ସମସ୍ୟା ଘେରରେ ରକ୍ତଭଣ୍ଡାର କେନ୍ଦ୍ର
ଉକôଳ କେଶରୀ ପାହାଡସିଂ : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକମାତ୍ର ରକ୍ତ ଭଣ୍ଡାର ଖଡିଅଙ୍ଗ ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ । ୨୦୨୨ ମସିହାରୁ ଖଡିଅଙ୍ଗ ଠାରୁ ସ୍ୟାମଗୁଡ଼ିଆକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ହୋଇଯାଇଥିଲେ ହେଁ ଦୀର୍ଘ ତିନିବର୍ଷରୁ ଊଦ୍ଧ୍ୱର୍ ସମୟ ହେଲାଣି ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରୁ ରକ୍ତ କେନ୍ଦ୍ର ସ୍ଥାନାନ୍ତରିତ ହୋଇନପାରିବ ହେତୁ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି । ବର୍ତ୍ତମାନର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ରକ୍ତ କେନ୍ଦ୍ରର ଦୂରତା ପାଞ୍ଚ କିମିରୁ ଅଧିକ ହୋଇଥିବାବେଳେ ରକ୍ତ ଆବଶ୍ୟକତା ସମୟରେ ଦୂର ଦୁରନ୍ତରୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଟୋ ରିକ୍ସା ଭଡା ବାବଦରେ ୩୦୦ ରୁ ୪୦୦ ଟଙ୍କା ଖର୍ଚ୍ଚାନ୍ତରେ ପଡୁଥିବା ଆସୁଛି ଅଭିଯୋଗ । ଅପରପକ୍ଷରେ ଜଗନ୍ନାଥ ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ଦମନ ମହାନ୍ତି କୁହନ୍ତି, କେନ୍ଦ୍ରାପଡ଼ା ରକ୍ତ କେନ୍ଦ୍ରକୁ ବିଭାଗ ପକ୍ଷରୁ ନିଜସ୍ୱ ଗାଡ଼ି ଦିଆଯାଇନଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିରକୁ ପରିଚାଳନା କରିବା କ୍ଷେତ୍ରରେ ନାନା ବାଧା ସୃଷ୍ଟି ହେଉଛି । ଅନୁଷ୍ଠିତ ହୋଇଯାଇଥିବା ଚଳିତ ରକ୍ତ ପରିଚାଳନା ଗ୍ରୀଷ୍ମକାଳୀନ ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ବିଭାଗକୁ ବିଭିନ୍ନ ସଂଗଠନ ପକ୍ଷରୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ରକ୍ତ କେନ୍ଦ୍ରକୁ ନିଜସ୍ୱ ଗାଡ଼ି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି । ତେବେ ସେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ କହିଛନ୍ତି, କେନ୍ଦ୍ରାପଡ଼ା ରକ୍ତ ଭଣ୍ଡାରରେ ଭିତ୍ତିଭୂମି ଅଭାବରୁ ପିଆର ପିସି ରକ୍ତ ସଂଗ୍ରହ ହୋଇପାରୁନାହିଁ । ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ କଟକ ବ୍ଲଡ ବ୍ୟାଙ୍କରେ ପିଆର୍ ପିସି ବ୍ଲଡ ଦିଆଯାଉଛି, ଯେଉଁଟା କି ଏକ ମାସରୁ ଦେଢ଼ ମାସ ପର୍ଯ୍ୟନ୍ତ ସର୍ଭାଇବ କରିବାର କ୍ଷମତା ରଖୁଛି । କିନ୍ତୁ କେନ୍ଦ୍ରାପଡ଼ା ରକ୍ତ ଭଣ୍ଡାରରେ ପୁରୁଣା ରକ୍ତ ଦିଆଯାଉଥିବା କାରଣରୁ ଥାଲାସେମିଆ ଆକ୍ରାନ୍ତ ଶିଶୁମାନଙ୍କୁ ପନ୍ଦରରୁ ସତର ଦିନ ଭିତରେ ପୁଣି ଥରେ ନୂତନ ରକ୍ତର ଆବଶ୍ୟକତା ପଡୁଛି । ଫଳରେ ଶିଶୁ ମାନଙ୍କ ସମ୍ପର୍କୀୟଙ୍କୁ କଟକ ଯାଇ ପିଆର୍ ପିସି ବ୍ଲଡ ଆଣିବାକୁ ପଡୁଛି । ଯାହାଦ୍ୱାରା ସେମାନଙ୍କର ସମୟ ଓ ଅର୍ଥ ଉଭୟ ଅପଚୟ ହେଉଛି । ଯଦି କେନ୍ଦ୍ରାପଡ଼ା ରକ୍ତ କେନ୍ଦ୍ରକୁ ପିଆର୍ ପିସି ରକ୍ତ ସଂଗ୍ରହ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ଓ କର୍ମଚାରୀ ଯୋଗାଇ ଦିଆଯାଇପାରନ୍ତା ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଥିବା ଅନେକ ଥାଲାସେମିଆ ରୋଗୀ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି । ସେହିପରି ସମାଜସେବୀ ରାକେଶ ବଳ କୁହନ୍ତି ଗ୍ରୀଷ୍ମ ଋତୁ ଆସିଯାଇଥିବାରୁ ପୂର୍ବ ବର୍ଷ ମାନଙ୍କ ଭଳି ଆଗକୁ ଜିଲ୍ଲାରେ ରକ୍ତ ଅଭାବ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସେହି ଦୃଷ୍ଟିରୁ ପ୍ରଶାସନ ଓ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନେବା ଜରୁରୀ । ତାଙ୍କ କହିବା ମୁତାବକ କେନ୍ଦ୍ରାପଡ଼ା ରକ୍ତ ଭଣ୍ଡାରରେ ସଂଗୃହୀତ ହେଉଥିବା ରକ୍ତରୁ ପ୍ଲାଜା, ପ୍ଲେଟ୍ ଲେଟ୍ ଭଳି ତିନି ପ୍ରକାର ରକ୍ତ ପୃଥକ କରାଯାଇପାରନ୍ତା; କିନ୍ତୁ ବିଡ଼ମ୍ବନାର ବିଷୟ ଜିଲ୍ଲା ରକ୍ତ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ନଥିବାରୁ ଏହା ସମ୍ଭବପର ହୋଇପାରୁନାହିଁ । ଯଦି ବିଭାଗ ଏହାକୁ ଗୁରୁତ୍ୱ ଦେଇ ରକ୍ତ ଭଣ୍ଡାରର ଭିତ୍ତିଭୂମି ବଢ଼ାଇବା ଦିଗରେ ପଦକ୍ଷେପ ନିଅନ୍ତେ, ତେବେ ସଂଗୃହୀତ ରକ୍ତରୁ ପୃଥକ୍ କରାଯାଇ ତିନି ପ୍ରକାର ଆବଶ୍ୟକତା ପୂରଣ କରାଯାଇ ପାରନ୍ତା ବୋଲି କହିଛନ୍ତି ।