ଜଳୁନି ଷ୍ଟ୍ରିଟ ଲାଇଟ୍ :ଫେଲ୍ ମାରିଛି ଆଲୋକୀକରଣ ଯୋଜନା
ଦଶରଥପୁର: ରକ୍ଷଣା ବେକ୍ଷଣ ଅଭାବରୁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହୋଇଥିବା ଆଲୋକୀକରଣ ଯୋଜନା ଦଶରଥପୁର ଅଞ୍ଚଳରେ ଫେଲ ମାରିଛି । ଗାଁ ଆଲୋକୀକରଣ ଯୋଜନା ଆରମ୍ଭ କରି ପୂର୍ବ ସରକାର ବିଭିନ୍ନ ସାହି, ଗାଁ, ବସ୍ତି ମାନଙ୍କରେ ଲଗାଇଥିଲେ ଷ୍ଟି୍ରଟ ଲାଇଟ୍ । ଦଶରଥପୁର ବ୍ଲକ ଅନ୍ତର୍ଗତ ୩୫ଟି ପଞ୍ଚାୟତର ପ୍ରତି ଗାଁରେ ଲାଗିଥିବା ଉଜ୍ଜଳ ଆଲୋକ ଗୁଡିକ ଅଚଳ ହୋଇପଡିଛି । ଯଥା ପୂର୍ବଂ ତଥା ପରଂ ଭଳି ଲାଗିଥିବା ଷ୍ଟି୍ରଟ ଲାଇଟ ଗୁଡ଼ିକ ଆଉ ଜଳୁନଥିବାରୁ ଗାଁ ଦାଣ୍ଡ ପୁଣି ଅନ୍ଧକାରମୟ ହୋଇପଡିଛି । କେଉଁଠି ବିଦ୍ୟୁତ୍ ଖୁଣ୍ଟରେ ଅଚଳ ଲାଇଟ୍ ଝୁଲୁଥିବା ବେଳେ ଆଉ କେଉଁ ଖୁଣ୍ଟରେ ଦିନ ରାତି ଆଲୋକ ଧପ୍ ଧପ୍ ହେଉଛି । ଲାଗିଥିବା ଉପକରଣ ରକ୍ଷଣା ବେକ୍ଷଣ ଅଭାବ ଓ ମରାମତି ହେଉ ନ ଥିବା କାରଣରୁ କୋଟି କୋଟି ଟଙ୍କା ବ୍ୟୟରେ ଆଲୋକୀକରଣ ଯୋଜନା ଫେଲ୍ ମାରିଛି ବୋଲି ସାଧାରଣରେ ୁକହାଯାଉଛି । କାର୍ଯ୍ୟକୁ ହାତକୁ ନେଇଥିବା ଠିକାଦାର ୫ ବର୍ଷ ଯାଏଁ ଲାଇଟ୍ ଗୁଡିକର ରକ୍ଷଣାବେକ୍ଷଣ କରିବା ଦାୟୀତ୍ୱ ମୁଣ୍ଡାଇଥିଲେ ବି ଏହା କରୁନଥିବାର ଅଭିଯୋଗ ହେଉଛି । ଫଳରେ ଗ୍ରାମାଞ୍ଚଳରେ ଆଲୋକୀ କରଣ ଯୋଜନା ପୁରାଫେଲ ମାରିଛି । ଅନ୍ୟପକ୍ଷରେ ଗାଁ ଗୁଡ଼ିକର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସୁଥିବା କୋଟି କୋଟି ଟଙ୍କା ଅଚଳ ଲାଇଟ୍ ଗୁଡିକୁ ସଚଳ କରିବା ବା ନୂତନ ଲାଇଟ୍ ଲାଗାଇବା ଦିଗରେ ପଞ୍ଚାୟତ ପ୍ରତିନିଧି ଆଗ୍ରହ ପ୍ରକାଶ କରୁନାହାନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି ।