ରାସ୍ତା ଉନ୍ନତିକରଣ ନାଁରେ ଗଛ କଟା: ବିନା ଅନୁମତିରେ କାଟିଦେଲେ, ତଦନ୍ତ ଦାବି
ନିମାପଡ଼ାରୁ ରାଜକିଶୋର ଦାସ : ରାସ୍ତାର ଉନ୍ନତିକରଣ ପାଇଁ ବଳି ପଡ଼ିଛି ଶହ ଶହ ମୂଲ୍ୟବାନ ଗଛ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପିପିଲି-ନିମାପଡା ପୂର୍ତ୍ତ ରାସ୍ତାର ହରିପୁର ଛକ ଠାରୁ ବଳଙ୍ଗା ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ । ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରାୟ ୪୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଗତ ଅପ୍ରେଲ ମାସ ୧୬ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଟେଣ୍ଡର ପାଇଥିବା ଠିକାଦାର ନିର୍ମାଣ କାର୍ଯ୍ୟ ଆରମ୍ଭ କରୁ କରୁ କେନାଲ ବନ୍ଧର ବାମ ପାଶ୍ୱରେ ଥିବା ଶତାଧିକ ଫଳନ୍ତି ନଡ଼ିଆ ଗଛ ଓ ଆମ୍ବ ଗଛକୁ କାଟି ତଳେ ପକାଇ ଦେଇଛି । ନିର୍ମାଣଧୀନ ବନ୍ଧ ରାସ୍ତା ଜଳ ସମ୍ପଦ ବିଭାଗର । ରାସ୍ତା ନିର୍ମାଣ କରୁଛି ପୂର୍ତ୍ତ ବିଭାଗ । ଗଛ ଗୁଡ଼ିକ ଜଙ୍ଗଲ ବିଭାଗ ଅଧିନରେ ଥିବାରୁ କାଟିବା ପାଇଁ ଜଙ୍ଗଲ ବିଭାଗର ଅନୁମତି ଆବଶ୍ୟକ । ଏଠାରେ ପ୍ରଶ୍ନ ଉଠୁଛି କାହା ନିଦେ୍ର୍ଦଶରେ ସଂପୃକ୍ତ ଠିକାଦାର ଏତେ ଗୁଡିଏ ଗଛ କାଟିଦେଲେ? ଖବର ଅନୁସାରେ ଗଛ କାଟିବାକୁ କୌଣସି ବିଭାଗୀୟ ଅଧିକାରୀ ଅନୁମତି ଦେଇନାହାନ୍ତି । ନିୟମାନୁସାରେ ପୂର୍ତ୍ତ ବିଭାଗ ଜରିଆରେ ସଂପୃକ୍ତ ଠିକାଦାର ବନ ବିଭାଗରୁ ଅନୁମତି ଆଣି ଗଛ କାଟିବା କଥା । ତାହା ମଧ୍ୟ ହୋଇନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବେଷ ପାଇଁ ଗଛର ଭୂମିକା ବେଶ୍ ଗୁରୁତ୍ୱ ବହନ କରୁଛି । ଏଣୁ ଗୋଟିଏ ଗଛ କାଟିଲେ ଦଶଟି ଗଛ ଲଗାଇବା କଥା । ମାତ୍ର ଯେଉଁ ଠିକାଦାର ବିନାନୁମତିରେ ଶହେରୁ ଉର୍ଦ୍ଧ୍ୱ ଗଛ କାଟି ନଷ୍ଟ କରି ଦେଇଛନ୍ତି । ସେ ରାସ୍ତା ନିର୍ମାଣ କରିସାରିବା ପରେ ଆଉ ଗଛ ଲଗାଇବା କଥା ଆକାଶ କଇଆଁ ଚିଲିକା ମାଛ ଭଳି ଲାଗୁଛି । ଏ ନେଇ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ଯେ, ଗଛ କାଟିବା ପାଇଁ ଆମ ଠାରୁ କେହି ଅନୁମତି ନେଇ ନାହାଁନ୍ତି । ବୁଦ୍ଧିଜୀବୀ ମାନେ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।