ବିଧାୟକଙ୍କ ଜନଶୁଣାଣି କାର୍ଯ୍ୟକ୍ରମ  

 ବାଲେଶ୍ୱର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଶାସନକୁ ଜନସାଧାରଣଙ୍କ ନିକଟତର କରାଇବା ସହ ସେମାନଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେବାକୁ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁରାଡିହା ପଞ୍ଚାୟତରେ ପ୍ରଥମ ଥର ପାଇଁ ବିଧାୟକଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମର ସଫଳ ଆୟୋଜନ ପରେ ପୌରାଞ୍ଚଳସ୍ତରରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ପୌରପାଳିକା କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ରହି ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିବା ସହିତ ସେଗୁଡ଼ିକର ଆସୁ ସମାଧାନ ପାଇଁ ବ୍ୟବସ୍ଥା କରିଥିଲେ । ଏଥିରେ ପୌରାଧ୍ୟକ୍ଷା ସବିତା ସାହୁ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିର୍ଲିପ୍ତା ମହାନ୍ତିଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାଗତ ଆବେଦନକୁ ତଦାରଖ କରିଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସର୍ବମୋଟ ୧୪୭ଟି ଅଭିଯୋଗ ଶୁଣାଣି ହୋଇଥିଲା । ଅଭିଯୋଗଗୁଡ଼ିକ ମଧ୍ୟରେ ମୁଖ୍ୟତଃ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ସ୍ୱାସ୍ଥ୍ୟଗତ ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା, ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଜନିତ ସମସ୍ୟା ଗୁଡ଼ିକ ସର୍ବାଧିକ ଥିଲା । ସମସ୍ତ ଅଭିଯୋଗ ମଧ୍ୟରୁ ୧୧୨ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ୩୫ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟରେ ଆଧାରିତ ଥିଲା । ଏହି ଜନଶୁଣାଣିରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ଅନୁଯାୟୀ ଆବାସ ସହାୟତା, ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଭୃତି ଅଭିଯୋଗଗୁଡିକ ଉପରେ ବିଚାର ପୂର୍ବକ ତୁରନ୍ତ ସେଗୁଡ଼ିକର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ଦତ୍ତ ନିଦେ୍ର୍ଦଶ ଦେଇଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ କାଉନସିଲର ତଥା ପଂଚାୟତରାଜ ଓ ଗ୍ରାମ୍ୟ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରଭୃତି ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।