ଆସହ୍ୟ ହେଲାଣି ତାତି, କେବେ ଆରମ୍ଭ ହେବ ଜଳଛତ୍ର
ଗୋଲାମୁଣ୍ଡା: ମାର୍ଚ୍ଚ ମାସ ଆରମ୍ଭ ରୁ ପାରା ୪୦' ଉପରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଏ ପରିସ୍ଥିତିରେ ସାଧାରଣ ଲୋକଙ୍କଠାରୁ ବୁଲା ପ୍ରାଣୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଅସ୍ତବ୍ୟସ୍ତ ହେବାକୁ ଲାଗିଲେଣି । ବିଶେଷକରି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଅଧିକାଂଶ ଜଳାଶୟ ଶୁଖିବା ସାଙ୍ଗକୁ ଗ୍ରାମାଞ୍ଚଳରେ ପଶୁ ପକ୍ଷୀଙ୍କ ଜଳ ସୁବିଧା କରାଯାଇନଥିବାରୁ ବୁଲା ପ୍ରାଣୀଙ୍କ ପାଇଁ ଅଡୁଆ ବଢିଛି । ଆଗକୁ ତାତି ଆହୁରି ଜଟିଳ ହେବାର ସମ୍ଭାବନା ଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ବଢିବାରେ ଲାଗିଲାଣି । ପ୍ରତିବର୍ଷ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷରୋପଣ, ଜଳାଶୟ ପୁନଃରୁଦ୍ଧାର ଆଦି କରାଯାଉ ବୋଲି ଦାବି ହୋଇ ଆସୁଛି । ସରକାରୀସ୍ତରରେ ମଧ୍ୟ ଔପଚାରିକତା ପୂରଣ ପାଇଁ ଗ୍ରୀଷ୍ମ ପ୍ରବାହର ମୁକାବିଲା ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ହେଉଛି । ଏଥିରେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚିରାଚରିତ ଢ଼ଙ୍ଗରେ ଘୋଷଣା କରାଯାଉଛି । ବାସ୍ତବ କ୍ଷେତ୍ରରେ କିନ୍ତୁ ଆବଶ୍ୟକତା ପୂରଣ ହେଉନାହିଁ । ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯିବ ବୋଲି କୁହାଯାଉଛି । କିନ୍ତୁ ଆଶାଜନକ କାର୍ଯ୍ୟ କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି । ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକର ଅନେକ ଜଳାଶୟ ପୋତି ହୋଇଗଲାଣି । ଅନ୍ୟପକ୍ଷେ ଠିକ୍ ଖରାଦିନେ ସରକାରି ଭାବେ ଜଳାଶୟ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇ ଜନ ଅସନ୍ତୋଷକୁ ଚାପି ଦେବା ପାଇଁ ଉଦ୍ୟମ ହେଉଛି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୮ ଗୋଟି ଗ୍ରାମପଞ୍ଚାୟତରେ ବିଗତ ବର୍ଷ ମାନଙ୍କରେ ଅପ୍ରିଲ ମାସର ପ୍ରଥମ ସପ୍ତାହ ବେଳକୁ ପ୍ରତ୍ୟେକ ଗାଁ ମାନଙ୍କରେ ଜଳଛତ୍ର ମାଧ୍ୟମରେ ପଥିକଙ୍କୁ ପିଇବା ପାଣି ଯୋଗାଉଥିଲେ କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଚଳିତ ମାସରୁ ଜଳଛତ୍ର ଖୋଲା ଗଲେ ଜନସାଧାରଣ ଉପକୃତ ହେବେ । ଏ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜଳ ଛତ୍ର ନଖୋଲିବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ଗ୍ରୀଷ୍ମ ପ୍ରବାହ ସମୟରେ କିପରି ସମସ୍ତେ ପାନୀୟ ଜଳରୁ ବଞ୍ଚିତ ନହେବେ ସେଥି ନିମନ୍ତେ ସମସ୍ତ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ପାଣ୍ଠି ଦେଇଛନ୍ତି କିନ୍ତୁ ଜଳଛତ୍ର ଏଯାଏଁ ପଞ୍ଚାୟତ ତରଫରୁ ନଖୋଲା ହେବା ଚର୍ଚ୍ଚାର ବିଷୟ । ଏଥି ପ୍ରତି ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ଶିଘ୍ର ଜଳଛତ୍ର ଖୋଲା ହେଲେ ପଥିକ ମାନଙ୍କ ପାନୀୟ ଜଳର ସୁବ୍ୟବସ୍ଥା ହେଇ ପାରିବ ବୋଲି ଚର୍ଚ୍ଚା ହେଉଛି । ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡାଙ୍କୁ ଫୋନ୍ ଯୋଗେ ପଚାରିବାରୁ ଦିନେ ଦୁଇଦିନ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ଜଳଛତ୍ର ଆରମ୍ଭ ହେବ ବୋଲି କହିଛନ୍ତି ।