୧୨ଦଫା ଦାବି ନେଇ ଗର୍ଜିଲା କୃଷକ ମହାସଂଘ
ଆଠମଲ୍ଲିକ : ଓଡିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କୃଷି ଓ କୃଷକମାନଙ୍କ ବିଭିନ୍ନ ସମସ୍ୟା ଜନିତ ୧୨ଦଫା ଦାବି ନେଇ ଶତାଧିକ କୃଷକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଠମଲ୍ଲିକ ହନୁମାନ ମନ୍ଦିର ଠାରୁ ଶତାଧିକ କୃଷକ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜି କରି ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେରେ ପହଞ୍ଚôଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସଭାପତି ଦେବେନ୍ଦ୍ର ପ୍ରଧାନ, କୃଷକ ନେତା ଓକିଲ ଅଞ୍ଜନ ପ୍ରଧାନ, ଇଂ ପ୍ରିୟ ଦର୍ଶିନୀ ସ୍ୱାଇଁ, ବସନ୍ତ ବଘାର, ନିଗମାନନ୍ଦ ପ୍ରଧାନ, ଭୀମସେନ ମହାକୁଡ଼, ଦେବରାଜ ନାଏକ ପ୍ରମୁଖ ଯୋଗ ଦେଇ କୃଷି ଓ କୃଷକମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟତଃ ଆଠମଲ୍ଲିକ ଏକ ଖଣି-ଖଦାନ ତଥା ଶିଳ୍ପ ବିହୀନ କୃଷି ଭିତ୍ତିିକ ଅଞ୍ଚଳ ହୋଇଥିବାବେଳେ କୃଷି ଓ କୃଷକର ସାମୂହିକ ବିକାଶ ଉପରେ ସରକାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କୃଷକ ନେତାମାନେ ଆଲୋକପାତ କରିଥିଲେ । ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ଆନ୍ତରିକତା ଓ ପ୍ରଚେଷ୍ଟା ରହିବା ଉଚିତ ବୋଲି ମତପ୍ରକାଶ କରିଥିଲେ । ମାନଜୋର ଜଳସେଚନ ପ୍ରକଳ୍ପର ଯୋଜନା ଭିତ୍ତିକ ସମସ୍ତ କେନାଲ ନିର୍ମାଣ କରି ଜମିକୁ ପାଣି ଯୋଗାଇବା, କେନାଲ ପାର୍ଶ୍ୱବର୍ତ୍ତୀ ରାସ୍ତାନିର୍ମାଣ କରିବା, ପ୍ରକଳ୍ପରେ ବାକି ଥିବା ଜମି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସହାୟତା ପ୍ରଦାନ କରିବା, ୫୨କୋଟି ବ୍ୟୟରେ ନିର୍ମିତ ୟୁଜିପିଏଲ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ଦେଉଳବେଡା ଗ୍ରାମ ଠାରୁ ହରିଡ଼ା କୋଠା ପଯ୍ୟନ୍ତ ଗ୍ରାମ ଗୁଡିକର ଜମିକୁ ପାଣି ଯାଇପାରୁନାହିଁ । ଏଣୁ ସମ୍ପୃକ୍ତ ଠିକା ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବା, ଶୀତଳ ଭଣ୍ଡାର ନିର୍ମାଣ, ରବି ଋତୁରେ ସରକାରୀ ଧାନ ମଣ୍ଡି ଖୋଲିବା, ମହାନଦୀ ଅବବାହିକାରେ ନିର୍ମାଣ ହୋଇଥିବା ଚାରୋଟି ମେଗା ପ୍ରକଳ୍ପ ସଠିକ ଭାବରେ କାର୍ଯ୍ୟକାରୀ କରିବା, ଧଉରା ଗୋଠ ଓ ସୁରରେଶ୍ୱରୀ ଜଳସେଚନ ପକଳ୍ପ ନିର୍ମାଣ କରିବା, ହାତୀ ଉପଦ୍ରବରେ ଚାଷୀଙ୍କୁ ଏକର ପିଛା ୫୦ହଜାର ଟଙ୍କା କ୍ଷତି ପୂରଣ ଦେବା, ୩୮୦କୋଟିରୁ ଊଦ୍ଧ୍ୱର୍ ବ୍ୟୟରେ ନିର୍ମାଣ ଚାଲିଥିବ ମେଗା ପାନୀୟ ଜଳ ପ୍ରକଳ୍ପର ନିମ୍ନମାନ କାର୍ଯ୍ୟକୁ ଯାଞ୍ଚ କରି ତୁରନ୍ତ କାର୍ଯ୍ୟକ୍ଷମ କରାଇବା, କୃଷି ଋଣ ଛାଡ଼ କରିବା, ମାଧପୁର ଠାରେ ନୂତନ ବ୍ଲକ ଗଠନ କରିବା ଆଦି ୧୨ଦଫା ଦାବି ସମ୍ମଳିତ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦେଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସହକାରୀ ଜିଲ୍ଲାପାଳ ସୋମ୍ୟରଞ୍ଜନ ସେଠି ଦାବିପତ୍ର ଗ୍ରହଣ କରିଥିଲେ ।