ଧାନ କ୍ରୟ ସମ୍ପର୍କିତ ଚାଷୀ ସଚେତନତା ଶିବିର 

 ଚମ୍ପୁଆ:  ଚମ୍ପୁଆ ବ୍ଲକ ଅର୍ନ୍ତଗତ ରଜିଆ ପଞ୍ଚାୟତରେ ଧାନ କ୍ରୟ ସମ୍ପର୍କିତ ଏକ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  । ରଜିଆ ସରପଞ୍ଚ ସନ୍ତୋଷ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଲ୍ୟାମ୍ପସର ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, କୃଷି ବିଭାଗର ଅଧିକାରୀ ଗଙ୍ଗାଧର ଦାସ, ନିୟନ୍ତ୍ରିତ ବଜାର କମିଟିର ଝୁଲୁ ଓ ସାଗର ପ୍ରମୁଖ ଉପସ୍ଥିତ ଥିଲେ  । ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଧାନ ମଣ୍ଡିର ସଫଳ ରୂପାୟନ କିପରି ହୋଇପାରିବ, ସେନେଇ ଚାଷୀମାନଙ୍କୁ ସଚେତନ କରାଯାଇଥିଲା  । ଅତିଥି ଅଧିକାରୀ ମାନେ ଉକ୍ତ ସଚେତନତା ଶିବିରରେ ଧାନର ମାନ କିପରି ରହିବା ଆବଶ୍ୟକ ଏବଂ ଉଚିତ ମାନର ଧାନ ଦେଇ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଚାଷୀ କିପରି ପାଇବେ, ଚାଷୀ ଧାନ ମଣ୍ଡିରେ ଧାନ ଦେବାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିପରି ଟଙ୍କା ଯିବ, ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା  । ଉକ୍ତ ସଚେତନତା ସଭାରେ ପଞ୍ଚାୟତର ଅନେକ ଚାଷୀ ଯୋଗ ଦେଇ ନିଜନିଜର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ  । ଶେଷରେ ଚମ୍ପୁଆ ଲ୍ୟାମ୍ପସର ସମ୍ପାଦକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ  ।