ମା' ମଙ୍ଗଳାଙ୍କ ମୂର୍ତ୍ତି ଉଭାନ, ଭକ୍ତ ମହଲରେ ଅସନ୍ତୋଷ 

  ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ପୌରାଞ୍ଚଳ ରଜାତୋଟା ସାହି ନିକଟରେ ଥିବା ମେଣ୍ଢାଖାଇ ପାହାଡ ନିକଟରୁ ଗତ ବୁଧବାର ସନ୍ଧ୍ୟାରେ ମା' ମଙ୍ଗଳାଙ୍କ ମୂର୍ତ୍ତି ମିଳିଥିଲା । ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ସୁଅ ଛୁଟିଥିଲା । ମା'ଙ୍କ ଆବିର୍ଭାବ ହୋଇଥିବା ଭାବି ଲୋକେ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ଆସୁଥିଲେ । ଏପରିକି କିଛି ଭକ୍ତ ସଂପୃକ୍ତ ସ୍ଥାନରେ ମା' ମଙ୍ଗଳାଙ୍କ ପାଇଁ ମନ୍ଦିର ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ । ତେବେ ଗତ ରବିବାର ସଂକ୍ରାନ୍ତି ଅବସରରେ ସଂପୃକ୍ତ ସ୍ଥାନରେ ବହୁ ଭକ୍ତଙ୍କ ଭିଡ ଜମିଥିଲା । ହେଲେ ସନ୍ଧ୍ୟାରେ କିଛି ଭକ୍ତ ପୂଜାର୍ଚ୍ଚନା କରିବା ପାଇଁ ସେଠାରେ ପହଞ୍ଚôଥିବାବେଳେ ମା’ଙ୍କ  ମୂର୍ତ୍ତି ନଥିବା ଦେଖିବାକୁ ମିଳିଥିଲା । ମାତ୍ର ୫ ଦିନ ପରେ ସେଠାରୁ ମା' ମଙ୍ଗଳା ଉଭାନ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କୌଣସି ବ୍ୟକ୍ତି ମା'ଙ୍କ ମୂର୍ତ୍ତି ଚୋରି କରି ନେଇଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକେ କହିଛନ୍ତି । ଅନ୍ୟପକ୍ଷରେ କେହି ଗୁଣିଗାରେଡ଼ି କରି ମା'ଙ୍କୁ ସେଠାରୁ ଉଭାନ କରିଦେଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।