ଅଧିକାରୀଙ୍କୁ ସୂର୍ଯ୍ୟବଂଶୀଙ୍କ ପରାମର୍ଶ ; ଅର୍ଥର ସୁବିନିଯୋଗ କର

ଧାମନଗର/ଭଦ୍ରକ : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମଥର ପାଇଁ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଏବଂ ଯୋଜନା ଉପରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । ଉଦ୍ୟାନ କୃଷି, ସମାଜ ମଙ୍ଗଳ, ପଶୁ ସମ୍ପଦ ଓ ପଶୁ ପାଳନ, ଜୀବିକା ମିଶନ, ଦକ୍ଷତା ବିକାଶ, ହସ୍ତତନ୍ତ ଓ ବୟନ ଶିଳ୍ପ ଭଳି ୧୬ଗୋଟି ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାର ସମୀକ୍ଷା କରିଥିଲେ । ସରକାରୀ ଅର୍ଥ ଯେପରି ସଦ୍‌ବିନିଯୋଗ ହୋଇପାରିବ ସେ ଦିଗରେ ଅଧିକାରୀମାନେ ନଜର ଦେବା ଆବଶ୍ୟକ ବୋଲି କହିଥିଲେ । ଆଗାମୀ ଦିନରେ କୃଷି ଉତ୍ପାଦ ପାଇଁ ବଜାର ସୁବିଧା କରିବାକୁ ଜୋର ଦିଆଯାଇଛି । ସେହିପରି ଓଡ଼ିଶା ଜୀବିକା ମିଶନ ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବ୍ୟବସ୍ଥା କରିବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । 
ଏସ୍‌ଏଚ୍‌ଜି ଗଠନ କରିବା, ଜୀବିକା ମିଶନ ଜରିଆରେ ସେମାନଙ୍କୁ ବିଭିନ୍ନ ଉତ୍ପାଦ ସୃଷ୍ଟିରେ ସମର୍ଥନ ଓ ପ୍ରୋତ୍ସାହନ ଦେବା ଏବଂ ଓରମାସ ଜରିଆରେ ସେମାନଙ୍କ ଉତ୍ପାଦକୁ ବିକ୍ରି ବ୍ୟବସ୍ଥା କରିବା ହେଉଛି ମିଶନ ଶକ୍ତି ବିଭାଗର କାମ  । ହେଲେ ତିନି ବିଭାଗ ମଧ୍ୟରେ ସମନ୍ୱୟ ଅଭାବ କାରଣରୁ ଧାମନଗର ନିର୍ବାଚନ ମଣ୍ଡଳୀରେ ତାହା ସମ୍ଭବ ହୋଇପାରୁନି । ଭଦ୍ରକରୁ ଲେମନ ଗ୍ରାସ ପ୍ରଡକ୍ଟ କିଭଳି ବୋଷ୍ଟନ ଯାଇପାରିବ ସେନେଇ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ବଡ଼କଥା ହେଉଛି, ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଉପସ୍ଥାପିତ ତଥ୍ୟରେ ତାଳମେଳ ରହିନଥିବା ଦେଖିବାକୁ ମିଳିଥିଲା । ଜୀବିକା ମିଶନ ବିଭାଗର ସୂଚନା ଅନୁସାରେ ଧାମନଗରରେ ୧୨ ଟି ସ୍ୱୟଂ ସହାୟକ ଗୋଷ୍ଠୀ ମତ୍ସ୍ୟ ଚାଷ କରୁଛନ୍ତି । ହେଲେ ମତ୍ସ୍ୟ ଚାଷ ବିଭାଗର ତଥ୍ୟ ଅନୁସାରେ ଧାମନଗରରେ ମାତ୍ର ୨ଟି ଏସ୍‌ଏଚ୍‌ଜି ମାଛ ଚାଷ କରୁଛନ୍ତି । ଏଭଳି ତଥ୍ୟ ନେଇ ମନ୍ତ୍ରୀ ଦୁଇ ବିଭାଗକୁ ଭର୍ତ୍ସନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟ,ଜିଲ୍ଲା ଯୋଜନା ଅଧିକାରୀ ପ୍ରହ୍ଲାଦ ରଣା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ସାଂସଦ ପ୍ରତିନିଧି ମନୋଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।