ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ବୈଠକ
କେନ୍ଦ୍ରାପଡା : ତୁଳସୀକ୍ଷେତ୍ର ର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ଏକ ପ୍ରସ୍ତୁତି ବୈଠକ ଇଛାପୁର ଯାତ୍ରୀ ନିବାସ ପରିସର ରେ ଅନୂଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ତଥା ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ କଟକ ଜୋନର ସହକାରୀ ଦେବୋତର କମିଶନର ପ୍ରକାଶ କର, ପୁର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରତୀକା" ବେହେରା, ଦେବୋତର ନିରୀକ୍ଷକ ଶକ୍ତି ସ୍ୱରୂପ ନାୟକ, ବଡ ପଣ୍ଡା ମାଧବ ଚନ୍ଦ୍ର ପତ୍ରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ମୁଖ୍ୟ ବିଶ୍ୱକର୍ମା ରଘୁନାଥ ମହାରଣା ଓ ପୁରୋସ୍ତମ ଓଝା ପ୍ରମୁଖ ଉପସ୍ଥିତ ରହି ରଥ ନିର୍ମାଣ ସଂପର୍କରେ ଆଲୋଚନା କରିଥିଲେ । ଗତ ୨ ବର୍ଷ ହେଲା ରଥ ନିର୍ମାଣ ରେ ତ୍ରୁଟି ରହୁଥିବାରୁ ରଥ ଚାଲିଲା ବେଳେ ବାମ ମୋଡ ଡାହାଣ ମୋଡ ନେଇ ଅଟକି ରହିବା ଓ ମୋଡ ଭାଙ୍ଗି ନପାରି ଜଗ୍ ମାଧ୍ୟମରେ ଘୁଂଚାଇବା ସହ ବହୁ ସମୟ ନଷ୍ଟ ଏବଂ ଦୁଇ ଦିନ ଯାଗାରେ ଚାରିଦିନ ଗୁଣ୍ଡିଚା ଯାତ୍ରା ହେବା ଭଳି ଅଘଟଣ ଘଟି ଯାଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯେପରି କୈାଣସି ଅଘଟଣ ନଘଟେ ସେଥିପାଇଁ ରଥ ନିର୍ମାଣ ସମୟରେ ପୁରୀରୁ ଅଭିଜ୍ଞ ଭୋଇ ମହାରଣାଙ୍କ ଦ୍ୱାରା ରଥ ନିର୍ମାଣ ତଦାରଖ କରାଇବା ସହ ବ୍ରେକ୍ ନିର୍ମାଣ ରେ ପୁରୀ ସିଷ୍ଟମ ଲାଗୁ କରି ଚେନ୍ ପୁଲି ମାଧ୍ୟମରେ ବ୍ରେକ୍ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । ପ୍ରତ୍ୟେକ ବର୍ଷ ଗୋଟିଏ ଅଖ ଓ ଦୁଇଟି ଚକ ବଦଳା ଯାଉଥିବା ବେଳେ ଚଳିତ ବର୍ଷ ତିନିଟି ଅଖ, ଚାରୋଟି ଚକ ନୂଆ ଲଗାଇବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଏଥି ସହିତ ରଥ ନିର୍ମାଣ ଦାୟିତ୍ୱରେ ଥିବା ମୁଖ୍ୟ ମହାରଣା ଓ ତାଙ୍କ ସହକାରୀ ମାନେ ସେବା ମନୋଭାବ ନେଇ କାମ କରିବା ପାଇଁ ଆଲୋଚନା କରାଯିବା ସହ ରଥ ନିର୍ମାଣ ସୁରୁଖୁରୁ ରେ କରାଯାଇ ଚଳିତ ବର୍ଷ ରଥଯାତ୍ରା କୁ ନିର୍ବିଘ୍ନରେ ସାରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିବା ଓ ଏହା ଉପରେ ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ଗୁରୁତ୍ୱାରୋପ କରିଥିବା ଜଣାପଡିଛି ।