ନର୍ଦ୍ଧମା ଜଳରେ ଉବୁଟୁବୁ ରେଳ ଅଣ୍ଡରଗ୍ରାଉଣ୍ଡ ଦାୟୀ କିଏ: ମୁ୍ୟନିସିପାଲିଟି ନା ରେଳ କର୍ତ୍ତୃପକ୍ଷ?
(ଜଟଣୀରୁ ଦେବପ୍ରସାଦ ଦାସ)
ଭୁବନେଶ୍ୱର ଉପକଣ୍ଠରେ ଥିବା ଜଟଣୀ ଏକ ସର୍ବ ପ୍ରାଚୀନ ଓ ଛୋଟିଆ ସହର । ସହରରେ ନାଇଜର, ଆଇଆଇଟି ଭଳି ବହୁ କେନ୍ଦ୍ରୀୟ ପ୍ରକଳ୍ପ ବ୍ୟତୀତ ଖୋର୍ଦ୍ଧାରୋଡ ରେଳ ଡିଭିଜନ୍ ଏହି ସହରର ମୁଖ୍ୟ ଆକର୍ଷଣ । ପ୍ରତିଦିନ ସହରର ଜନସାଧାରଣ ଏବଂ ଆଖପାଖ ଅଞ୍ଚଳ ଯେପରି ହରିରାଜପୁର, କୁଶମାଟି, ହରିପୁର, ବରପଦା, ବାଛରା, କନ୍ତିଆ, ନିରଞ୍ଜନପୁର, ରଥିପୁର ସମେତ ବାହାର ଯାତ୍ରୀଙ୍କର ଏହି ସହର ମଧ୍ୟରେ ଚଳପ୍ରଚଳ ହୋଇଥାଏ । ପୂର୍ବରୁ ସୀତାରାମ୍ ଛକ ଓ କୁଦିଆରି ବଜାର ମଧ୍ୟରେ ରେଳ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନଥିଲା, ଖୋର୍ଦ୍ଧାରୁ ପିପିଲିକୁ ସଂଯୋଗର ଏକ ମାତ୍ର ମାଧ୍ୟମ ଥିଲା ଜଟଣୀର ମୁଖ୍ୟ ରାସ୍ତା ଯାହାକି ୧୩ ନମ୍ବର ରାଜ୍ୟ ରାଜପଥ । ଏବଂ ଏହି ରାଜ୍ୟ ରାଜପଥର ସୀତାରାମ୍ ଛକ ଓ କୁଦିଆରି ବଜାର ମଧ୍ୟରେ ଯାଇଥିବା ରେଳ ଲାଇନ୍ ଯୋଗୁଁ ଏହି ସ୍ଥାନରେ ଲେବୁଲ୍ କ୍ରସିଂ ଥିଲା । ସମୟକ୍ରମେ ରେଳ ସଂଖ୍ୟା ବୃଦ୍ଧି ପାଇବା ସହ ଅଧିକାଂଶ ସମୟ ରେଳ ଚଳାଚଳ ଯୋଗୁଁ ଲେବଲ୍ କ୍ରସିଂ ବନ୍ଦ୍ ରହୁଥିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ଯୋଗୁଁ ରେଳ ପ୍ରଶାସନ ପକ୍ଷରୁ ଉକ୍ତ ରେଳ ଜମିରେ ବ୍ରିଟିଶ ଇଞ୍ଜିନିଅରିଂ ଜ୍ଞାନ କୌଶଳରେ ଏକ ଭୂତଳ ରାସ୍ତା ଖୋଳି ସର୍ବସାଧାରଣ ଚଳପ୍ରଚଳ ଉପଯୋଗୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବ ତଥା ଦୂରଦୃଷ୍ଟି ନଥିବା ରେଳ ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ ଯୋଗୁଁ ସାମାନ୍ୟ ବର୍ଷା ହେଲେ ଏହି ଭୂତଳ ରାସ୍ତା ମଧ୍ୟରେ ପାଣି ଜମାହୋଇ ଘଣ୍ଟା ଘଣ୍ଟା ଧରି ଯୋଗାଯୋଗ ବିଛିନ୍ନ ହୋଇ ପଡୁଥିଲା । ଏପରିକି ବହୁ ଲୋକ ମୃତାହତ ହେବା ସହ ବିଗତ ବର୍ଷ ଏହା ମଧ୍ୟରେ ବସ ବୁଡି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଅପରପକ୍ଷେ ସାମାନ୍ୟ ବର୍ଷା ହେଉ କି ସହର ଯାକର ନଳା ପାଣି ବଡ ବଜାର ପଟୁ ଏହାମଧ୍ୟରେ ଜମାହୋଇ କୂତ୍ରିମ ଯୋରର ଭ୍ରମ ସୃଷ୍ଟି କରିବା ସହିତ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ସାଧାରଣରେ ଦୃଷ୍ଟି ଗୋଚର ହେଉଛି । ତାହା କେବଳ ସମ୍ଭବ ହେଉଛି ସ୍ଥାନୀୟ ପ୍ରଶାସନର ଉଦାସୀନତା ଓ ଠିକାଦାର ପୋଷଣ ମନୋଭାବ ଯୋଗୁଁ । ଅପରପକ୍ଷେ ଦେଖାଯାଇଛି ମରାମତି ଆଳରେ ବର୍ଷ ତମାମ ଅଣ୍ଡରଗ୍ରାଉଣ୍ଡ ମଧ୍ୟରେ କାମ ·ଲୁଥିବା ବେଳେ ଠିକା ସଂସ୍ଥା ମାଧ୍ୟମରେ ଏଠାରେ ଜମୁଥିବା ପାଣି ଉଠାଇବା ପାଇଁ ରେଳ ତହବିଲ୍ରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଏ, କିନ୍ତୁ ପରବର୍ତ୍ତୀ ସମୟରେ ଯଥା ପୂର୍ବମ୍ ତଥା ପରମ୍ ଭଳି ଜନ ସାଧାରଣ ଖାଲି ଦହଗଞ୍ଜ ହୁଅନ୍ତି । ପ୍ରଶାସନିକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଫଳରେ ପ୍ରତିବର୍ଷ ବର୍ଷାଦିନେ ସହରବାସୀ ଜଳବନ୍ଦୀ ସମସ୍ୟାରେ ଘାଣ୍ଟି ହେବା ଭଳି ପରିସ୍ଥିତି ସୃଷ୍ଟି ହୁଏ । ଏହାର ମୁଖ୍ୟ କାରଣ ହେଉଛି ପୌରାଞ୍ଚଳର ଅଧିକାଂଶ ଡ୍ରେନ୍ ଉପରେ ଦୋକାନ ବଜାର ଓ ପାର୍କିଂ ସ୍ଥାନ ତିଆରି ହେବା ଦ୍ାରା ଜନସାଧାରଣଙ୍କ ଯାତାୟତରେ ଅସୁବିଧା ହେବା ସହିତ ରାସ୍ତାର ପ୍ରଶସ୍ତୀକରଣ କମି ଏହା କଡ଼ ମାନଙ୍କରେ ଆବର୍ଜନା ଜମି ରହିବା ଯୋଗୁଁ ସଫେଇ କାର୍ଯ୍ୟ ତ୍ୱରାନ୍ୱତ ହୋଇ ପାରୁନାହିଁ । ମୁନିସିପାଲିଟି ଲୋକ ଦେଖାଣିଆ ଭାବେ କେତେକ ସ୍ଥାନରେ ଜବର୍ ଦଖଲ ହଟାଇ ନିଜ ଦାୟିତ୍ୱ ଶେଷ କରୁଥିବା ବେଳେ କିନ୍ତୁ ଏଭଳି ବେପରୁଆ କାର୍ଯ୍ୟ ପାଇଁ ଲଗାଣ ବର୍ଷାରେ ଉଦବତ୍ତ ନର୍ଦ୍ଦମା ଜଳର ପ୍ରବାହ ଘର ମାନଙ୍କ ମଧ୍ୟକୁ ପ୍ରବେଶ କରୁଛି । ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ୨୦୦୩ ଅନୁଯାୟୀ ଜବର୍ ଦଖଲକାରୀଙ୍କୁ ନୋଟିସ୍ ଦିଆଯାଇ ତୁରନ୍ତ ଉଛେଦ କରାଯିବା ଓ ଆବଶ୍ୟକ ସ୍ଥଳେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଜରିମାନା ଆଦାୟ କରାଯିବାର ନିୟମ ରହିଛି ହେଲେ ଏହା କାର୍ଯ୍ୟକାରୀ ହେଉନାହିଁ । ଏଣେ ନାଳନର୍ଦ୍ଦମା ଗୁଡିକ ମଧ୍ୟରେ ବ୍ୟବସାୟିକ ଆବର୍ଜନା, ପତ୍ର, ସୋଲ ଠୋଲା, ପଲିଥିନ୍ ଠୁ ଆରମ୍ଭ କରି ଯାବତୀୟ ଜିନିଷ ଆଦି ନଳା ରେ ପଡୁଥିବା ବେଳେ ଗୋଟେ ଗୋଟେ ସ୍ଥାନରେ ଦଶ କୋଡ଼ିଏ ଫୁଟରୁ ଉର୍ଦ୍ଧ ଜବର୍ ଦଖଲରେ ରହିଥିବା ହେତୁ ଡ୍ରେନ୍ ଜାମ୍ ହେବା ସ୍ୱାଭାବିକ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।