ହୋଇନି ସଫେଇ : ନାଳରେ ଆସୁନି ପାଣି, ଚାଷ କାର୍ଯ୍ୟ ବିଳମ୍ବ
ନିଶ୍ଚିନ୍ତକୋଇଲି : କେନ୍ଦୁପାଟଣା ଜଳସେଚନ ବିଭାଗ ଅଧିନ ୮ ନଂ କେନାଲରୁ ନିଶ୍ଚିନ୍ତକୋଇଲି ପାଳଧୂଆ ପଡିଆ ଠାରୁ ବାହାରିଥିବା ୮(ସି) ଶାଖା ନାଳରେ କଂକ୍ରିଟ(ଢଳେଇ) ଲାଇନିଂ କାର୍ଯ୍ୟ ଶେଷ ହୋଇନଥିବା ଓ ଉକ୍ତ ଶାଖା ନାଳକୁ ଏଯାଏ ସଫେଇ କରାଯାଇନଥିବାରୁ ଉକ୍ତ ଶାଖା ନାଳରେ ପାଣି ଆସିବାରେ ବିଳମ୍ବ ଘଟୁଛି । ଫଳରେ ଉକ୍ତ ଶାଖା ନାଳ ଉପରେ ନିର୍ଭର କରୁଥିବା ଶହ ଶହ ଏକ ଚାଷ ଜମିରେ ଧାନ ରୁଆପୋତା କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଏଠାରେ ସୂଚନା ଥାଉ କି ଉକ୍ତ କେନାଲ ବନ୍ଧ ଉପରେ କିଛି ବ୍ୟକ୍ତି ଜବରଦଖଲ କରିଛନ୍ତି । ଯାହାଫଳରେ ଜଳ ସେଚନରେ ବାଧା ଉପୁଜିବା ସହ କେନାଲ ବନ୍ଧ ଉପରେ ଯିବା ଆସିବାରେ ସମସ୍ୟା ଉପୁଜୁଛି । ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ଅଂଚଳର ଯୁବଗୋଷ୍ଠୀ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାଏ ଜବରଦଖଲ ଉଚ୍ଛେଦ ହୋଇ ପାରୁନାହିଁ । ଜଳସଂପଦ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ବିଭାଗୀୟ ସ୍ତରରେ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଅବଗତ କରାଇବା ସହ ଏହି ଶାଖା ନାଳରୁ ଜବରଦଖଲ ଉଠାଇ ଏବଂ ଢଳେଇ ଲାଇନିଂ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ସହ କେନାଲକୁ ସଫେଇ କରି ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି ।