ବର୍ଷାରେ ଧୋଇଲା ପୋଲ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ

ାା ପ୍ରଭନୁ୍ୟଜ୍ ।ା ଭୁବନେଶ୍ୱର ନିର୍ମାଣର ବର୍ଷେ ନ ପୁରୁଣୁ ବର୍ଷାରେ ଧୋଇଲା ପୋଲ । ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ । ଏପରିକି ଘଟଣା ଅତାବିରା ଏନ୍ଏସି ୱାର୍ଡ ନଂ. ୪ରେ ଅତାବିରା ସହ ଖାଦ୍ୟ ନିଗମ ତଥା ପାହାରଶ୍ରୀଗିଡାକୁ ସଂଯୋଗ କରୁଥିବା ଏକ ଛୋଟିଆ ନାଳ ଉପରେ ନିର୍ମିତ ପୋଲ ଠାରେ ଦେଖିବାକୁ ମିଳୁଛି ।   ବର୍ଷାରେ ଏହି ପୋଲଟି  ଧୋଇଯାଇଛି । ସ୍ଥାନୀୟ ଏକ୍ସଚେଞ୍ଜ ଛକ ରାସ୍ତା ବଦଳରେ ଏହି ପୋଲ ରାସ୍ତା ଦେଇ ପାହାରଶ୍ରୀଗିଡ଼ା ଗଲେ ୧ କିମି ରାସ୍ତା କମ୍ ପଡ଼ିଥାଏ । ତେଣୁ ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଯିବା ଆସିବା କରିଥାନ୍ତି । ପୂର୍ବରୁ ନାଳ ଉପରେ କୌଣସି ପୋଲ ନ ଥିଲା । ବର୍ଷାଦିନେ ଏହି ରାସ୍ତା ଦେଇ ଯିବା ଆସିବା ସମ୍ଭବ ହେଉ ନ ଥିଲା । ଅନ୍ୟ ଦିନରେ ଲୋକେ ନାଳା ପାରି ହୋଇ ଯିବା ଆସିବା କରୁଥିଲେ । ତେଣୁ ୱାର୍ଡର ବାସିନ୍ଦାମାନେ ଏହି  ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ । ଫଳରେ ଏଠାରେ  ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ଛୋଟିଆ ପୋଲ (ସିମେଣ୍ଟ ନଳ ଉପରେ କଂକ୍ରିଟ) ନିର୍ମାଣ କରାଯାଇଥିଲା । ମାତ୍ର ଗୋଟିଏ ବର୍ଷ ନ ପୂରୁଣୁ ପ୍ରଥମ ବର୍ଷାରେ ଏହି ପୋଲରେ ଖାଇ ସୃଷ୍ଟି ହୋଇଥିଲା । ଫଳରେ ସେଠାରେ ମାଟି ଦେଇ ମରାମତି କରାଯାଇଥିଲା  । କିନ୍ତୁ ତାହା ଏବେ ଲଗାଣ ବର୍ଷାରେ ଧୋଇଯାଇଛି । ରାସ୍ତା ସଂକୀର୍ଣ୍ଣ ହୋଇ ଲୋକଙ୍କ ପାଇଁ  ବିପଦ ସୃଷ୍ଟି କରିଛି । ୨୦ ଫୁଟ ପୋଲରୁ ଏବେ ମାତ୍ର ୨ ଫୁଟ ରହିଛି । ତଥାପି ଲୋକେ ଦୁଇ ଚକିଆ ଯାନରେ ଏହି ବିପଦସଙ୍କୁଳ ରାସ୍ତାରେ ଯିବା ଆସିବା କରୁଛନ୍ତି । ତଥାପି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଏହା ବ୍ୟତୀତ ପୋଲଟି ଏତେ ଖାଲୁଆ ହୋଇଛି ଯେ,  ଅସରାଏ ବର୍ଷା ହେଲେ ପୋଲ ଉପର ଦେଇ ପାଣି ଆସୁଛି । ତେଣୁ ଏଠାରେ ଉଚ୍ଚ ଓ ଉନ୍ନତ ମାନର ପୋଲ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି ।