ମିଳୁନି ଆବାସ ଯୋଜନାରେ ଘର ଭଙ୍ଗା କୁଡିଆରେ ରଞ୍ଜିତଙ୍କ ପରିବାର, ଶୁଣୁନି ପ୍ରଶାସନ
ଫୁଲବାଣୀରୁ ପାର୍ଥ ବିଶ୍ୱାଳ : ରାଜ୍ୟ ଓ କେନ୍ଦ୍ର ସରକାର ଉପାନ୍ତ ଅଞ୍ଚଳ ମାନଙ୍କରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ସେହି ଯୋଜନା ମାନଙ୍କ ମଧ୍ୟରେ ଆବାସ ଯୋଜନା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଯୋଜନା ଓ ଏହି ଯୋଜନା ମାଧ୍ୟମରେ ଗରିବ ଅସହାୟ ଲୋକ ମାନଙ୍କୁ ସରକାର ପକ୍କାଘର ଯୋଗାଇ ଦେଉଥିବା ବେଳେ ଅନେକ ଜାଗାରେ ସରକାରଙ୍କ ଏହି ଆବାସ ଯୋଜନା ଫେଲ ମାରିଛି । ଏବେବି ଏହି ଯୋଜନାରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି । ପ୍ରଶାସନର ଅବହେଳା ଓ ସ୍ଥାନୀୟ ରାଜନେତା ମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ଅନେକ ଜାଗାରେ ଯୋଗ୍ୟ ହିତାଧିକାରୀ ମାନେ ଏହି ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ କିଛି ଅଞ୍ଚଳରେ ଥିଲା ବାଲା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଯୋଗାଇ ଦିଆଯାଇଥିବା ବେଳେ ଆଉ କିଛି ଜାଗାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଘର ଦିଆଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକରେ ଓ ବର୍ଷବର୍ଷ ଧରି ଝାଟିମାଟି ଭଙ୍ଗା ଟିଣ ଘରେ ରହିଆସୁଥିବା ଦେଖି ମଧ୍ୟ ନଦେଖିଲା ଭଳି ପ୍ରଶାସନ ଗରିବ ହିତାଧିକାରୀ ମାନଙ୍କୁ ଅଣଦେଖା କରିଚାଲିଛି । ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏହି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡିଣ୍ଡିରାଗାଁ ପଞ୍ଚାୟତର ୮ନମ୍ବର ୱାର୍ଡ ଲଦା ପଦର ଗାଁ ରଞ୍ଜିତ ଦିଗାଲ (୪୪) । ଅନ୍ୟପଟେ ଦୀର୍ଘ ପଚିଶ ବର୍ଷରୁ ଅଧିକ ସମୟ ଧରି ଗାଁରେ ଥିବା ଏକ ଛୋଟିଆ ଚାଳଛପର ଘରେ ତାଙ୍କର ଚାରି ଜଣ ପରିବାର ସଦସ୍ୟଙ୍କୁ ନେଇ ରହିଆସୁଛନ୍ତି । ରଞ୍ଜିତ ପରିବାରର ଏକମାତ୍ର ରୋଜଗାର କ୍ଷମ ହୋଇଥିବା ବେଳେ ଗୋଟେ ପଟେ ପରିବାର ପ୍ରତିପୋଷଣର ଚିନ୍ତା । ଅନ୍ୟପଟେ ଅର୍ଥଅଭାବରୁ ଘରଖଣ୍ଡିଏ ତିଆରି କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ । ଯାହା ପାଇଁ ସେ ବାରମ୍ବାର ଘରଖଣ୍ଡିଏ ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ପାଖରେ ମଧ୍ୟ ପହଞ୍ଚି ବହୁବାର ଲିଖିତ ଓ ମୌଖିକ ଭାବରେ ମଧ୍ୟ ଗୁହାରି କରିଆସୁଛନ୍ତି । କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ଭଳି ରଞ୍ଜିତଙ୍କ ପରିବାରକୁ ଭୁଲିଯାଇଛି । ସେପଟେ ଏକ ଝାଟିମାଟି ଘରେ ପରିବାରର ଚାରି ଜଣ ସଦସ୍ୟଙ୍କୁ ନେଇ ବହୁକଷ୍ଟରେ ରହିଆସୁଛନ୍ତି ରଞ୍ଜିତ ଓ ତାଙ୍କ ପରିବାର । ଅସୁରପା ବର୍ଷା ଟିକିଏ ହେଲେ ବି ଛପରରୁ ପାଣି ଗଳି ଆସି ଘର ଭିତରେ ଭର୍ତ୍ତି ହେଇ ଯାଉଛି । ବର୍ଷା, ପବନ ଦିନ ମାନଙ୍କରେ ବହୁତ ଅସୁବିଧାରେ ରହୁଛନ୍ତି । ୨୯/୫/୧୭ ପଞ୍ଚାୟତର ପଲ୍ଲୀ ସଭାରେ ରଞ୍ଜିତର ନାମ ଥିଲା କିନ୍ତୁ ଘର ପାଇବାରେ ତାଙ୍କ ନାମ କାଟି ଦିଆ ଯାଇଛି । ନାମ କାହିଁକି କଟା ଯାଇଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ । ତେବେ ରଞ୍ଜିତଙ୍କ ଏହି ସମସ୍ୟା ବିଷୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ନିର୍ବାଚନ ଆଚରଣ ବିଧି ଉଠିଲା ପରେ ତଦନ୍ତ କରାଯିବ । ହିତାଧିକାରୀ ଜଣକ ଯଦି ଯୋଗ୍ୟ ହୋଇଥିବେ ତାହେଲେ ତାଙ୍କୁ ଆବାସ ଯୋଜନାରେ ଘରଖଣ୍ଡିଏ ଦେବାପାଇଁ ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।