ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ


ଯାଜପୁର ଟାଉନ: ବଡ଼ ଭାଇକୁ ହତ୍ୟା ଅଭିଯୋରଗରେ ସାନଭାଇକୁ ଯାଜପୁର ଜିଲା ଓ ଦୌରା ଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ରାୟ ଶୁଣାଇଛନ୍ତି । ବିବରଣୀରୁ ପ୍ରକାଶ, ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଲିପୁର ଗ୍ରାମର ସଂଗ୍ରାମ କେଶରୀ ଧଳ ବଡ଼ ଭାଇ ଓ ଭବାନୀ ଶଙ୍କର ଧଳ ସାନଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବାପାଙ୍କ ପେନସନ ଓ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ୨୦୨୨ ସେପ୍ଟେମ୍ବର ୩୦ ତାରିଖ ରାତିରେ ବଡ଼ ଭାଇ ସଂଗ୍ରାମ ଘରେ ଶୋଇଥିବା ସମୟରେ ସାନ ଭାଇ ଭବାନୀ ଏକ ଠେଙ୍ଗାରେମୁଣ୍ଡ ଓ ଛାତିକୁ ମରଣାନ୍ତକ ଆକ୍ରମଣ କରିଥିଲା ।  ସଂଗ୍ରାମଙ୍କ ପତ୍ନୀ ଜୟପ୍ରଦା ବିରୋଧ କରିବାରୁ ତାଙ୍କୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଂଗ୍ରାମକୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେହିବର୍ଷ ଅକ୍ଟୋବର ମାସ ୨ ତାରିଖ ଦିନ ଚିକିତ୍ସାଧିନ ଅବସ୍ଥାରେ ସଂଗ୍ରାମଙ୍କ ମୃତୁ୍ୟ ହୋଇଥିଲା । ମୃତ ସଂଗ୍ରାମଙ୍କ ପତ୍ନୀ ଜୟପ୍ରଦା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବିଞ୍ଝାରପୁର ଥାନରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ମଙ୍ଗଳବାର ମାମଲାର ଚୂଡ଼ାନ୍ତ ଶୁଣାଣି କରି ଜିଲା ଦୌରା ଜଜ୍ ଅମୃତ ରଞ୍ଜନ ନନ୍ଦ ୧୮ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପୁଲିସର ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଭବାନୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ହଜାର ଜରିମାନା, ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ କରିଛନ୍ତି ।ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକୁ୍ୟଟର ମୋନାଲି ରାଇସା ଓ ସ୍ପେଶାଲ ପବ୍ଲିକ ପ୍ରସିକୁ୍ୟଟର ସମରେନ୍ଦ୍ର ଦାସ ପରିଚାଳନା କରୁଥିଲେ ।