ସିଏଚସି ପରିଦର୍ଶନ କଲେ କାୟାକଳ୍ପ ଟିମ୍
ଦଶରଥପୁର : ମଙ୍ଗଳପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ କାୟାକଳ୍ପ ଟିମ୍ । ଡାକ୍ତର ପ୍ରତିଭା ପ୍ରଧାନ, ଡାକ୍ତର ବିଭୁଦା ବିଜୟ ଲକ୍ଷ୍ମୀ ଓ ଡାକ୍ତର ଜ୍ୟୋସ୍ନାରାଣୀ ଏକ୍କା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କିଭଳି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ଦେଖା ରଖା ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା, ପରିଷ୍କାର ଓ ସଂକ୍ରମଣ ନିୟନ୍ତ୍ରଣ କିଭଳି କରାଯାଉଅଛି ଅନୁଧ୍ୟାନ କରିଥିଲେ । ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଫିସର ଡାକ୍ତର ବିନ୍ଦୁ ସାଗର ସାମଲ, ବିପିଏମ ମିହିର ରଞ୍ଜନ ନାୟକ, ଜନସ୍ୱାସ୍ଥ୍ୟ ଅଧିକାରିଣୀ ବନିତା ଦାଶ ପ୍ରତିନିଧି ଦଳ ସହ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ଡାକ୍ତର ଶ୍ରୀ ସାମଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରିବା ସହ ଗୁଣବତା ସ୍ୱାସ୍ଥ୍ୟ ସେବା ଉପରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି କହିଥିଲେ । ସରକାର ଗରିବ ଜନସାଧାରଣ ମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ଭର୍ତ୍ତି ଭୂମି ବିକାଶ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କେତେକ ସ୍ଥାନରେ କିଛି ଅସାଧୁ କର୍ମଚାରୀ ଓ ଦୁର୍ନୀତି ଗ୍ରସ୍ତ ଠିକାଦାର ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁସଜ୍ଜିତ ଭାବେ ସଜା ଯାଇଥିବା ଦେଖିବା ପାଇଁ ମିଳିଥିଲା । କାୟାକଳ୍ପ ଟିମ୍ର ଅଧିକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବିନ୍ଦୁସାଗର ସାମଲ ଓ ସମସ୍ତ କର୍ମଚାରୀ କାୟକଳ୍ପ ଟିମ୍ ଅଧିକାରୀଙ୍କୁ ପାଛୋଟି ନେଇଥିଲେ । କାୟାକଳ୍ପ ପ୍ରତିନିଧି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବିଭିନ୍ନ ଅଧିକାରୀଙ୍କ ସହଆଲୋଚନା କରିଥିଲେ ।