେଳକୁ ସେମାନଙ୍କ ରହିବା, ଖାଇବା, ପରିମଳ ବ୍ୟବସ୍ଥା ଏବଂ ଜୀବନଧାରଣର ସର୍ବନିମ୍ନ ଆବଶ୍ୟକତା ପୂରଣ କରାଯିବା ଦିଗରେ ମକ୍କା ସହରରେ ବ୍ୟବସ୍ଥା ହେବା ଉଚିତ୍ । କିନ୍ତୁ ଚଳିତବର୍ଷ ଗ୍ରୀଷ୍ମ ପ୍ରବାହର ଅସ୍ୱାଭାବିକତା ଲାଗି ରହିଛି ଏବଂ ବିଶ୍ୱର କେଉଁ ସ୍ଥାନରେ ଅତିବୃଷ୍ଟି ହେଉଛି ତ ଆଉ କେଉଁ ସ୍ଥାନରେ ପ୍ରଚଣ୍ଡ ରୌଦ୍ର ପ୍ରବାହ ଲାଗି ରହୁଛି । କେତେକ ସ୍ଥାନରେ ଦିନର ତାପମାତ୍ରା ୫୦ ଡ଼ିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଯାଉଛି । ଏ ପ୍ରକାରର ପରିସ୍ଥିତି ସାଉଦି ଆରବରେ ଉତ୍ପନ୍ନ ହେବା ପରେ ପ୍ରଚଣ୍ଡ ଲୁ' ପ୍ରଭାବରେ ଏପର୍ଯ୍ୟନ୍ତ ଏକ ହଜାର ତୀର୍ଥଯାତ୍ରୀଙ୍କର ମୃତୁ୍ୟ ଘଟିଲାଣି । ମୃତକମାନଙ୍କ ମଧ୍ୟହଶ ଇଜିପ୍ଟର ସର୍ବାଧିକ ୬୫୮ଜଣ ତୀର୍ଥଯାତ୍ରୀ ଥିବା ବେଳେ ଭାରତର ୬୮ ଜଣ ଅର୍ନ୍ତଭୁକ୍ତ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାପ୍ତ ଖବରରୁ ସୂଚନା ରହିଛି । ତେବେ ସବୁଠାରୁ ଦୁଃଖଦାୟକ ଖବରଟି ହେଲା ୧୪୦୦ ତୀର୍ଥଯାତ୍ରୀ ନିଖୋଜ୍ ଅଛନ୍ତି ।
ମଧ୍ୟପ୍ରାଚ୍ୟରେ ଦେଖା ଦେଇଥିବା ଭୟଙ୍କର ଗ୍ରୀଷ୍ମପ୍ରବାହ ଫଳରେ ମକ୍କାର ଦିନର ସର୍ବାଧିକ ତାପମାତ୍ରା ଜୁନ୍ ୧୭ ତାରିଖ ଦିନ ୫୧.୮ ଡ଼ିଗ୍ରୀ ସେଲ୍ସିୟସ୍ ରେକର୍ଡ୍ କରାଯାଇଥିଲା । ଏ ସମ୍ପର୍କରେ ବିଶ୍ୱର ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ସୂଚନା ଏବଂ ଉତ୍ତାପ ଦାଉରୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା କରାଯିବା ପରିବର୍ତ୍ତେ ସାଉଦି ଆରବ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ବର୍ତ୍ତମାନ ଇଣ୍ଟରନେଟ୍ ଯୁଗରେ ପ୍ରତ୍ୟେକ ଲୋକଙ୍କ ହାତରେ ଆଣ୍ଡ୍ରଏଡ୍ ମୋବାଇଲ୍ ରହୁଥିବାରୁ ସରକାରୀ ଭାବରେ କୌଣସି ତଥ୍ୟ ପ୍ରକାଶ ପାଇନଥିଲେ ମଧ୍ୟ ଲୋକମାନେ ସେମାନଙ୍କ ସର୍ମ୍ପକୀୟମାନଙ୍କୁ ତଥ୍ୟ ଦେଉଛନ୍ତି ଏବଂ ତାହା ବିଶ୍ୱର ବିଭିନ୍ନ ଗଣମାଧ୍ୟମକୁ ଚାଲି ଆସୁଛି । ଏଣେ ସାଉଦି ଆରବ ସରକାର ଏ ସମ୍ପର୍କିତ ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରାଯାଉଥିବା ଅନୁମାନ କରାଯାଉଛି । କାରଣ ମକ୍କା ଏବଂ ମଦିନାକୁ ତୀର୍ଥଯାତ୍ରାକୁ ନେଇ ସାଉଦି ଆରବର ଅର୍ଥନୀତି ମଧ୍ୟ ସମୃଦ୍ଧ ହୋଇଥାଏ । ତୀର୍ଥଯାତ୍ରୀଙ୍କ ସଂଖ୍ୟା କମିଗଲେ ବୈଦେଶିକ ମୁଦ୍ରା ସଂଗ୍ରହ କ୍ଷେତ୍ରରେ ସାଉଦି ଆରବ କ୍ଷତିଗ୍ରସ୍ତ ହେବ । ଏ ସମ୍ପର୍କିତ କୌଣସି ତଥ୍ୟ ପ୍ରକାଶ କରିବାକୁ ବୋଧହୁଏ ସାଉଦି ଆରବ ସରକାର ଚାହୁଁନାହାନ୍ତି । ସେ ଯାହା ବି ହେଉ ଏକକାଳୀନ ହଜାର ହଜାର ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ମୃତୁ୍ୟ ବିଶ୍ୱର ଗଣମୃତୁ୍ୟ କ୍ଷେତ୍ରରେ ଏବଂ ପ୍ରାକୃତିକ ଦୁର୍ବିପାକଜନିତ ମୃତୁ୍ୟର ଇତିହାସରେ ଏହା ଏକ ବଡ଼ ଅଧ୍ୟାୟ ହୋଇ ରହିଯିବ । ଏଭଳି ଘଟଣା ଭବିଷ୍ୟତରେ ଯେଭଳି ନ ଘଟେ ସେ ଦିଗରେ ସତର୍କ ହୋଇଯିବା ଉଚିତ୍ ।
ବର୍ତ୍ତମାନ ସମୟରେ ଦିନକୁ ଦିନ ବିଭିନ୍ନ ଧର୍ମବିଶ୍ୱାସ ଉପରେ ଆଧାରିତ କାର୍ଯ୍ୟକଳାପ ଅଧିକରୁ ଅଧିକ ବଢିବାରେ ଲାଗୁଛି । କୌଣସି ନିର୍ଦ୍ଦିଷ୍ଟ ଧର୍ମ ନୁହେଁ, ବରଂ ସାମଗ୍ରିକ ଭାବରେ ସବୁ ଧର୍ମରେ ଏ ପ୍ରକାରର କାର୍ଯ୍ୟକଳାପ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଉଛି । ଆହୁରି ମଧ୍ୟ ଲକ୍ଷ୍ୟ କରାଯାଉଛି ଯେ ଗରିବ ଲୋକମାନଙ୍କ ଅପେକ୍ଷା ଧନୀ ଲୋକମାନେ ହିଁ ଅଧିକ ସଂଖ୍ୟାରେ ବିଭିନ୍ନ ଧର୍ମୀୟ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ବହୁ କ୍ଷେତ୍ରରେ ଧର୍ମୀୟ କାର୍ଯ୍ୟକଳାପ ପାଇଁ ଆବଶ୍ୟକୀୟ ଖର୍ଚ୍ଚ କେବଳ ଧନୀକମାନେ ହିଁ ତୁଲାଇ ପାରୁଥିବା ଦେଖାଯାଏ । ତେଣୁ ଗରିବମାନଙ୍କ ଅପେକ୍ଷା ଧନୀମାନେ ବିଶେଷ ଭାବରେ ତୀର୍ଥଯାତ୍ରା ଭଳି ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ୍ ।