ଚାଷଜମିରେ କୀଟନାଶକ, ବିପଦରେ ପକ୍ଷୀକୂଳ
କୁଆଖିଆ: ସକାଳ ହେଲେ ଶୁଭୁନାହିଁ ଆଉ କାଉ, କୋଇଲି, ବଣି, ପାରା କି କଜଳପାତିଙ୍କ କଳରବ ସ୍ୱର । ଦେଖିବାକୁ ମିଳୁ ନାହାଁନ୍ତି କଙ୍କି, କଲିକଟରା, ଜିଆ ପରି ମାଟି ଖାଇ ବଞ୍ଚୁଥିବା କୀଟପତଙ୍ଗ । ଦିନ ଥିଲା, ରାତି ପାହାନ୍ତାରୁ କାଉମାନେ କା'କା'ଶବ୍ଦରେ ଲୋକମାନଙ୍କୁ ନିଜ ନିଜର କର୍ମ କ୍ଷେତ୍ରକୁ ଯିବା ସକାଶେ ନିଦରୁ ଉଠାଇ ଦେଉଥିଲେ । ପାରା, ବଣି, ବାୟା ଚଢେଇ ଦାଣ୍ଡ ଦୁଆରେ ଆସି ବାସି ଖାଦ୍ୟ ଖାଇବାକୁ ଝଗଡ଼ା ଲାଗନ୍ତି ତ ବିଲ୍ ମୁଣ୍ଡରେ ବିଭିନ୍ନ ପୋକ, ଜୋକ ଖାଇବାକୁ ଧାଡି ହୋଇ ବସିଯାଆନ୍ତି । ଚାଷ ଜମିରେ ହଳ ଲଙ୍ଗଳରେ ଚାଷ ହେଉଥିବା ବେଳେ ମାଟି ତଳୁ ବାହାରୁଥିବା ଜିଆ, ଝଣ୍ଟିିକା ଖାଇବା ପାଇଁ କଜଳପାତି ବଳଦ ଉପରେ ବସି ତା ଖାଦ୍ୟକୁ ଗୋଟାଇଥାଏ । ଏସବୁ ଏବେ ସ୍ୱପ୍ନ ହେଇଗଲାଣି । ବର୍ତ୍ତମାନ ଚାଷରେ ଅତ୍ୟାଧୁନିକ ଯନ୍ତ୍ରପାତି, ଉନ୍ନତମାନର କୀଟନାଶକ ଔଷଧ ଓ ସାର ପ୍ରୟୋଗ ଫଳରେ ଚାଷ ଜମିରେ ଥିବା କୀଟପତଙ୍ଗଙ୍କ ବିଲୋପ ଘଟିଛି । ଯାହାକୁ ପକ୍ଷୀମାନେ ଖାଇ ବଞ୍ଚିବା କଥା ସେମାନଙ୍କର ଯେତେ ବେଳେ କୀଟନାଶକ ଔଷଧ ଯୋଗୁଁ ବିନାଶ ଘଟିଲା ସେତେ ବେଳେ ପକ୍ଷୀମାନେ ଆଉ ଚାଷ ଜମିକୁ ନଯାଇ କେତେକ ଖାଦ୍ୟ ଅନ୍ୱେଷଣରେ ବଜାର ମୁହାଁ ହେଇଥିବା ବେଳେ ଆଉ କେତେକ ପକ୍ଷୀ ଖାଦ୍ୟ ଅଭାବ ଏବଂ ବିଶାକ୍ତ ପରିବେଶ ପାଇଁ ମୃତୁ୍ୟ ମୁଖରେ ପଡୁଥିବାରୁ ସଂଖ୍ୟା ହ୍ରାସ ଘଟୁଛି । ଯେଉଁ କେତେକ ପକ୍ଷୀ ରହିଛନ୍ତି ସେମାନେ ହାଟ ବଜାରର ବିଭିନ୍ନ ବ୍ୟବସାୟୀଙ୍କ ଦୋକାନ ସମ୍ମୁଖରେ ଖାଦ୍ୟ ପାଇଁ ରୁଣ୍ଡ ହେଉଥିବା ଦେଖିବାକୁ ମିଳୁଛି । ସହୃଦୟ ବ୍ୟବସାୟୀଙ୍କ ବଳକା ଖାଦ୍ୟକୁ ପକ୍ଷୀମାନେ ଖାଇ ପେଟ ଭୋକକୁ ମାରୁଥିବା ଦେଖିବାକୁ ମିଳୁଛି । ସାମ୍ପ୍ରତିକ ସମୟର ପରିବେଶ ପ୍ରଦୂଷଣ ଏବଂ ବୃକ୍ଷର ଅଭାବ ଯୋଗୁଁ ଅଧିକାଂଶ ପକ୍ଷୀ କାଉ, କୋଇଲି, ବଣି, ଘର ଚଟିଆ, ଗୋବରା ଚଢେଇ, ବାଇ ଚଢେଇ, ହଳଦୀ ବସନ୍ତ, ଲୋଟଣୀ ପାରା ପରି ଅନେକ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଛି । ଜୈବିକ ଖତ, ସାର ବଦଳରେ ଚାଷଜମିରେ ପ୍ରୟୋଗ ହେଉଥିବା ବିଭିନ୍ନ ବିଷ ଔଷଧ ହିଁ ପକ୍ଷୀକୂଳ ପ୍ରତି ବିପଦ ସୃଷ୍ଟି କରୁଛି । ତେବେ ପକ୍ଷୀଙ୍କ ସୁରକ୍ଷା ନହେଲେ ଆଗାମୀ କିଛି ଦିନ ପରେ ଏମାନଙ୍କର ବିଲୁପ୍ତ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ପରିବେଶବିତ୍ ଆଲୋଚନା କରନ୍ତି ।