ଜନଔଷଧି ଦିବସ ପାଳିତ
ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜନ ଔଷଧି ଦିବସ ପାଳିତ ହୋଇଯାଇଛି । ଏହି ଦିବସଟି ପାଳନର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ସରକାରୀସ୍ତରରେ ମାଗଣାରେ ମିଳୁଥିବା ଔଷଧ ଓ ଜନସାଧାରଣଙ୍କୁ ମିଳୁଥିବା ସମସ୍ତ ସୁବିଧା ଓ ଉପଯୁକ୍ତ ସୁଯୋଗ ଆପଣେଇବା ଏବଂ ଜନ ଔଷଧି କେନ୍ଦ୍ରରେ ସ୍ୱଳ୍ପ ଦରରେ ମିଳୁଥିବା ଅନେକ ଆବଶ୍ୟକୀୟ ଔଷଧ ମଧ୍ୟ ପାଇବା । ଏହି ଅବସରରେ ପୁରୀ ଲୋକସଭା ସାଂସଦ ଡ଼ାକ୍ତର ସମ୍ବିତ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହି ଦିବସକୁ ପାଳନର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ତତ୍ସହିତ ବଳଗଣ୍ଡି ଛକ ସ୍ଥିତ ଜନ ଔଷଧି କେନ୍ଦ୍ର ପରିଦର୍ଶନ କରିଥିଲେ । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଭାରତ ସରକାରଙ୍କ ପକ୍ଷରୁ ମିଳୁଥିବା ଜନ ଔଷଧି କେନ୍ଦ୍ରରେ ସ୍ୱଳ୍ପ ପଇସାରେ ମିଳୁଥିବା ଔଷଧ ସମ୍ବନ୍ଧରେ ମଧ୍ୟ ଅବଗତ କରାଇବା ସହ କିପରି ସମସ୍ତେ ଏହି ଔଷଧକୁ ଅଧିକରୁ ଅଧିକ କିଣିପାରିବେ ସେ ବିଷୟରେ ମଧ୍ୟ କହିଥିଲେ । କେବଳ ଜିଲ୍ଲାସ୍ତରରେ ନୁହେଁ ଏହି ଜନ ଔଷଧି ଦିବସ ସମସ୍ତ ୧୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ଟି ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୫ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ୧୯୪ଟି ଉପସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏବଂ ୫ଟି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମଧ୍ୟ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡ଼. ରୂପଭାନୁ ମିଶ୍ର ଉପସ୍ଥିତ ଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀ ଟି. ନାରାୟଣ ରାଓ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।