୧୦ ଅପହୃତ ନାବାଳିକା ଉଦ୍ଧାର
ରାଜନଗର : କିଛି ବର୍ଷ ହେବ ଅପହରଣ ହୋଇଥିବା ନାବାଳିକାମାନଙ୍କୁ ରାଜନଗର ପୁଲିସ ସଫଳତାର ସହିତ ଉଦ୍ଧାର କରି ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି । ରାଜନଗର ବ୍ଲକର ବିଭିନ୍ନ ଗ୍ରାମରୁ ୧୦ଜଣ ନାବାଳିକାଙ୍କୁ ପର୍ଯ୍ୟାୟକ୍ରମେ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ରାଜନଗର ଥାନାଧିକାରୀ ନରେଶ କୁମାର ସାହୁ ଯୋଗଦେବା ପରେ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଥାନାଧିକାରୀ ଶ୍ରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସବ-ଇନ୍ସିପେକ୍ଟର ସୌମ୍ୟରଞ୍ଜନ ଜାଲି, ଏଏସଆଇ ସୁଜାତା ନାୟକ ଓ ଶିଶିରକୁମାର ସାହୁ, କନେଷ୍ଟବଳ ପିନୁ ନାୟକ ଓ ବିନୋଦିନୀ ବେହେରା ବିଭିନ୍ନ ସ୍ଥାନରେ ଚଢାଉ କରି ୧୦ଜଣ ନାବାଳିକାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଏହି ବ୍ଲକ କୋଇଲିପୁର ପଞ୍ଚାୟତର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ୪୬/୨୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିଲା । ସଂପୃକ୍ତ ନାବାଳିକାକୁ ହାଇଦ୍ରାବାଦରୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମହୁଲିଆ ପଞ୍ଚାୟତର ଜଣେ ନାବାଳିକା ଅପହରଣ ନେଇ ୩୩୫/୨୩, ଓସ୍ତିଆ ପଞ୍ଚାୟତର ଦୁଇ ନାବାଳିକା ଅପହରଣ ନେଇ ୨୦୦/୨୪ ଓ ୪୨୩/୨୪ଦୁଇଟି ମାମଲା, ଡେରା ପଞ୍ଚାୟତର ଜଣେ ନାବାଳିକା ଅପହରଣ ନେଇ ୨୭୭/୨୪, ବନ୍ଧପଡା ପଞ୍ଚାୟତର ଜଣେ ନାବାଳିକା ଅପହରଣ ନେଇ ୮୦/୨୪, ସାନବଡଗୋପାଳପୁର ପଞ୍ଚାୟତର ଜଣେ ନାବାଳିକା ଅପହରଣ ନେଇ ୩୦୨/୨୪, ବାଲିସାହିପାଟଣା ପଞ୍ଚାୟତର ଜଣେ ନାବାଳିକା ଅପହରଣ ନେଇ ୬/୨୫, ଗୁପ୍ତି ପଞ୍ଚାୟତର ଜଣେ ନାବାଳିକା ଅପହରଣ ନେଇ ୮୪/୨୫, ଭିତରଗଡ ପଞ୍ଚାୟତର ଜଣେ ନାବାଳିକା ଅପହରଣ ନେଇ ୯୫/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିଲା । ଅପହୃତା ୧୦ଜଣ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବା ପରେ ୯ଜଣ ନାବାଳିକାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଜଣେ ନାବାଳିକାକୁ ସୁଧାରଗୃହକୁ ପଠାଯାଇଥିବା ନେଇ ପୁଲିସ ସୂତ୍ରରୁ ସୂଚନା ମିଳିଛି ।