ବାଙ୍ଗିରିପୋଷି - ପୁରୀ ଟ୍ରେନ୍ ସମୟ ନେଇ ଅସନ୍ତୋଷ
ବେତନଟୀ : ଉତ୍ତର ଓଡିଶାର ସର୍ବବୃହତ ଏବଂ ଅବିଭକ୍ତ ଏକ ମାତ୍ର ଆଦିବାସୀ ବହୁଳ ଜିଲ୍ଲାରୁ ଜିଲ୍ଲାବାସୀଙ୍କର ଦୀର୍ଘ ଦିନର ଦାବି ପରେ ଯଦିଓ ଖଣ୍ଡିଏ ମାତ୍ର ସୁପର ଫାଷ୍ଟ ଟ୍ରେନ ବାଙ୍ଗିରିପୋଷିରୁ ଭୁବନେଶ୍ୱର ଏବଂ ପରେ ପୁରୀ ପର୍ଯ୍ୟନ୍ତ ଚଳାଚଳ କରିଆସୁଥିଲା । ଯାହା ମୟୂରଭଞ୍ଜର ଜୀବନ ରେଖା ଭାବେ ଭୁବନେଶ୍ୱର ଓ ପୁରୀକୁ ସିଧା ସଳଖ ସଂଯୋଗର ମାଧ୍ୟମ ଥିଲା । ଏହି ଟ୍ରେନର ଯାତ୍ରୀ ସଂଖ୍ୟା ଏତେ ବଢିଥିଲା ଯେ ବାଙ୍ଗିରିପୋଷିରୁ ମାତ୍ର ୬୦ କିମି ବେତନଟୀରେ ପହଞ୍ଚିଲା ବେଳକୁ ଟ୍ରେନରେ ସିଟ ମିଳି ନ ଥାଏ । ରିର୍ଜଭେସନ ବାଙ୍ଗିରିପୋଷିରୁ କରିବାକୁ ଯାତ୍ରୀମାନେ ବାଧ୍ୟ ହୋଇଥାନ୍ତି । ରେଳବାଇ ଯାତ୍ରୀ ଫୋରମ ଏବଂ ବାରିପଦା ବେତନଟୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଉ ଖଣ୍ଡିଏ ଡାଉନ ଟ୍ରେନ ପୁରୀ ପଟୁ ବାଙ୍ଗିରିପୋଷିକୁ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲେ ବି ରେଳମନ୍ତ୍ରୀ ଏହି ଦାବି ପ୍ରତି ଦୃଷ୍ଟି ଦେଇନାହାଁନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନଟି ଯେଉଁ ସମୟ ସାରଣୀ ଥିଲା ତାହାର ପରିବର୍ତ୍ତନ କରାଯିବା । ଏହା ଆସନ୍ତା ୨୫ତାରିଖ ଠାରୁ ଯେଉଁ ସମୟ ସାରଣୀରେ ଚଳାଚଳ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାହାକୁ ନେଇ ସାରା ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି । ତାହାକୁ ତୀବ୍ର ବିରୋଧ ମଧ୍ୟ କରାଯାଇଛି । ଏହି ସମୟ ସାରଣୀର ପରିବର୍ତ୍ତନକୁ ନେଇ ସମସ୍ତ ଗଣମାଧ୍ୟମରେ ପ୍ରତିବାଦ ମଧ୍ୟ କରାଯାଇଛି । ସାଂସଦ ନବ ଚରଣ ମାଝୀ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସଂପୂର୍ଣ୍ଣ ନିରବତାକୁ ନେଇ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ସମୟ ପରିବର୍ତ୍ତନ ଖାଲି ମୟୂରଭଞ୍ଜ ଜିଲ୍ଲା ପାଇଁ ନୁହେଁ ପଡୋଶୀ ବାଲେଶ୍ୱର ଭଦ୍ରକ ଯାଜପୁର ଜିଲ୍ଲାବାସୀଙ୍କ ପାଇଁ ମଧ୍ୟ ଅସୁବିଧା ସୃଷ୍ଟି କରିବ ବୋଲି ଦୃଷ୍ଟି ଆକର୍ଷଣ କରି ଏହା ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିବାରୁ ମନ୍ତ୍ରୀଙ୍କ ଉଦ୍ୟମକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ସେହିପରି ବାଙ୍ଗିରିପୋଷିରୁ ବାଲେଶ୍ୱରକୁ ଦିନରେ ଦୁଇ ଥର ଚଳାଚଳ କରିଆସୁଥିବା ଡିଏମୟୁ ଟ୍ରେନ ଟିକୁ କରୋନା ପର ଠାରୁ ଥରେ ମାତ୍ର ଚଳାଚଳ କରିବା ଯୋଗୁଁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି । ଏହି ଷ୍ଟେସନ ଗୁଡିକର ଉନ୍ନତିକରଣ ହୋଇ ପାରି ନାହିଁ । ବିଜେପି ଏହି ଜିଲ୍ଲାରୁ ସମସ୍ତ ବିଧାନସଭା ଓ ଲୋକସଭା ଆସନରୁ ବିଜୟ ଲାଭ କରିଥିବା ବେଳେ ଭୋଟରଙ୍କୁ ରେଳବାଇ କ୍ଷେତ୍ରରେ ପ୍ରତାରଣା କରାଯାଉଥିବା ଅଭିଯୋଗ କରାଯାଇଛି । ଏହି ସୁପର ଫାଷ୍ଟ ଟ୍ରେନଟିର କେବଳ ସମୟ ସାରଣୀ ପରିବର୍ତ୍ତନ କରାଯାଇ ଏହାକୁ ଏକ୍ସପ୍ରେସ ପାହ୍ୟାକୁ ଖସାଇ ଦେବା ସହିତ ଟ୍ରେନର ନମ୍ବର ମଧ୍ୟ ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ବଦଳାଇ ଦେଇ ଥିବା ଯୋଗୁଁ ଅସନ୍ତୋଷ ଦେଖାଯାଇଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି ।