ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ରାଜକନିକା : ଦେଓଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ନରେନ୍ଦ୍ର ଦାସଙ୍କୁ ବିଦ୍ୟାଳୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷୟିତ୍ରୀ ସୁଭଦ୍ରା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ରାଜକନିକା ବ୍ଲକ ବିଆରସିସି କୈଳାସ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଏବିଇଓ ସୁରୁଚିପ୍ରଭା ଦାଶ, ସମ୍ମାନିତଅତିଥି ସିଆରସିସି ଶଶିକାନ୍ତ ଖଟୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଞ୍ଜନା ସାହୁ, ଶିକ୍ଷୟିତ୍ରୀ ଝରଣା କୁମାରୀ ଦାସ, ଅବସରପ୍ରାପ୍ତ ଶିକ୍ଷକ ନେତ୍ରାନନ୍ଦ ସାହୁ, ରମେଶ ଚନ୍ଦ୍ର ପରିଡା, ବୈଷ୍ଣବ ଚରଣ ସାହୁ, ବନମାଳୀ ସାହୁ ପ୍ରମୁଖ ଯୋଗଦେଇ ଥିଲେ । ମୁଖ୍ୟଅତିଥି ଅବସରରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଉତ୍ତରୀୟ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷୟିତ୍ରୀ ଶିକ୍ଷଣିକା ମଲ୍ଲିକ ମାନପତ୍ର ପାଠ କରିଥିବାବେଳେ, ଛାତ୍ରୀ ମାନେ ବିଦାୟ ସଂଗୀତ ଗାନ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଶିକ୍ଷକ ଅବିନାଶ ଜେନା ଓ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ପରିଚାଳନା କମିଟି ସଦସ୍ୟ, ଅଭିଭାବକ, ଗ୍ରାମବାସୀ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ସରୋଜିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।