ପାଞ୍ଚବର୍ଷ ତଳେ ମୁଖ୍ୟମନ୍ତ୍ରୀ କରିଥିଲେ ଶିଳାନ୍ୟାସ,   ଅଧପନ୍ତରିଆ ହୋଇପଡ଼ିଛି ବୈତରଣୀ ନଦୀ ଉପରେ ନିର୍ମାଣାଧିନ ଦତ୍ତପୁର ସେତୁ 

ପାଞ୍ଚବର୍ଷ ତଳେ ମୁଖ୍ୟମନ୍ତ୍ରୀ କରିଥିଲେ ଶିଳାନ୍ୟାସ,   ଅଧପନ୍ତରିଆ ହୋଇପଡ଼ିଛି ବୈତରଣୀ ନଦୀ ଉପରେ ନିର୍ମାଣାଧିନ ଦତ୍ତପୁର ସେତୁ 


ଦଶରଥପୁର: ସେଦିନ ଥିଲା ୨୦୦୨ମସିହା୧୯ ଫେବ୍ରୁଆରି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶିଳାନ୍ୟାସ ହୋଇଥିଲା ବୈତରଣୀ ନଦୀ ଉପରେଏକ ହାଇଲେବୁଲ ସେତୁ । ହେଲେ ଶିଳାନ୍ୟାସର ୫ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଏବେବି ଅଧପନ୍ତରିଆ ହୋଇ ପଡ଼ିଛି । ଧିମେଇ ଧିମେଇ ଭୂଇଁରୁ ଉଠିପାରିଲାନି ଏହି ସେତୁ । ଠିକ୍ ଗତ ନିର୍ବାଚନ ପୂର୍ବରୁ ଶିଳାନ୍ୟାସ ହୋଇଥିବା ଏହି ସେତୁ ୫ବର୍ଷ ପୂରଣ କରିଥିବାବେଳେ ପୁଣି ନିର୍ବାଚନ ଆସିଲାଣି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ସେତୁ ଆଜି ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି । ଏହିପରିଏକ ଅସମ୍ପୂର୍ଣ୍ଣ ସେତୁ ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍ ଦତ୍ତପୁର ପଞ୍ଚାୟତସ୍ଥ ଦତ୍ତପୁର ଘାଟଠାରେ ନିର୍ମାଣଧୀନ ହାଇଲେବୁଲ ସେତୁର ଅବସ୍ଥା । ଦଶରଥପୁର ଓ ଧାମନଗର ବ୍ଲକ୍ବାସୀଙ୍କ ଗମନାଗମନ ପାଇଁ ନିର୍ମାଣ କରାଯାଇଥିବା ଏହି ସେତୁ ଉପରେ ପ୍ରାୟ ୧୦ରୁ ଉଦ୍ଧ୍ୱର୍ ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି । ଏହି ସେତୁର ନିର୍ମାଣ କାର୍ଯ୍ୟ ଯାଜପୁରର ବିରଜା କନଷ୍ଟ୍ରକସନ୍ କମ୍ପାନୀ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରୁଥିବା ବେଳେ ସେତୁର ବ୍ୟୟ ବରାଦ ପ୍ରାୟ ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କା ସେତେବେଳେ ହୋଇଥିବାବେଳେ ଏବେ ଏହି ସେତୁର ନିର୍ମାଣ ପାଇଁ ପୁଣି ଡେଭିଏସନ୍ କରାଯାଇ ପ୍ରାୟ ୨ଗୁଣ ଅର୍ଥ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ହେଲେ ତଥାପି ସେତୁ ନିର୍ମାଣ କାର୍ଯ୍ୟ ଭୂଇଁରୁ ଉଠିପାରୁନି । ମାତ୍ର ୧୦୦ମି. ବ୍ୟବଧାନରେ ନିର୍ମିତ ଏହି ସେତୁରଏପରି ବିଳମ୍ବ ନିର୍ମାଣ କାର୍ଯ୍ୟ କଣ ପାଇଁ ହେଉଛି ତାହା ଅଞ୍ଚଳବାସୀ ବୁଝିପାରୁନାହାନ୍ତି । ସେତୁ ନିର୍ମାଣ ଅଞ୍ଚଳ ଦତ୍ତପୁର ପଞ୍ଚାୟତ ଅଧିନରେ ହେଉଥିବାବେଳେ ଏହି ଅଞ୍ଚଳରେ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ବିଧାନସଭାର ବାଚସ୍ପତି ତଥା ବିଞ୍ଝାରପୁରର ୬ ଥର ବିଧାୟିକାଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ମଲ୍ଲିକ ଅଟନ୍ତି ।
 ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ସେତୁ ଯେ ଦୀର୍ଘବର୍ଷ ପରେ ମଧ୍ୟ କାହିଁକି ନିର୍ମାଣ କାର୍ଯ୍ୟ କରାଯାଇପାରୁନାହିଁ ତାହାକୁ ମାନନୀୟା ବାଚସ୍ପତି କେବେବି ସମୀକ୍ଷା କରିନାହାନ୍ତି । ସେତୁ ନିର୍ମାଣ ନ ହେବାରୁ ପ୍ରତିଦିନ ଶହ ଶହ ଲୋକେ ଗମନାଗମନ ପାଇଁ ଏଠାରେ ବାଉଁଶଚାରା ଉପରେ ନିର୍ଭର କରନ୍ତି । ଅତି ବିପଦସଙ୍କୁଳ ଅବସ୍ଥାରେ ଏହି ବାଉଁଶଚାରାରେ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସହ ରୋଗୀ, ବ୍ୟବସାୟୀ ଓ ସାଧାରଣ ଲୋକେ ନିଜ ଜୀବନକୁ ପାଣି ଛଡ଼ାଇ ଯିବାଆସିବା କରନ୍ତି । ଲୋକମାନଙ୍କର ବାରମ୍ବାର ଦାବୀ ପରେ ମଧ୍ୟ ଏହି ସେତୁର ନିର୍ମାଣ କାର୍ଯ୍ୟ ଅତି କଚ୍ଛପ ଗତିରେ ଚାଲିଥିବାରୁ ଲୋକେ କ୍ଷୋଭପ୍ରକାଶ କରିଛନ୍ତି । ଦେଖାଯାଉ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ସେତୁ କେବେ ନିର୍ମାଣ ସମାପ୍ତ ହୋଇ ସାଧାରଣ ଲୋକମାନଙ୍କ ପାଇଁ ଗମନାଗମନର ପଥ ସୁଗମ କରିବ ତାହା ଦେଖିବାକୁ ବାକି ରହିଲା । ତୁରନ୍ତ ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସୁଶାନ୍ତ କୁମାର ସାହୁ, କାଳନ୍ଦୀ ଚରଣ ମହାନ୍ତି, ଅର୍ଦ୍ଦାଉଳିଆ ଗ୍ରାମର ଭିକାରୀ ଚରଣ ସାହୁ ପ୍ରମୁଖଙ୍କ ସହ ଗ୍ରାମବାସୀ ଦାବୀ କରିଛନ୍ତି ।