ଜଳ ଆୟୋଗ କେନ୍ଦ୍ରରେ କର୍ମଚାରୀ ସଂକଟ
ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ : ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ଆଖୁଆପଦା ଆନିକଟ ଠାରେ ଥିବା ଜଳଶକ୍ତି ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ପରିଚାଳିତ ବନ୍ୟା, ବାତ୍ୟା ଓ ବିପର୍ଯ୍ୟୟ ସୂଚନା କେନ୍ଦ୍ରଟିରେ ଦୀର୍ଘ ଦିନ ହେବ କର୍ମଚାରୀ ସଙ୍କଟ ଦେଖାଦେଇଛି । ଏହାଛଡା ନିକଟରେ ଥିବା ରାଜ୍ୟ ସରକାରଙ୍କ ଅଧୀନ ଅନ୍ୟ ଏକ କାର୍ଯ୍ୟାଳୟଟି ମଧ୍ୟ ଭୂତକୋଠିରେ ପରିଣତ ହୋଇଛି । ବୈତରଣୀ ନଦୀର ଜଳ ପରିଚାଳନା ଓ ବନ୍ୟା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ ଏଠାରେ ଦୀର୍ଘ ୫୦/୬୦ବର୍ଷ ପୂର୍ବରୁ ଉକ୍ତ କାର୍ଯ୍ୟାଳୟ ଦ୍ୱୟ ପ୍ରତିଷ୍ଠା ହୋଇଥିଲା । ବିଶେଷ କରି ବର୍ଷ ତମାମ ବର୍ଷା ଜଳ ପରିମାଣ ମାପିବା ଓ ନଦୀର ଜଳ ପ୍ରବାହ ସମ୍ପର୍କିତ ଖବର ସଂଗ୍ରହ କରି ସୂଚନା ଦେବା କାର୍ଯ୍ୟାଳୟର ମୁଖ୍ୟ ଉଦେ୍ଦଶ୍ୟ ଥିଲା । ଏହାଦ୍ୱାରା ସ୍ଥାନୀୟ ପ୍ରଶାସନ ସଠିକ ସୂଚନା ପାଉଥିବା ବେଳେ ଜନସାଧାରଣ ମାନେ ମଧ୍ୟ ବନ୍ୟା ବାତ୍ୟା ପୂର୍ବରୁ ସଚେତନ ରହୁଥିଲେ । ପରିତାପର ବିଷୟ ଦୀର୍ଘ ବର୍ଷ ହେବ ଏଠାରେ କୌଣସି କର୍ମଚାରୀ ରହୁନଥିବା ବେଳେ ଗୋଟିଏ ଯୋଡିଏ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ଉକ୍ତ କାର୍ଯ୍ୟାଳୟଟି କିଛିଦିନ କାର୍ଯ୍ୟ କରୁଥିଲା । ସେତକ ବି ଦୁଇ ବର୍ଷ ହେବ ଆଉ ହୋଇପାରୁନାହିଁ । କେନ୍ଦ୍ର ଜଳ ଆୟୋଗ ଦ୍ୱାରା ପରିଚାଳିତ କାର୍ଯ୍ୟାଳୟଟି ପାଇଁ ସର୍ବନିମ୍ନ ପାଞ୍ଚ ରୁ ଛଅ ଜଣ କର୍ମଚାରୀ ଆବଶ୍ୟକ ଥିବାବେଳେ ବନ୍ୟା ସମୟ ହୋଇଥିବାରୁ ଏବେ ମାତ୍ର ଜଣିଏ କର୍ମଚାରୀରେ ସମସ୍ତ କାର୍ଯ୍ୟ ହେଉଥିବା ଜଣାପଡିଛିା ତେଣୁ କର୍ମଚାରୀ ଜନିତ ସମସ୍ୟା କାରଣରୁ ସଠିକ ସମୟରେ ବୃଷ୍ଟିପାତ ଓ ନଦୀ ଅବବାହିକାରେ ବନ୍ୟା ସମ୍ପର୍କିତ କୌଣସି ସୂଚନା ମିଳି ପାରୁନାହିଁ । ଏପରିକି ଜଳ ସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ସେମାନେ କେବଳ ପ୍ରବାହିତ ଜଳସ୍ତରର ଗେଜ ହିସାବ ଦେଉଥିବା ବେଳେ ସମ୍ପୂର୍ଣ୍ଣ ବର୍ଷା ପରିମାଣର ତଥ୍ୟ ମଧ୍ୟ ଅନେକ ସମୟରେ ଦେଇ ପାରୁନାହାନ୍ତି । ବନ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ ଉପରମୁଣ୍ଡ ବର୍ଷା ହିସାବ ଆସିପାରୁ ନାହିଁ । ଯାଜପୁର ଓ ଭଦ୍ରକ ଦୁଇ ଗୋଟି ଜିଲ୍ଲା ପ୍ରଶାସନକୁ ବର୍ଷା ତଥା ବନ୍ୟା ସମ୍ପର୍କିତ ତଥ୍ୟ କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟ ପ୍ରଦାନ କରିଥାଏ ।ନିୟମିତ କର୍ମଚାରୀ ରହିଲେ ସଠିକ ସମୟରେ ସମସ୍ତ ତଥ୍ୟ ମିଳିପାରନ୍ତା ବୋଲି ସ୍ଥାନୀୟ ବୃଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ଏନେଇ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟର ଜନୈକ ଅଧିକାରୀଙ୍କ ମତାମତ ନେବାରୁ ଯଥାଶୀଘ୍ର ଦୁଇ ଚାରିଜଣ କର୍ମଚାରୀ ନିଯୁକ୍ତି ହେବ ବୋଲି ସୂଚନା ଦେଇଛନ୍ତି ।