ସୂଚନା ଅଧିକାର ଆଇନ ବାଟବଣା, ମିଳୁନି ସମ୍ପୂର୍ଣ୍ଣ ତଥ୍ୟ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକରେ ସୂଚନା ଅଧିକାର ଆଇନ ବଳରେ ଜଣେ ସୂଚନା ଅଧିକାର କର୍ମୀ ସୂଚନା ମାଗିଥିବା ବେଳେ ତାଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ତଥ୍ୟ ଦିଆଯାଇନଥିବା ଦେଖିବାକୁ ମିଳିଛି । ଫଳରେ ମଗାଯାଇଥିବା ତଥ୍ୟ ଓ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ତାଳ ମେଳ ରହୁନଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ସୂଚନା ଅଧିକାର ଆଇନ ବଳରେ କର୍ମୀ ଭଜଶ୍ୟାମ ସାହୁ କିଛି ନିର୍ଦ୍ଧିଷ୍ଟ ତଥ୍ୟ ମାଗିଥିଲେ । ହେଲେ ତାଙ୍କୁ ଆବଶ୍ୟକୀୟ ତଥ୍ୟ ତଥା ସଂପୂର୍ଣ୍ଣ ତଥ୍ୟ ମିଳିନଥିବା ବେଳେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ଓଡଶା ଜୀବିକା ମିଶନ ପକ୍ଷରୁ କର୍ଲାମୁଣ୍ଡା ବ୍ଳକରେ କେତେ ଜଣ ମହିଳାଙ୍କୁ ଲକ୍ଷପତି ଦିଦି ଚୟନ କରାଯାଇଛି ତାର ବିବରଣୀ, ଲକ୍ଷପତି ଦିଦି ଚୟନ ପାଇଁ କଣ ସବୁ ମାନଦଣ୍ଡ ରଖାଯାଇଥିଲା, ଓଏଲଏମ୍ ପକ୍ଷରୁ କେଉଁ କେଉଁ ପଞ୍ଚାୟତରେ କାହାକୁ ତାଲିମ ଦିଆଯାଇଛି, ତାଲିମ ପାଇଁ କେଉଁ ପଞ୍ଚାୟତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାର ବିଲ ଭାଉଚର ପ୍ରଦାନ କରିବା, ଆର୍ଥିକ ବର୍ଷ୨୦୨୨-୨୩,୨୦୨୩-୨୪,୨୦୨୪-୨୫ ମସିହାରେ ଓଏଲଏମ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଓ ତାଲିମ କାର୍ଯ୍ୟକ୍ରମର ପଞ୍ଜୀକରଣ ସିଟର ନକଲ ଆଦି ତଥ୍ୟ ମଗାଯାଇଥିଲା । ହେଲେ ମିଳିଥିବା ତଥ୍ୟରେ କୁହାଯାଇଛି ଯେ ଓଏଲଏମ୍ ପକ୍ଷରୁ ବ୍ଳକରେ ଏସଏଚଜି ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଚୟନ ପ୍ରକିୟା ନିୟମିତ ଚାଲିଛି, ତାହା ସମ୍ପୂର୍ଣ୍ଣ ହୋଇନାହିଁ, ଓଏଲଏମ୍ ପକ୍ଷରୁ କୌଣସି ପାଣ୍ଠି ପଞ୍ଚାୟତସ୍ତରୀୟ ମହାସଂଘକୁ ତାଲିମ ବାବଦରେ ଦିଆଯାଇନାହିଁ, ପଞ୍ଚାୟତସ୍ତରୀୟ ମହାସଂଘ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିଛି, ଆର୍ଥିକ ବର୍ଷ ୨୦୨୩-୨୪ ମସିହାରେ କୈାଣସି ତାଲିମ ପରାମର୍ଶ ଶିବିର ଅନୁଷ୍ଠିତ ହୋଇନାହିଁ,୨୦୨୪-୨୫ ମସିହାରେ ୨ଦିନିଆ ଏଫ ଏନ୍ଏଚଡବ୍ଳୁ ତାଲିମ ସିଆରପି ଦିଦି ମାନଙ୍କ ପାଇଁ କରାଯାଇଛି । ଏକ ଦିବସୀୟ ବ୍ଳକସ୍ତରୀୟ ଡିଡିୟୁଜେଜିଓଆଇ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି । ତେବେ କେତେ ଜଣ ଲକ୍ଷପତି ଦିଦି ଅଛନ୍ତି ଓ ତାଲିମ ଶିବିରରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ସୂଚନା ଦିଆଯାଇନାହିଁ । ପ୍ରଶାସନ ତଥ୍ୟକୁ ସଂପୂର୍ଣ୍ଣ ଭାବେ ଲୁଚାଇଛନ୍ତି । ଯଦି ସଂପୂର୍ଣ୍ଣ ତଥ୍ୟ ଦିଆଯାଏ ତା ହେଲେ ଏଥିରେ ହୋଇଥିବା ଅନିୟମିତତା ପର୍ଦ୍ଦାଫାଶ ହୋଇଯିବ ବୋଲି କୁଆଡେ ତଥ୍ୟ ଦିଆଯାଉନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ତେଣୁ ଏଥିରେ ବଡଧରଣର ଜାଲିଆତି କରି ଟଙ୍କା ହଡପ କରାଯାଇଥିବା ସ୍ପଷ୍ଟ ବାରି ହୋଇପଡୁଛି । ଏଥିରେ କାହାର ହାତ ଅଛି ତାହା ଜାଣିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ତେବେ ଏନେଇ ଶ୍ରୀ ସାହୁ ଉପରିସ୍ଥ ଅଧିକାରୀଙ୍କ ଠାରେ ଅପିଲ କରିବା ସହ ସୂଚନା ଆୟୁକ୍ତ ଠାରେ ଆବେଦନ କରିବେ ବୋଲି ସୂଚନା ଦେଇଛନ୍ତି ।