ଚେଇଁ ଶୋଇଛି ବିଭାଗ : ରାସ୍ତାରେ ଭାସୁଛି ପିଇବା ପାଣି

କୁଆଖିଆ,୨୯ା୯ : କେଉଁଠି ବିଶୁଦ୍ଧ ପିଇବା ପାଣି ମୁନ୍ଦେ ପାଇଁ ଅପରିଷ୍କାର କୂଅ ପୋଖରୀ ଉପରେ ଲୋକେ ନିର୍ଭର କରୁଛନ୍ତି ତ କେଉଁଠି ସରକାରୀ ପାଣି ରାସ୍ତା କଡରେ ବୋହି ଯାଉଛି । ପାନୀୟ ଜଳ ବିଭାଗ ଜଳ ଯୋଗାଣ ନାଁରେ ବିଲ କରି ସରକାରୀ ଅର୍ଥକୁ ଆତ୍ମସାଥ କରୁଛି । ରସୁଲପୁର ବ୍ଲକ ରାହାମ୍ବା ପଞ୍ଚାୟତ କୁରାଂଶ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ ଥିବା ନରସିଂହପୁର ଗ୍ରାମ ନିକଟରେ ଏକ ପାନୀୟ ଜଳ ଡିପି ଥିବା ବେଳେ ସେଠାରେ ଥିବା ଛୋଟିଆ ବଜ଼ାର ଲୋକେ ସେଥିରୁ ସେମାନଙ୍କ ଆବଶ୍ୟକତାକୁ ମେଣ୍ଟାଇବା ସହିତ ବାଟୋଇ ମାନେ ସେମାନଙ୍କ ଶୋଷ ମାରୁ ଥିଲେ । କିନ୍ତୁ କିଛି ବର୍ଷ ହେଲା ସେଠାରେ ବସିଥିବା ଡିପି ଭାଙ୍ଗି ଯିବା ପରେ. ପାଇପ୍‌ଟିରେ ପାଣି ଚାଲିଥିଲା । ବର୍ତ୍ତମାନ ପାଇପ ନଷ୍ଟ ହେବା ଫଳରେ ମାଟି ତଳେ ଥିବା ପାଇପରୁ ପାଣି ବାହାରି ରାସ୍ତାରେ ମାଡୁଛି । ପ୍ରତ୍ୟେକ ଦିନ ଏଇ ରାସ୍ତାରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଯାତାୟାତ ବେଳେ ଦେଖୁଥିଲେ ମଧ୍ୟ ମରାମତି ପାଇଁ ଆନ୍ତରିକତା ଦେଖାଉ ନଥିବା ଜଣାଯାଏ । ଏ ସମ୍ପର୍କରେ ସ୍ଥାନୀୟ ଲୋକ ମାନେ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଜଣାଇ ଥିଲେ ବି ଅଧିକାରୀ ନୂଆ ଟେଣ୍ଡର ହେଲେ ଯାଇ ମରାମତି ହେବ ବୋଲି କହୁଥିବା ଜଣାଯାଏ । ତେବେ ପଞ୍ଚାୟତରେ ଅନେକ ସ୍ଥାନରେ ଏହିପରି ସମସ୍ୟା ଥିଲେ ବି ବିଭାଗ ଲୋକଙ୍କ ସମସ୍ୟାକୁ ଆଖିବୁଜି ଦେଇଥିବା ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।