ଯୁବତୀଙ୍କୁ ପ୍ରଲୋଭିତ ଦେଖାଇ ନିର୍ଯାତନା : ୧୩ ଦିନ ପରେ ବି ଗିରଫ ହୋଇନି ଅଭିଯୁକ୍ତ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ରପେୟା ଗାଁର ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ବିବାହ କରିବା ପରେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ନେଇ ସିମୁଳିଆ ଥାନାରେ ମାମଲା(୨୭୮/୨୫) ହେବାର ୧୩ ଦିନ ବିତିଯାଇଥିଲେ ହେଁ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉନଥିବା ପରିବାର ତରଫରୁ ଅଭିଯୋଗ କରାଯାଇଛି । ଅଧିକାରୀଙ୍କ ଛତ୍ରଛାୟା ତଳେ ଥିବା ଅଭିଯୁକ୍ତମାନଙ୍କୁ ୭ଦିନ ମଧ୍ୟରେ ଗିରଫ କରାନଯାଏ ତେବେ ନିର୍ଯାତିତା ଯୁବତୀଙ୍କ ସହ ପରିବାର ଲୋକେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ରପେୟା ଗ୍ରାମର ରୂପାରାଣି ହାତୀ(୨୨)ଙ୍କର ନୁଆଗାଁ ଗ୍ରାମର ଅକ୍ଷୟ କୁମାର ମହାନ୍ତି(୪୪)ଙ୍କ ସହ ମୋବାଇଲରେ ପ୍ରେମ ସମ୍ପର୍କ ବଢିବା ପରେ ଅକ୍ଷୟ ରୂପାଙ୍କୁ ପ୍ରଲୋଭିତ କରି ନିଜ ବନ୍ଧୁବାନ୍ଧବ ଘରକୁ ନେଇ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ପାଇଁ ରୂପା ଜିଦ ଧରିଥିଲେ । କୋର୍ଟ ଏବଂ ମନ୍ଦିରରେ ବିବାହ ପରେ ଅକ୍ଷୟ ନିଜର କିଛି ସହଯୋଗୀଙ୍କ ସହ ମିଶି ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇଥିଲେ । ମୋବାଇଲକୁ ଅକ୍ଷୟ ଜୋର ଜବରଦସ୍ତ ଛଡାଇ ନେଇଥିବାରୁ ରୁପା ଘରକୁ ଜଣାଇପାରିନଥିଲେ । ପରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୋବାଇଲରୁ ସେ ରହୁଥିବା ଜାଗା ସମ୍ପର୍କରେ ଘରକୁ ଜଣାଇବା ପରେ ସମ୍ପର୍କୀୟମାନେ ଉଦ୍ଧାର କରି ଅଭିଯୋଗ ପାଇଁ ସିମୁଳିଆ ଥାନାକୁ ଯାଇଥିବା ନେଇ ରୁପା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସ୍ଥାନୀୟ ନେତା ଅଜୟ ସାମଲ ଏବଂ ତାଙ୍କ ସହଯୋଗୀଙ୍କ ଇଙ୍ଗିତରେ ଏହି କାର୍ଯ୍ୟ କରାଯାଇଥିବା ବାପା ଗଦାଧର ହାତୀ ଅଭିଯୋଗ କରିଛନ୍ତି । ସିମୁଳିଆ ଥାନା ଆଇଆଇସି ଶ୍ରବଣ କୁମାର ମହାରଣାଙ୍କୁ ଯୋଗାଯୋଗ କରାଯିବା ପରେ ଉକ୍ତ କେସର ତଦନ୍ତ ଚାଲିଥିବା କହିଛନ୍ତି ।